ଏଇ ଭାରତରେ

ପାଠ ଚାପରେ କେତେକ ଶିକ୍ଷାର୍ଥୀ ସ୍କୁଲ ଅବା କଲେଜ ଯିବାକୁ ବନ୍ଦ କରନ୍ତି କିମ୍ବା ମିଛ କହନ୍ତି। ମାତ୍ର ଏବେ ପାଠ ଚାପରୁ ମୁକ୍ତି ପାଇଁ ଶିକ୍ଷାର୍ଥୀ ନୂଆ ନୂଆ କୌଶଳ ଆପଣେଇଲେଣି, ଯାହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଗୁଜରାଟରେ। ଗୁଜରାଟର ପପାଟପାରା ଅଞ୍ଚଳର ଜଣେ ୧୦ ବର୍ଷର ଛାତ୍ରୀ ହୋମ୍‌ୱାର୍କ ନ କରି ଟ୍ୟୁଶନ ନ ଯିବା ଲାଗି ଅପହରଣ ନାଟକ ରଚିଛନ୍ତି। ନାବାଳିକା ଜଣକ ତାଙ୍କ ପିତାଙ୍କ ସହ ପ୍ରଦ୍ୟୁମାନ ନଗର ପୋଲିସ ଷ୍ଟେଶନରେ ପହଞ୍ଚି ତାଙ୍କୁ ଅପହରଣ କରାଯାଇଥିଲା ବୋଲି ଅଭିଯୋଗ ଆଣିଥିଲେ। ଏହି ଘଟଣାର ତଦନ୍ତ ପାଇଁ ପୋଲିସର ଏକ ଟିମ୍‌ ନିୟୋଜିତ କରାଯାଇଥିଲା। ନାବାଳିକା ଜଣକ ପୋଲିସକୁ କହିଥିଲେ ଯେ, ଟ୍ୟୁଶନକୁ ଯାଉଥିବା ବେଳେ ତାଙ୍କୁ ଏକ ଏସ୍‌ୟୁଭିରେ ଅପହରଣ କରାଯାଇଥିଲା।
ଅପହରଣକାରୀମାନେ ତାଙ୍କୁ କାର୍‌ରେ ବସାଇବା ସହ ରାସ୍ତାରେ ଅନ୍ୟ ଜଣେ ଝିଅକୁ ମଧ୍ୟ ନେଇଯାଇଥିଲେ। ସେ କହିଥିଲେ ଯେ ସେମାନେ ଅନ୍ୟ ଝିଅଟିକୁ ରେଳ ବ୍ରିଜ୍‌ ତଳେ ଛାଡ଼ି ଦେଇଥିବା ବେଳେ ତାଙ୍କୁ ରେଳଷ୍ଟେଶନ ଆଡ଼କୁ ନେଇ ଛାଡ଼ିଦେଇଥିଲେ। ପୋଲିସ ସର୍ଚ୍ଚ ଅପରେଶନ ଆରମ୍ଭ କରି ସେହି ଅଞ୍ଚଳର ସିସିଟିଭି ଫୁଟେଜ ସ୍କାନ୍‌ କରିଥିଲା। ଫୁଟେଜରେ ଝିଅଟି ଚାଲୁଥିବାର ଦେଖାଯାଇଥିଲା, କିନ୍ତୁ ତାଙ୍କ ଚାରିପାଖରେ କୌଣସି ଗାଡି ଦେଖାଯାଇ ନ ଥିଲା। ତା’ପରେ ଝିଅଟି ସତ ସ୍ବୀକାର କରିଥିଲେ। ଝିଅଟି କହିଥିଲେ, ସେ ଟ୍ୟୁଶନ କ୍ଲାସ୍‌କୁ ଯିବାକୁ ଚାହୁଁନାହାନ୍ତି, କିନ୍ତୁ ତାଙ୍କ ମା’ ତାଙ୍କୁ ସବୁବେଳେ ପାଠପଢ଼ିବାକୁ ବାଧ୍ୟ କରୁଥିବାରୁ ସେ ଏଭଳି ଅପହରଣ ନାଟକ କରିଥିଲେ।