Categories: ଖେଳ

ଭାରତ ବିପକ୍ଷ ଟି୨୦ରେ ଅଷ୍ଟ୍ରେଲିଆ ଖେଳାଳି ସ୍ବଦେଶୀ ଜର୍ସି ପିନ୍ଧିବେ

ମେଲବୋର୍ନ,୧୨।୧୧: ଆସନ୍ତାମାସରେ ଆୟୋଜନ ହେବାକୁ ଥିବା ଭାରତ ବିପକ୍ଷ ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଖେଳାଳିମାନେ ପ୍ରଥମଥର ପାଇଁ ସ୍ବଦେଶୀ ଶାର୍ଟ ବା ଜର୍ସି ପିନ୍ଧିବେ। କ୍ରିକେଟ ଅଷ୍ଟ୍ରେଲିଆ ବୁଧବାର ଆନୁଷ୍ଠାନିକ ଭାବେ ଏହି ଜର୍ସି ର ଉନ୍ମୋଚନ କରିଛି। ନିର୍ମାତା କମ୍ପାନୀ ଏଏସ୍‌ଆଇସିଏସ୍‌ ଓ ଦୁଇଜଣ ଦେଶୀ ମହିଳା ଅଣ୍ଟି ଫିଓନା କ୍ଲାର୍କ ଓ କର୍ଟନୀ ହେଗେନଙ୍କ ସହଯୋଗରେ ଏହି ଶାର୍ଟ ତିଆରି କରାଯାଇଛି। କ୍ରିକେଟରେ ଦେଶୀ ଅଷ୍ଟ୍ରେଲୀୟମାନଙ୍କୁ ସାମିଲ କରିବା ପାଇଁ ଏବେ ପ୍ରୟାସ କରାଯାଉଛି।
ଚଳିତବର୍ଷ ପ୍ରାରମ୍ଭରେ ଇଂଲଣ୍ଡ ବିପକ୍ଷ ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲୀୟ ମହିଳା ଖେଳାଳିମାନେ ଏହି ସ୍ବଦେଶୀ ଜର୍ସି ପିନ୍ଧି ଖେଳିଥିଲେ। ଏଥର ଗ୍ରୀଷ୍ମରେ ଅଷ୍ଟ୍ରେଲିଆ ପୁରୁଷ ଦଳ ଏହି ସ୍ବଦେଶୀ ଜର୍ସି ପିନ୍ଧି ଫାର୍ଷ୍ଟ ନେଶନ୍ସ ପିପୁଲ ଉତ୍ସବ ପାଳନ କରିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି। ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଆଦିବାସୀ କ୍ରିକେଟରଙ୍କୁ ସମ୍ମାନ ଜଣାଇ ଏହି ଜର୍ସି ତିଆରି କରାଯାଇଛି। ଅଷ୍ଟ୍ରେଲିଆ ତାରକା ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏହି ଜର୍ସି ପିନ୍ଧି ପ୍ରଥମେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହା ଆମର ପ୍ରଥମ ସ୍ବଦେଶୀ ଜର୍ସି ହୋଇଥିବାରୁ ଏହାକୁ ପିନ୍ଧି ଖେଳିବାକୁ ବେଶ୍‌ ଉତ୍ସାହିତ ଅଛି ବୋଲି ଷ୍ଟାର୍କ କହିଛନ୍ତି। ସିଡ୍‌ନୀରେ ୨୭ ନଭେମ୍ବରରୁ ଦିନିକିଆ ମ୍ୟାଚ୍‌ ଖେଳି ଭାରତ ତା’ର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିବ। ଏହି ଗସ୍ତରେ ଭାରତ ୩ଟି ଲେଖାଏ ଦିନିକିଆ ଓ ଟି୨୦ ମ୍ୟାଚ୍‌ ଖେଳିବା ପରେ ୪ଟି ଟେଷ୍ଟ ଖେଳିବ।

Share