ରେଳ ବଜେଟରେ ଓଡ଼ିଶାକୁ ୬୯୯୫ କୋଟି ୫୮ ଲକ୍ଷ

ଭୁବନେଶ୍ୱର, ୪।୨(ବ୍ୟୁରୋ): ରେଳ ବଜେଟରେ ଚଳିତ ବର୍ଷ ଓଡ଼ିଶାକୁ ମୋଟ ୬୯୯୫ କୋଟି ୫୮ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ଗତବର୍ଷ ଓଡ଼ିଶାକୁ ମୋଟ ୪୩୭୩ କୋଟି ଟଙ୍କାର ଅନୁଦାନ ମିଳିଥିଲା। ଗତବର୍ଷ ଅପେକ୍ଷା ଏବର୍ଷ ୬୦% ଅଧିକ ଅନୁଦାନ ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ, ପୂର୍ବ ଓ ପଶ୍ଚିମ ଓଡ଼ିଶାକୁ ଯୋଡୁଥିବା ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ୧୦୦୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି ରେଳ ଲାଇନ ସମ୍ପୂର୍ଣ୍ଣ ହେଲେ ଓଡ଼ିଶାର ଶିଳ୍ପ, ପର୍ଯ୍ୟଟନ ଓ କୃଷିର ବିକାଶ ହୋଇପାରିବ। ସେହିପରି ଅନୁଗୋଳ-ସୁକିନ୍ଦା ରେଳ ଲାଇନ ପାଇଁ ୪୦୦ କୋଟି ଓ ହରିଦାସପୁର-ପାରାଦୀପ ଲାଇନ ପାଇଁ ୧୦୦ କୋଟି ଟଙ୍କା ଅନୁଦାନ ବ୍ୟବସ୍ଥା ହୋଇଛି। ଜୟପୁର-ମାଲକାନଗିରିକୁ ୨୮ ଓ ଜୟପୁର-ନବରଙ୍ଗପୁରକୁ ୧୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସମ୍ବଲପୁର-ତାଳଚେର ରେଳ ଲାଇନ ଦୋହରୀକରଣ ପାଇଁ ୧୭୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି ବୋଲି ପ୍ରଧାନ କହିଛନ୍ତି।
ଆହୁରି ମଧ୍ୟ ସେ କହିଛନ୍ତି, ରେଳ ବଜେଟରେ ଓଡ଼ିଶାରେ ଚାଲିଥିବା କାମ ସାରିବାକୁ ଗୁରୁତ୍ୱ ଦିଆଯାଇଛି। ଆଧୁନିକୀକରଣ ଓ ସୁରକ୍ଷାକୁ ମଧ୍ୟ ରେଳ ବଜେଟରେ ଗୁରୁତ୍ୱାରୋପ କରାଯାଇଛି। ନୂଆ ଲାଇନ ପାଇଁ ୧୫୫୩ କୋଟି, ଡବଲିଂ ପାଇଁ ୧୭୦୨ କୋଟି, ଲେବଲ କ୍ରସିଂ ପାଇଁ ୧୮ କୋଟି, ଟ୍ରାକ ନବୀକରଣ ପାଇଁ ୪୦୨ କୋଟି, ସେତୁ ପାଇଁ ୩୮.୫ କୋଟି, ବିଦ୍ୟୁତକରଣ ପାଇଁ ୧୭୩ କୋଟି, ଯାତ୍ରୀ ସୁବିଧା ପାଇଁ ୩୦୦ କୋଟି ଓ ସିଗ୍‌ନାଲ ପାଇଁ ୬୯ କୋଟି ଟଙ୍କା ବ୍ୟବସ୍ଥା ହୋଇଛି।
କେନ୍ଦ୍ରମନ୍ତ୍ରୀ ପ୍ରଧାନ ଆହୁରି କହିଛନ୍ତି,ଓଡ଼ିଶାରେ ରେଳ ସମ୍ପର୍କୀତ ୩ଟି କାରଖାନା ପାଇଁ ୧୨ କୋଟି ମଞ୍ଜୁର ମିଳିଛି। ଅନୁଗୋଳ ବିଦ୍ୟୁତ ରେଳ ଇଞ୍ଜିନ କାରଖାନା ସଂପ୍ରସାରଣ ପାଇଁ ୧ କୋଟି, ମାନେଶ୍ୱର ମାଲବାହୀ ଟ୍ରେନ ମରାମତି କାରଖାନା ପାଇଁ ୧୦ କୋଟି, କଳାହାଣ୍ଡିରେ ବିଦ୍ୟୁତ ଇଞ୍ଜିନ ମରାମତି କାରଖାନା ପାଇଁ ୧ କୋଟି ମଞ୍ଜୁର ହୋଇଛି।