ବିକାଶ ନାଁରେ ରାଜଧାନୀ ହେବ ବୃକ୍ଷଶୂନ୍ୟ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଉନ୍ନୟନମୂଳକ କାର୍ଯ୍ୟ ପାଇଁ ରାଜଧାନୀ ଭୁବନେଶ୍ୱରରେ ଗଛକଟା ଚାଲିଛି। ପଚାଶ ବର୍ଷରୁ ଊର୍ଦ୍ଧ୍ୱ ବିଶାଳକାୟ ଗଛକୁ ମଧ୍ୟ କାଟି ପଦା କରି ଦିଆଯାଉଛି। ବିକାଶ ବାହାନାରେ ଜଙ୍ଗଲ ବିଭାଗ ମଧ୍ୟ ଅନୁମତି ଦେଉଛି। ଏଭଳି ଧାରା ଜାରି ରହିଲେ ଅଳ୍ପ ବର୍ଷ ଭିତରେ ଭୁବନେଶ୍ୱର ବୃକ୍ଷଶୂନ୍ୟ ହୋଇପଡ଼ିବ। ସବୁଜିମା ଭରା ଭୁବନେଶ୍ୱର କଂକ୍ରିଟ ସହରରେ ପରିଣତ ହେବ। ଏବେ ଅସହ୍ୟ ତାପମାତ୍ରାରେ ସହରବାସୀ ଛଟପଟ ହେଉଥିବାବେଳେ ଆଗକୁ ମୁଣ୍ଡ ଗୁଞ୍ଜିବା ପାଇଁ ସହରରେ ଗଛଟିଏ ନ ଥିବ। ଏବେ ବିଧାୟକଙ୍କ ଅଟ୍ଟାଳିକା ନିର୍ମାଣ ପାଇଁ ବହୁ ବର୍ଷର ପୁରୁଣା ଗଛକୁ କଟାଚାଲିଛି। ଏହାକୁ ନେଇ ପରିବେଶବିତ୍‌ ଓ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ବିଧାୟକ ଓ ସରକାରୀ କର୍ମଚାରୀଙ୍କୁ ୩ଶହ ସୌଖୀନ ଫ୍ଲାଟ୍‌ ଯୋଗାଇଦେବା ପାଇଁ ୟୁନିଟ-୪ସ୍ଥିତ ଏମ୍‌ଏଲ୍‌ଏ କଲୋନୀରେ ୭୮୦ ବୃହତ୍‌କାୟ ଗଛକୁ କାଟିବା ଲାଗି ଜଙ୍ଗଲ ବିଭାଗ ଅନୁମତି ଦେଇଛି। ଇତିମଧ୍ୟରେ ଓସ୍ତ, ଚମ୍ପା, ପଣସ, କରଞ୍ଜ, ବେଲ, କଦମ୍ବ, ଦେବଦାରୁ, ରାଧାଚୂଡ଼ା, କୃଷ୍ଣଚୂଡ଼ା ଆଦି ପ୍ରାୟ ୪ଶହ ଗଛ କଟାଯାଇ ସରିଲାଣି। ଏହା ବଦଳରେ ଗୋଟିଏ ବି ଗଛ ଲଗାଯାଇ ନାହିଁ। ଜଙ୍ଗଲ ବିଭାଗର ସୂଚନା ଅନୁଯାୟୀ, ଗତ ୫ବର୍ଷ ମଧ୍ୟରେ ଏଭଳି ୧ଲକ୍ଷରୁ ଊର୍ଦ୍ଧ୍ୱ ଗଛ ନଷ୍ଟ ହୋଇଛି। ସେଥି ମଧ୍ୟରୁ ରାସ୍ତାଘାଟ, ପୋଲ, ବିଭିନ୍ନ ସରକାରୀ କୋଠା ନିର୍ମାଣ ପାଇଁ ୮ହଜାର ଗଛ କଟାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ବେସରକାରୀ ସୂତ୍ର ଅନୁଯାୟୀ ଏହି ସମୟ ମଧ୍ୟରେ ସହରରୁ ପ୍ରାୟ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ଗଛ ଗାଏବ ହୋଇଯାଇଛି। କିନ୍ତୁ ବିଡମ୍ବନା ଯେ, ଏତେ ସଂଖ୍ୟାରେ ଗଛ କଟାଯାଉଥିଲେ ମଧ୍ୟ ସେହି ଅନୁପାତରେ ବୃକ୍ଷରୋପଣ ହେଉନାହିଁ। ଏହାର ପରିଣାମ ସହରବାସୀଙ୍କୁ ଭୋଗିବାକୁ ପଡୁଛି ବୋଲି ପରିବେଶବିତ୍‌ମାନେ କହିଛନ୍ତି।
ବିଧାୟକଙ୍କ ଲାଗି ନିର୍ମାଣ ହେବାକୁ ଥିବା ବହୁତଳ ଅଟ୍ଟାଳିକା ପାଇଁ ଗଛକଟା ସମ୍ପର୍କରେ ସିଟି ଡିଏଫ୍‌ଓ ଯଶୋବନ୍ତ ବରିହା କହିଛନ୍ତି, ବିକାଶମୂଳକ କାର୍ଯ୍ୟ ପାଇଁ ଗଛକଟା ହେବ। ଏହାର କ୍ଷତିପୂରଣ ବାବଦରେ ପ୍ରକଳ୍ପ କାମ ହାତକୁ ନେଇଥିବା ଓଡ଼ିଶା ବ୍ରିଜ୍‌ କନ୍‌ଷ୍ଟ୍ରକ୍‌ଶନ କର୍ପୋରେଶନ (ଓବିସିସି) ୬୮ଲକ୍ଷ ଟଙ୍କା ଜମା କରିଛି। ବିକାଶ ସହିତ ପରିବେଶକୁ ମଧ୍ୟ ଧ୍ୟାନ ଦିଆଯିବ। ଏହାର କ୍ଷତିପୂରଣ ପାଇଁ ପାତ୍ରପଡାଠାରେ ୧୨ହଜାର ଗଛ ଲଗାଯିବ। କେବଳ ଗଛ ନୁହେଁ, ବିଭିନ୍ନ କାରଣରୁ ସହରରେ ତାତି ବଢୁଥିବା ସେ ସଫେଇ ଦେଇଛନ୍ତି।