ମଝି ରାସ୍ତାରେ ମହିଳାଙ୍କ ଚୁଟି ଧରି ନିସ୍ତୁକ ପିଟିଲେ: ମୁହଁରେ କଳା ବୋଳି ଲଣ୍ଡା କରିଦେଲେ

ପଟ୍ଟାମୁଣ୍ଡାଇ,୨୧।୯(ସ୍ବ.ପ୍ର.): ଲୋନ୍‌ କରାଇ ଦେବାକୁ କହି ଟଙ୍କା ନେଉଥିଲେ ମହିଳା। ପରେ ରାସ୍ତା ମଝିରେ ନିସ୍ତୁକ ପିଟିଲେ ଏକାଧିକ ମହିଳା। ଏମିତି କି ତାଙ୍କ ମୁହଁରେ କଳା ବୋଳିବା ସହିତ ଲଣ୍ଡା କରି ଦେଇଛନ୍ତି। ଏମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଉପକଣ୍ଠ ବେଲତକ ଗାଁରେ । ଘଟଣାଟି ଗତ ଶୁକ୍ରବାର ଘଟିଥିଲେ ହେଁ ମଙ୍ଗଳବାର ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରୁ ଥାନାରେ ମାମଲା ରୁଜୁ ହୋଇଛି।
ସୂଚନାନୁଯାୟୀ, ଉକ୍ତ ମହିଳା ଜଣଙ୍କ ଲୋନ୍‌ କରିଦେବା ପାଇଁ ୪ଟି ଗ୍ରୁପର ମହିଳାଙ୍କଠାରୁ ୧୨୦୦ ଲେଖାଏ ଟଙ୍କା ନେଇଥିଲେ। ହେଲେ ଚାରି ମାସ ବିତି ଯାଇଥିଲେ ମଧ୍ୟ ସେ ଲୋନ କରାଇ ପାରି ନ ଥିଲେ। ଗତ ଶୁକ୍ରବାର ମହିଳାମାନେ ତାଙ୍କୁ ରାସ୍ତା ମଝିରେ ଅଟକାଇ ସେମାନଙ୍କ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ସେ ଟଙ୍କା ଦେଇ ନପାରିବାରୁ ତାଙ୍କ ଚୁଟିକୁ ଧରି ଟଣାଓଟରା କରିବା ସହି ମୁହଁରେ କଳା ବୋଳି ଦେଇଥିଲେ। ଏମିତି କି ତାଙ୍କୁ ଲଣ୍ଡା ମଧ୍ୟ କରି ଦେଇଥିଲେ।