ମହାକାଳପଡ଼ା,୮ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସୁନୀତି ପଞ୍ଚାୟତ ସ୍ଥାନୀୟ ଜଗରୀ ଜୋର ହାଟ କାଳୀ ପଡ଼ିଆଠାରେ ୬୦ ବର୍ଷ ଧରି ପରମ୍ପରିକ ଭାବେ ଓଡ଼ିଆ ଓ ବଙ୍ଗୀୟମାନଙ୍କର ଆରାଧ୍ୟ ଦେବୀ ମା’ ଶ୍ୟାମାକାଳୀ ପଥର ମୂର୍ତ୍ତି ରୂପେ ପୂଜା ପାଇ ଆସୁଛନ୍ତି। ପ୍ରତିବର୍ଷ ଏହି ପବିତ୍ର ଦୀପାବଳି ଅମାବାସ୍ୟା ତିଥିରେ ମା’ଙ୍କ ପୀଠରେ ପରାମ୍ପରିକ ରୀତି ନୀତି ବିଧି ଅନୁସାରେ ଘନ ନିଶାର୍ଦ୍ଧ ରାତିରେ ମା’ଙ୍କ ଗୁପ୍ତ ପୂଜା ହୋଇଥାଏ। ପ୍ରତିଦିନ ମା’ଙ୍କ ଗଳାରେ ଦେଢ଼ ହଜାରରୁ ଅଧିକ ବିଭିନ୍ନ ଫୁଲରେ ହାର ଶୋଭା ବର୍ଦ୍ଧନ କରେ। ଅଞ୍ଚଳର ପ୍ରତ୍ୟକ୍ଷ ଦେବୀ ମା’ ଶ୍ୟାମାକାଳୀ। କୌଣସି ବ୍ୟକ୍ତି ଅନ୍ୟାୟ ଅନୀତି କରିଲେ ମା’ଙ୍କ କୋପ ଦୃଷ୍ଟିରୁ କେହି ବର୍ତ୍ତି ଯାଇନାହାନ୍ତି। ଅନେକ ଉଦାହରଣ ରହିଛି ସେଥି ମଧ୍ୟରେ କିଛି ବର୍ଷ ପୂର୍ବେ ମା’ଙ୍କ ପୀଠରୁ ଦାନବାକ୍ସ ଓ ମା’ଙ୍କ ଅଳଙ୍କାର କେତେକ ବ୍ୟକ୍ତି ଚୋରାଇ ନେଇଥିଲେ। ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତିମାନଙ୍କ ଅକାଳରେ ମୃତ୍ୟୁ ହୋଇଥିବା କୁହାଯାଉଛି। ଅପରପକ୍ଷରେ ମା’ ଶ୍ୟାମାକାଳୀ ଜନକଲ୍ୟାଣ ହାଟ କମିଟି ପରିଚାଳନା କରୁଛି। ପ୍ରତିବର୍ଷ ଏହି ଅମାବାସ୍ୟା ତିଥିଠାରୁ ସପ୍ତାହ ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହେଉଛି। ପୀଠରେ ପାଞ୍ଚ ବର୍ଷ ଧରି ଗହୀରମଥା ମହୋତ୍ସବ ପାଳିତ ହେଉଛି।
ସେହିପରି ଓଡ଼ିଶାର ପ୍ରମୁଖ ଯାତ୍ରା ପାର୍ଟି ପରିବେଷଣ ହେଉଛି ବୋଲି ହାଟ କମିଟି ତରଫରୁ କୁହାଯାଇଛି। ପ୍ରତିବର୍ଷ ଏଠାରେ ନୃତ୍ୟ, ସଂଗୀତ ଓ ବାଗୁଡ଼ି ପ୍ରତିଯୋଗିତା ହୋଇଥାଏ। ମା’ ଙ୍କ ଦିବ୍ୟ ଦର୍ଶନ ପାଇଁ କୋଲକାତା, ବାଲେଶ୍ୱର, ଭଦ୍ରକ, ପାରାଦୀପ, କେନ୍ଦ୍ରାପଡ଼ା, ରାଜନଗର ପ୍ରମୁଖ ଅଞ୍ଚଳର ମାନସିକ ଶ୍ରଦ୍ଧାଳୁମାନଙ୍କ ବନ୍ଧୁ ପରିଜନଙ୍କ ଘରେ ଘରେ ଭିଡ଼ ପରିଲକ୍ଷିତ ହୋଇଥାଏ। ମା’ ଶ୍ୟାମାକାଳୀ ଜନକଲ୍ୟାଣ ହାଟ କମିଟି ଜଗରୀ ଜୋର ହାଟର ପାଞ୍ଚ ଶହରୁ ଅଧିକ ଯୁବ ବ୍ୟବସାୟୀ ଓ ଅଞ୍ଚଳର ବରିଷ୍ଠ ମୁରବୀମାନଙ୍କ ସହଯୋଗରେ ମା’ଙ୍କ ମେଳା ଅନୁଷ୍ଠିତ ହେଉଛି ବୋଲି କମିଟି ସଭାପତି ତଥା ପୂର୍ବତନ ସରପଞ୍ଚ ଗଗନ କୁମାର ପ୍ରଧାନ, ସମ୍ପାଦକ ତଥା ପୂର୍ବତନ ସରପଞ୍ଚ ମନୋଜ ପାତ୍ର ଓ କୋଷାଧ୍ୟକ୍ଷ ମୃଗାଙ୍କ ସାହୁଙ୍କ ସମେତ ସମସ୍ତ ସଦସ୍ୟ କହିଛନ୍ତି।