ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୮ ଜୀବନ

ଭୁବନେଶ୍ୱର,୨୪।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ୍‌। ଶନିବାର ରାଜ୍ୟରେ କରୋନାଜନିତ ୬୮ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫,୪୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୦ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ କେବଳ ଭୁବନେଶ୍ୱରରୁ ୨୫ଜଣ ରହିଛନ୍ତି। ସେହିପରି ପୁରୀରୁ ୧୧, ଅନୁଗୋଳରୁ ୮, ମୟୁରଭଞ୍ଜରୁ ୭ ଓ କେନ୍ଦୁଝରରୁ ୬ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି ମାଲକାନଗିରି, ନୂଆପଡ଼ା, ସୁନ୍ଦରଗଡ଼, ଗଞ୍ଜାମ, ଜଗତସିଂହପୁର ଓ କନ୍ଧମାଳ ଜିଲାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।