ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୫ ଜୀବନ

ଭୁବନେଶ୍ୱର,୨୯।୭(ବ୍ୟୁରୋ): ରାଜ୍ୟରେ ଲଗାତର ଭାବେ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌। ଗୁରୁବାର ରାଜ୍ୟରେ କରୋନାଜନିତ ୬୫ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫,୭୬୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ କେବଳ ଭୁବନେଶ୍ୱରରୁ ୪ଜଣ ରହିଛନ୍ତି। ସେହିପରି ବରଗଡ଼ରୁ ୭, ସୁନ୍ଦରଗଡ଼ରୁ ୬, ଝାରସୁଗୁଡ଼ା ଓ ସମ୍ବଲପୁରରୁ ୫ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି ଅନୁଗୋଳ, ବଲାଙ୍ଗୀର, କଟକ, ଗଞ୍ଜାମ, ଯାଜପୁର, ପୁରୀରୁ ୩ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ଯାଇଥିବା ବେଳେ ଭଦ୍ରକ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ାରୁ ୨ଜଣ ଲେଖାଏ ଏବଂ ବାଲେଶ୍ୱର, ଢ଼େଙ୍କାନାଳ,କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୁରଭଞ୍ଜ ଓ ନୂଆପଡ଼ା ଜିଲାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।