ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୫ ଜୀବନ

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟରେ ଶନିବାର ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌। ଶନିବାର ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାଜନିତ ୪୫ ଜଣଙ୍କ ପ୍ରାଣହାନୀ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪,୦୧୫୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ୱରରୁ କେବଳ ୫ଜଣ ରହିଛନ୍ତି। ସେହିପରି ବରଗଡ଼ ଓ କଟକ ଜିଲାରୁ ୫ଜଣ ପ୍ରାଣ ହରାଇଥିବା ବେଳେ ଢ଼େଙ୍କାନାଳରୁ ୪ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ସମ୍ବଲପୁର, ସୋନପୁର, କୋରାପୁଟ ଓ ସୁନ୍ଦରଗଡ଼ରୁ ୩ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନୟାଗଡ଼ ଓ ପୁରୀ ଜିଲାରୁ ୨ଜଣ ଲେଖାଏଁ ଏବଂ ଅନୁଗୋଳ, ଗଞ୍ଜାମ, କନ୍ଧମାଳ, ଝାରସୁଗୁଡ଼ା ଓ ମୟୁରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।