ଅସାମାନ୍ୟଙ୍କ ସମ୍ପର୍କରେ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ

ସାମାନ୍ୟଙ୍କ ଦୁନିଆରେ ଏମାନେ ଅସାମାନ୍ୟ। ସାଧାରଣଙ୍କ ଭିଡ଼ ଭିତରେ ଏମାନେ ଅସାଧାରଣ। ଏ ସମାଜରେ ସଚରାଚର ଆତଯାତ ହେଉଥିବା ମଣିଷଙ୍କ ପରି ନୁହନ୍ତି ଏମାନେ। ଏମାନଙ୍କର ଏକ ସ୍ବତନ୍ତ୍ର ପରିଚୟ ଥାଏ। ଜୈବିକ ବିଚାରରେ ଏମାନେ ମଣିଷଙ୍କ ପରି ଦେଖାଯାଉଥିଲେ ମଧ୍ୟ ଟିକିଏ ନିରିଖେଇ ଚାହିଁଲେ ଏମାନେ କେମିତି ଉନ୍ନତ କିସମର ମହାମଣିଷ, ଏହା ସ୍ପଷ୍ଟ ରୂପେ ଜଣାପଡ଼ିଯାଏ। ଗଣତନ୍ତ୍ରରେ ସଭିଏଁ ସମାନ ବୋଲି ସେଇ ଶ୍ରୁତିମଧୁର ସ୍ଲୋଗାନଟି କର୍ଣ୍ଣପଟରେ ଯେତେ ପ୍ରତିଧ୍ୱନିତ ହେଲେ ବି ଏମାନଙ୍କୁ ଦେଖିଲେ ହିଁ ଜାଣି ହୁଏ, ଏଠାରେ କିଛି ଲୋକ କିପରି ଅଧିକ ସମାନ ! ରାଜତନ୍ତ୍ରର ବିଲୋପ ସହିତ ସାମନ୍ତବାଦୀ ବିଚାରଧାରାର ବିଲୟ ଘଟିଛି ବୋଲି ସେଇ ଅର୍ଦ୍ଧସତ୍ୟ ତଥ୍ୟଟିକୁ ଅବିଶ୍ୱାସ କରିବାର ଯଥେଷ୍ଟ କାରଣ ଥାଏ। ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାମନ୍ତବାଦର ଶେଷସ୍ତମ୍ଭ ଭାବେ ବିରାଜୁଥିବା ଏହି ମହାମଣିଷମାନେ ଏତେ ଶକ୍ତିମାନ ଯେ ‘ଆ’ କହିଲେ ଏମାନଙ୍କ ଉପରେ ଅଜାଡ଼ି ହୋଇପଡ଼େ ଯାବତୀୟ ସୁବିଧା ସୁଯୋଗ ଓ ‘ଯା’ କହିଲେ କେଇ ଯୋଜନ ଦୂରକୁ ଘୁଞ୍ଚିଯାଏ ଜୀବନର ଯେତେ ଯାହା ଯାତନା ଓ ଜଞ୍ଜାଳ। ନିଜ ଇଚ୍ଛାରେ ନିଜ ଚତୁଃପାର୍ଶ୍ୱରେ ପୃଥିବୀକୁ ନିୟନ୍ତ୍ରିତ କରିବାର ନିଆରା ଅଧିକାର ଓ ସାମର୍ଥ୍ୟ ହାସଲ କରିଥିବା ଏଇ ଅସାମାନ୍ୟଙ୍କ ମଧ୍ୟରୁ କେଇଟି ଚିହ୍ନା ଚରିତ୍ରଙ୍କ ସମ୍ପର୍କରେ ଏକ ବିଶେଷ ଉପସ୍ଥାପନା।
ଏହି ଅସାମାନ୍ୟ ମହାମାନ୍ୟ ଜଣକ ରାଜ୍ୟ ପ୍ରଶାସନର ଜଣେ ମଧ୍ୟମ ବର୍ଗର ଅଫିସର। ବେକ ଓ ପିଠିବିନ୍ଧା ଯନ୍ତ୍ରଣା ହେଉଥିବାରୁ ଚିକିତ୍ସା ପାଇଁ ମହାଶୟ ଦିନେ ଯାଇଥିଲେ ରାଜଧାନୀର ସବୁଠାରୁ ବଡ଼ ସରକାରୀ ହସ୍ପିଟାଲ। ହସ୍ପିଟାଲର ବିଶେଷଜ୍ଞ ଡାକ୍ତରଙ୍କୁ ରୋଗ ଦେଖାଇବା ପାଇଁ ଟିକେଟ କାଟିବାଠୁ ଆରମ୍ଭ କରି ଧାଡ଼ିରେ ରହିବା ପାଇଁ ଯେଉଁ ସାଧାରଣ ନିୟମ ସବୁ ନିର୍ଦ୍ଧାରିତ ହୋଇଛି, ତାହା କେବଳ ଗୋଟିଏ ସଭ୍ୟ ସମାଜର ଶୃଙ୍ଖଳାଜ୍ଞାନ ସମ୍ପର୍କରେ ସୂଚନା ଦେଇ ନ ଥାଏ, ବରଂ ସେହି ନିୟମକୁ ମାନୁଥିବା ନାଗରିକର ନିମ୍ନତମ ସୌଜନ୍ୟବୋଧର ପ୍ରମାଣ ରଖିଥାଏ। ଅଥଚ ସାଧାରଣ ଲୋକଙ୍କ ପରି ଟିକେଟ କରି ଧାଡ଼ିରେ ଛିଡ଼ା ହୋଇ ଡାକ୍ତରଙ୍କୁ ରୋଗ ଦେଖାଇବା କୁଆଡ଼େ ତଥାକଥିତ ଅସାମାନ୍ୟଙ୍କ ମର୍ଯ୍ୟାଦା ଓ ଆତ୍ମସମ୍ମାନର ପରିପନ୍ଥୀ। ସେଭଳି ହେଲେ ସାଧାରଣଙ୍କ ମେଳାରେ କାଳେ ନିଜ ଅସାଧାରଣତ୍ୱ ମ୍ଳାନ ପଡ଼ିଯାଏ ! ନିଜ ପଦବୀର ପୋଷାକରେ କାଳେ କାଳିଦାଗ ଲାଗିଯାଏ!!
ସୁତରାଂ କଥିତ ଅଫିସର ସିଧା ଯାଇ ପହଞ୍ଚତ୍ଲେ ହସ୍ପିଟାଲର ମୁଖ୍ୟଙ୍କ କକ୍ଷରେ। ଗାମ୍ଭୀର୍ଯ୍ୟ ସହକାରେ ସେ ମୁଖ୍ୟ ମହୋଦୟଙ୍କୁ ନିଜର ପରିଚୟ ଦେଲେ। ଉଚିତ ଥିଲା, ସରକାରୀ ହସ୍ପିଟାଲର ନିୟମ ସମ୍ପର୍କରେ ଅନବଗତ ଅଫିସରଙ୍କୁ ମୁଖ୍ୟ ଅବଗତ କରାଇଥାନ୍ତେ ଓ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ କକ୍ଷକୁ ତାଙ୍କୁ ବାଟ ଦେଖାଇ ଦେଇଥାନ୍ତେ। ମାତ୍ର ସାମନ୍ତୀୟ ସ୍ବୀକୃତିର ଆଦାନପ୍ରଦାନ ରୀତି ମଧ୍ୟରେ ଯେଉଁଠି ଆମ ସାମାଜିକ ବିଧିବ୍ୟବସ୍ଥା ନିୟନ୍ତ୍ରିତ, ସେଠି ମହମ୍ମଦ ପର୍ବତ ପାଖକୁ ଯାଇ ନ ପାରିଲେ ପର୍ବତ ମହମ୍ମଦଙ୍କ ପାଖକୁ ଉଠି ଆସିବାରେ ବାଧା ନାହିଁ। ତାହା ହିଁ ହେଲା। ମୁଖ୍ୟଙ୍କଠାରୁ ଡାକରା ପାଇ ହସ୍ପିଟାଲର ଏକମାତ୍ର ଅସ୍ଥିଶଲ୍ୟ ବିଶେଷଜ୍ଞ ନିଜ ନିଜର ରୋଗ ଦେଖାଇବା ପାଇଁ ଧାଡ଼ିରେ ଅପେକ୍ଷା କରିଥିବା ପ୍ରାୟ ଦଶାଧିକ ରୋଗୀଙ୍କୁ ସେମିତି ଅପେକ୍ଷାମାଣ ଅବସ୍ଥାରେ ଛାଡ଼ି ସେଇ ସାମନ୍ତଙ୍କ ପାଖରେ ହାଜର ହେଲେ ଓ ତାଙ୍କୁ ପରୀକ୍ଷାନିରୀକ୍ଷା କରି ବ୍ୟବସ୍ଥାପତ୍ର ଲେଖି ପ୍ରାୟ ଅଧଘଣ୍ଟା ପରେ ଫେରିଲେ ନିଜ ଚିକିତ୍ସା କକ୍ଷକୁ।
ସେଯାଏ ଧାଡ଼ିରେ ଛିଡ଼ା ହୋଇ ଡାକ୍ତରଙ୍କୁ ଅପେକ୍ଷା କରିଥିବା ରୋଗୀମାନଙ୍କ ମଧ୍ୟରୁ କେହିଜଣେ ପ୍ରତିକ୍ରିୟା ପ୍ରକାଶ କଲାରୁ ରାଜଧାନୀରେ ଆଉ କିଛି କାଳ ରହିବାକୁ ସୁଯୋଗ ଖୋଜୁଥିବା ଓ ସେଥିପାଇଁ ସେହି ଅସାମାନ୍ୟ ରୋଗୀଙ୍କ ସେବାରେ ନିଜକୁ ସମର୍ପିତ କରିବା ଭଳି ତତୋଧିକ ମହାସୁଯୋଗକୁ ଆଶୀର୍ବାଦ ମଣୁଥିବା ବିଶେଷଜ୍ଞ ମହୋଦୟ ମନ୍ତବ୍ୟ ଦେଲେ ”ଏଇଟା କୋଉ ବଡ଼ କଥା ଯେ! ଭି.ଆଇ.ପି.ଙ୍କ ଯାନକୁ ବାଟଛାଡ଼ିବା ପାଇଁ ସାଧାରଣ ଯାନବାହନ ଅଟକି ଯାଏ କି ନାହିଁ ।“
ସତକଥା। ବିଶିଷ୍ଟ ବା ଅତି ବିଶିଷ୍ଟ ବୋଲାଉଥିବା ଅସାମାନ୍ୟ ମହାମାନ୍ୟ ସବାର ହୋଇଥିବା ଗାଡ଼ିର ପଟୁଆରକୁ ବାଟ ଛାଡ଼ିଦେଇ ନିଜେ କାକୁସ୍ଥ କିଙ୍କରଙ୍କ ପରି ଛିଡ଼ା ହୋଇ ରହିବାକୁ ହିଁ ସାମାନ୍ୟ ବା ସାଧାରଣମାନଙ୍କର ଜନ୍ମ। ହାତଗଣତି ମୁଷ୍ଟିମେୟଙ୍କୁ ସକଳ ସୁବିଧା ସୁଯୋଗ ଦେବା ପାଇଁ ନିଜେ ଯାବତୀୟ ଦୁର୍ଯୋଗ ଓ ଅସୁବିଧା ବରିନେବା ହିଁ ଅଗଣିତ ଜନସାଧାରଣଙ୍କ ନୈତିକ କର୍ତ୍ତବ୍ୟ, ପ୍ରକୃତ ଦେଶପ୍ରେମ। ଗଣତନ୍ତ୍ରରେ ସଭିଏଁ ସମାନ ବୋଲି ଏକ ମିଥ୍ୟା କୁହାଟକୁ ବେଦବାକ୍ୟ ମନେକରି ଯଦି କେହି ସାହସୀ ସାଧାରଣ ଲୋକଟିଏ ଏହା ବିରୋଧରେ ପ୍ରତିବାଦ ପ୍ରକଟ କରେ, ତେବେ ତା’ର ଏ ପ୍ରକାର ଦୁଃସାହସକୁ ଦମନ କରିବା ପାଇଁ କଳ, ବଳ ଓ କୌଶଳରେ ଶକ୍ତିଶାଳୀ ସେହି ଅସାମାନ୍ୟଙ୍କୁ ବେଶି ବିଳମ୍ବ ଲାଗିବ ନାହିଁ କି ବେଶି ପରିଶ୍ରମ କରିବାକୁ ପଡ଼ିବ ନାହିଁ।
ଏଇ ଅସାମାନ୍ୟମାନେ ନିଜେ ଧାଡ଼ିରେ ଛିଡ଼ା ହେବାକୁ ବା ସାମାନ୍ୟ ସାଧାରଣଙ୍କ ପରି ଅପେକ୍ଷା କରିବାକୁ ନିଜ ମର୍ଯ୍ୟାଦାର ପରପନ୍ଥୀ ବୋଲି ବିଚାରନ୍ତି ସିନା, କିନ୍ତୁ ନିଜ ପାଖକୁ ଆସିଥିବା ଲୋକମାନଙ୍କୁ ଅପେକ୍ଷା କରାଇବା ପାଇଁ ନିଜର ଗୌରବ ମନେକରନ୍ତି। ପଦବୀର ଉଜ୍ଜ୍ୱଳ ପୋଷାକ ପିନ୍ଧି ନିଜକୁ ଆଲୋକମୟ ସାମ୍ରାଜ୍ୟର ସମ୍ରାଟ ମଣୁଥିବା ସେମିତି ଜଣେ ମହାମାନ୍ୟଙ୍କ କଥା। ଏ ମହାଶୟ ରାଜ୍ୟ ପ୍ରଶାସନର ଗୋଟିଏ ବିଭାଗର ଦ୍ୱିତୀୟ ପ୍ରମୁଖ ପ୍ରଶାସକ।
ଲୋକସେବା ଭବନରେ ସାଧାରଣ ଲୋକଙ୍କ ପ୍ରବେଶାଧିକାର ଯେତେବେଳେ ବେଶ୍‌ ସୀମିତ ଓ ସଙ୍କୁଚିତ, ସେତେବେଳେ ବହୁବାର ବିଫଳ ହେଲାପରେ ବଡ଼କଷ୍ଟରେ ପ୍ରବେଶପତ୍ରଟିଏ ହାସଲକରି ଏହି ମହାମାନ୍ୟଙ୍କୁ ନିଜର ବୃତ୍ତିଗତ ଦୁଃଖ ଜଣାଇ ତା’ର ପ୍ରତିକାର ଲୋଡ଼ିବାକୁ ଯାଇଥିଲେ ଜଣେ ସାଧାରଣ ଲୋକ। ଅସାମାନ୍ୟ ପ୍ରଶାସକଙ୍କୁ ସାକ୍ଷାତ କରିବାକୁ ଚିଟ୍‌ ଦେଇ ସାମାନ୍ୟ ଦର୍ଶନାର୍ଥୀ ଜଣକ ଦୁଇଘଣ୍ଟା ଅପେକ୍ଷା କଲା ପରେ ବି ଡାକରା ଆସିଲା ନାହିଁ। ସେମିତି କାକୁସ୍ଥ ଭାବେ ଅପେକ୍ଷା କରୁଥିଲା ବେଳେ ପ୍ରଶାସକ ମହୋଦୟ ମଧ୍ୟାହ୍ନଭୋଜନ ବିରତି ନେଇ ନିଜ କକ୍ଷରୁ ବାହାରିଗଲେ।
ଦୀର୍ଘ ଅପେକ୍ଷାର ଦାରୁଣ ଯନ୍ତ୍ରଣା ନେଇ ଆସ୍ତେ ଆସ୍ତେ ଭାଙ୍ଗି ପଡୁଥିବା ସାଧାରଣ ଲୋକ ଜଣକ ପ୍ରଶାସକଙ୍କ ବାହୁଡ଼ା ବାଟକୁ ଚାହିଁ ବସିଥିବାବେଳେ ମହାମାନ୍ୟ ଆସିଲେ ଏବଂ ନିଜ କକ୍ଷ ମଧ୍ୟକୁ ପଶିଗଲେ। ପୁଣି ବିତିଗଲା ପ୍ରାୟ ଆଉ ଏକ ଘଣ୍ଟା। ଧୈର୍ଯ୍ୟଚ୍ୟୁତ ସାଧାରଣ ଲୋକ ଜଣକ ଆଉ ସମ୍ଭାଳି ନ ପାରି ତାଙ୍କ କକ୍ଷ ମଧ୍ୟକୁ ପଶିଯାଇ ମହାଭାରତ ଅଶୁଦ୍ଧ କରିଦେଲେ। ବିନା ଡାକରାରେ ହାକିମଙ୍କ ଚ୍ୟାମ୍ବର ଭିତରକୁ ପ୍ରବେଶ କଲା ଭଳି ଦୁଃସାହସ ପାଇଁ ବେଶ୍‌ ମୂଲ୍ୟ ଦେବାକୁ ପଡ଼ିଲା ବିଚରାଙ୍କୁ। ପ୍ରଶାସକ ଗର୍ଜନ କରି ଉଠିଲେ। ”କିଏ ଆପଣ ? ମୁଁ ତ ଆପଣଙ୍କୁ ଚିହ୍ନନାହିଁ। ଡାକି ବି ନାହିଁ। ଆପଣ ଭିତରକୁ ପଶି ଆସିଲେ କିପରି?“ ‘ସେ ୪ ଘଣ୍ଟା ପୂର୍ବରୁ ଚିଟ୍‌ ଦେଇ ଅପେକ୍ଷା କରିଛନ୍ତି’ ବୋଲି ଏକ ନିରୀହ କୈଫିୟତ ହାକିମଙ୍କୁ ସନ୍ତୁଷ୍ଟ କରିପାରିଲା ନାହିଁ। ରୋଷ କଷାୟିତ ନଜର ଫିଙ୍ଗି ଶୃଙ୍ଖଳା ଭଙ୍ଗକାରୀ ଦର୍ଶନାର୍ଥୀଙ୍କୁ ପୁଣି ଅପେକ୍ଷା କରିବାକୁ ନିଦ୍ଦେର୍ର୍ଶ ଦେଇ ଏକପ୍ରକାର ନିଜ ଚ୍ୟାମ୍ବରରୁ ବାହାର କରିଦେଲେ ଭାରତୀୟ ପ୍ରଶାସନିକ ସେବାର ସେହି ଅସାମାନ୍ୟ ଅଧିକାରୀ ଜଣକ।
ସମାଜର ଶେଷଧାଡ଼ିର ସାଧାରଣ ଲୋକଟିଏ। ନିଜ ଛୋଟ ପରିସର ଓ ଛୋଟ ସଂସାରକୁ ନେଇ ଛୋଟ ଜୀବନଟିଏ ବଞ୍ଚୁଥିବା ଲୋକ ସଉକରେ ଆସି ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଦେଖା କରିବାକୁ ଦୀର୍ଘ ୪ ଘଣ୍ଟା କାଳ ଅପେକ୍ଷା କରନ୍ତେ ନାହିଁ। କାମଟି ସେତିକି ଗମ୍ଭୀର କି ଗୁରୁତର ନ ଥିଲେ ଓ ନିଜ ଦୁଃଖର ଉପଶମ ପାଇଁ ଆଶାର ସମ୍ଭାବନା ସେତିକି ଓଜନଦାର ନ ଥିଲେ କେହି କେବେ ଏତେ ଦୀର୍ଘ ସମୟ ଅପେକ୍ଷାର ଯନ୍ତ୍ରଣା ଭୋଗନ୍ତା ନାହିଁ। ଅସାମାନ୍ୟ ପ୍ରଶାସକଙ୍କ ଏହି ଅବିଚାର ବିରୋଧରେ ନିଜର ଅସନ୍ତୋଷ ପ୍ରକଟ କରିବାକୁ ସାମାନ୍ୟ ଦର୍ଶନାର୍ଥୀ ଜଣକ ସ୍ବାଧୀନ ନ ଥିଲେ। ସେତକ ସ୍ବାଧୀନତା ଥିଲେ ଓ ନିଜ ଉଚ୍ଚ ପଦବୀକୁ ନେଇ ବଡ଼ ବୋଲାଉଥିବା ସେହି ହାକିମଙ୍କଠୁ କାର୍ଯ୍ୟହାନିର ପରାଭବ ଭୋଗିବା ଭଳି ଭୟ ନ ଥିଲେ ସେ ହୁଏତ ତାଙ୍କୁ ସମୁଚିତ ଜବାବ ଦେଇ ପାରିଥାନ୍ତେ। କହି ପାରିଥାନ୍ତେ, ”ଆପଣଙ୍କ କକ୍ଷକୁ ପ୍ରବେଶାଧିକାର କ’ଣ କେବଳ ଚିହ୍ନାଲୋକଙ୍କ ପାଇଁ ସଂରକ୍ଷିତ? ଜନଗଣଙ୍କ କରଦେୟରେ ନିର୍ମିତ ଆପଣଙ୍କ ଚୌକିଟି କ’ଣ କେବଳ ଚିହ୍ନା ଲୋକଙ୍କ ସେବା ପାଇଁ ସମର୍ପିତ?“
ମଗଜର ମେଧାଶକ୍ତି ନେଇ ପ୍ରଜ୍ଞା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଯେଉଁମାନେ ଅସାମାନ୍ୟ ବୋଲାଇବାର ସୌଭାଗ୍ୟ ଲାଭ କରନ୍ତି, ସାଧାରଣ ଜନତାଙ୍କ ଦୁଃଖମୋଚନ କରିବାର ସାମର୍ଥ୍ୟ ଥିବା ବିକ୍ରମାଦିତ୍ୟଙ୍କ ବତ୍ରିଶ ସିଂହାସନରେ ବସିବାର ଅଧିକାର ହାସଲ କରନ୍ତି, ସେମାନେ ନିଜ ହୃଦୟକୁ ନିର୍ବାସନରେ ପଠାଇ ସାଧାରଣ ଲୋକମାନଙ୍କୁ ଅବଜ୍ଞା ଓ ଅବହେଳା କରିପାରନ୍ତି କିପରି? ଜୀବନ ତ ଅନିତ୍ୟ, ଅଳୀକ। ତାହାଠୁ ଆହୁରି ଅଳୀକ, ଆହୁରି କ୍ଷଣିକ ମଣିଷର ପଦବୀ। ଆଜି ଅଛି କାଲିକୁ ନାହିଁ। ନିଜ ନିଜର ପଦବୀକୁ ନେଇ ଅସାମାନ୍ୟ ବୋଲାଉଥିବା ଅଧିକାରୀମାନେ ଯେଉଁଦିନ ସାପଶିଡ଼ିର ଖେଳ ମଧ୍ୟରେ ସାପମୁହଁରେ ପଡ଼ି ଅସାମାନ୍ୟରୁ ସାମାନ୍ୟସ୍ତରକୁ ଖସି ଆସିବେ, ସେଦିନ ହିଁ ଜାଣିବେ ପଦବୀର ଅବଧି କେତେ ଓ ଜୀବନର ଆୟୁଷ କେତେ! ପାଇବାର ଆନନ୍ଦ କେତେ ଓ ହରାଇବାର ଦୁଃଖ ବି କେତେ !! ପୁଣି ଅପେକ୍ଷା କରାଇବାର ଗୌରବ କେତେ ଓ ଅପେକ୍ଷା କରିବାର ଯନ୍ତ୍ରଣା କେତେ!!!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର
ଚକେଇସିହାଣି, ଭୁବନେଶ୍ୱର, ମୋ: ୯୭୭୬୭୭୭୧୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri