କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ ନାହିଁ। ପରିବାର କହିଲେ ଆମର ଏକ କି ଦୁଇ ଆଉ ଅଧିକ ନାହିଁ। ଆଉ ପୁଅ ବୋହୂଙ୍କ ଏହି ଛୋଟ ସଂସାରରେ ମା’ବାପାଙ୍କ ସ୍ଥାନ ନାହିଁ। ମା’ ବାପା ଆଉ ହିସାବରେ ଯାଆନ୍ତି ନାହିଁ। ପୁଅ ବୋହୂଙ୍କ କହିବା ଅନୁଯାୟୀ, ସେମାନେ ତାଙ୍କ ଜୀବନ ବଞ୍ଚି ସାରିଛନ୍ତି ଏବେ ଆମେ ଆମ ଶୈଳୀରେ ଜୀବନ ବଞ୍ଚିବୁ। ସେମାନଙ୍କ ପାଇଁ ଆମ ପାଖରେ ସମୟ ନାହିଁ। ପରିବାରର ବୋଝ ବୋହୁଥିବା ମଣିଷଟା କେମିତି ଆଉ କେବେଠାରୁ ପରିବାର ପାଇଁ ବୋଝ ହୋଇଗଲା ?
ପିଲାଟିଏ ଘରେ ଜନ୍ମ ନେଲେ ମା’ବାପା ଖୁସିରେ ଆତ୍ମହରା ହୋଇଯାଆନ୍ତି। ସେମାନେ ଭାବନ୍ତି ବଡ ହେଲେ ମୋ ଦୁଃଖ ହରିବ। ଅତୀତରେ ଯୌଥ ପରିବାରରେ ପରସ୍ପର ମଧ୍ୟରେ ସ୍ନେହ ସହାନୁଭୂତି ଥିଲା। ଗୁରୁଜନଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଥିଲା। ବୟୋଜ୍ୟେଷ୍ଠଙ୍କ ପ୍ରତି ଘରର ବାକି ସଦସ୍ୟ ଯତ୍ନଶୀଳ ରହୁଥିଲେ। ପୁଅ ବାହାରେ ରହି ଚାକିରି କଲେ ମଧ୍ୟ ସପ୍ତାହକୁ ଥରେ ହେଉ ଅବା ମାସକୁ ଦୁଇଥର ଘରକୁ ଆସି ଘର କଥା ବୁଝି ଯାଉଥିଲା। ଏବେ ସମସ୍ତଙ୍କ ମାନସିକତା ବଦଳିଛି। ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ପିଲାମାନେ କର୍ମ ଅନ୍ୱେଷଣରେ ବାହାରକୁ ଚାଲି ଯାଉଛନ୍ତି। ଦିନକୁ ଦିନ କାର୍ଯ୍ୟଚାପରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନଙ୍କର ଘର ପ୍ରତି, ପରିବାର ପ୍ରତି ଦାୟିତ୍ୱ, କର୍ତ୍ତବ୍ୟ ଥିବା କଥା ଭୁଲି ଯାଉଛନ୍ତି। ଯେଉଁ ପୁଅକୁ ନେଇ ଦିନେ ମା’ ବାପା ଗର୍ୱ କରୁଥିଲେ ପାଞ୍ଚ ଲୋକଙ୍କ ଆଗରେ ନିଜ ପୁଅର ଗରିମା ବଖାଣୁ ଥିଲେ ଧୀରେ ଧୀରେ ସେମାନେ ନୀରବି ଯାଆନ୍ତି। ଯୋଉ ଅଦେଖା ଯନ୍ତ୍ରଣା ଓ ଅବ୍ୟକ୍ତ ବେଦନା ଭୋଗନ୍ତି ତାହା ସତରେ ଅକୁହା ଅଲିଖିତ। ଆମେ ମନ୍ଦିର ଯାଉ ଭଗବାନଙ୍କୁ ବିଭିନ୍ନ ପ୍ରକାର ଭୋଗ ଲାଗି କରିଥାଉ। ହେଲେ ଘରେ ଥିବା ଜୀବନ୍ତ ଭଗବାନଙ୍କୁ ଗଣ୍ଡେ ଖାଇବାକୁ ଦେବା ପାଇଁ ତାଙ୍କର ଯତ୍ନ ନେବା ପାଇଁ କୁଣ୍ଠା ପ୍ରକାଶ କରିଥାଉ। ବର୍ତ୍ତମାନ ନୈତିକ ଶିକ୍ଷାର ଅଭାବ ଯୋଗୁ ସମାଜରେ, ପରିବାରରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ଆଜିର ଯୁବ ପସନ୍ଦ ହେଉଛି- ଏକକ ପରିବାର। ଯୌଥ ପରିବାରରୁ ସେମାନେ ମୁହଁ ଫେରାଇ ନେଉଛନ୍ତି।
ଆମେ ଟିକେ ଅତୀତକୁ ଯିବା। ଯୌଥ ପରିବାରର ବୟସ୍କ ସଦସ୍ୟଙ୍କ କଥାକୁ କେହି ଅବମାନନା କରୁ ନ ଥିଲେ, କାରଣ ବୟସ୍କଙ୍କ ଅନୁଭୂତି ଅଭିଜ୍ଞତା ଅଧିକ। କାହାର ପକ୍ଷ ନ ନେଇ ଯାହା କହିବେ ସମସ୍ତଙ୍କ ହିତ ପାଇଁ କହିବେ। ହେଲେ ଦିନକୁ ଦିନ ସଂସାର ଭ୍ରଷ୍ଟ ହୋଇ ଚାଲିଛି। ପୁଅ ବୋହୂଙ୍କ ଅବହେଳା ଯୋଗୁ ଅନେକ ମାତାପିତା ଜରାଶ୍ରମରେ ଦିନ କାଟୁଛନ୍ତି। ପେନ୍ସନଭୁକ୍ତ ବୟୋଜ୍ୟେଷ୍ଠମାନେ ବି ନିର୍ଯାତନା ଓ ଅବହେଳିତ ହେବାରୁ ତ୍ରାହି ପାଇନାହାନ୍ତି। ନିଜେ ପାଉଥିବା ପେନ୍ସନ ଅର୍ଥରେ ତାଙ୍କର ଅଧିକାର ନ ଥାଏ। ବାର୍ଦ୍ଧକ୍ୟରେ ଘରର ବୟୋଜ୍ୟେଷ୍ଠଙ୍କର ଜରାଶ୍ରମର ଆବଶ୍ୟକତା ପଡୁଛି ବୋଲି ଦିନକୁ ଦିନ ବୃଦ୍ଧାଶ୍ରମ ସଂଖ୍ୟା ବଢିବାରେ ଲାଗିଛି। କିଛି ଜରାଶ୍ରମ ଦାତବ୍ୟ ସଂସ୍ଥାରେ ପରିଚାଳିତ ହେଉଥିବା ବେଳେ ଆଉ କିଛି ଜରାଶ୍ରମ ସମର୍ଥ ବୃଦ୍ଧାବୃଦ୍ଧ ଅର୍ଥ ପୈଠ କରି ଅବଶିଷ୍ଟ ଜୀବନ ଅତିବାହିତ କରୁଛନ୍ତି। କାହିଁକି ଦିନକୁ ଦିନ ବୟୋଜ୍ୟେଷ୍ଠମାନଙ୍କ ପ୍ରତି ଏ ଅବିଚାର, ଏ ଅବ୍ୟବସ୍ଥା। ପିଲାଟିଏ ଯେପରି ମୁହଁ ଖୋଲି କିଛି କହିପାରେ ନାହିଁ ବାର୍ଦ୍ଧକ୍ୟରେ ମନୁଷ୍ୟର ସେହି ସମାନ ଅବସ୍ଥା। ପରିତାପର ବିଷୟ ବର୍ତ୍ତମାନ ସମାଜର ସ୍ଥିତି ଏପରି ହୋଇଯାଇଛି କାହା ପାଖରେ ସମୟ ନାହିଁ।
ବରିଷ୍ଠ ନାଗରିକଙ୍କ ପାଇଁ ହୋଇଥିବା ସରକାରଙ୍କ ଯୋଜନା ବିଷୟରେ ସେମାନେ ପ୍ରାୟ ଅଜ୍ଞ। ସମାଜରେ ବୟୋଜ୍ୟେଷ୍ଠମାନେ କିପରି ସମ୍ମାନର ସହ ସୁସ୍ଥ ଜୀବନଯାପନ କରିପାରିବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଦରକାର। ବୃଦ୍ଧ ମାତାପିତାଙ୍କୁ ଭକ୍ତି ସମ୍ମାନ ଦେଇ ରଖିଲେ ତା’ର ସୁପ୍ରଭାବ ପିଲାଙ୍କ ଉପରେ ପଡ଼ିବ। ମାତାପିତାଙ୍କୁ ତୁମେ ଯେପରି ବ୍ୟବହାର କରିଥିବ ନିଜ ପିଲାଙ୍କଠାରୁ ଦିନେ ସେହିପରି ବ୍ୟବହାର ପାଇବ। ମନୁଷ୍ୟ ପରିବାରରୁ, ସମାଜରୁ ହିଁ ଆଚରଣ, ଉଚ୍ଚାରଣ ଶିକ୍ଷା କରିଥାଏ। ଜେଜେବାପା ଜେଜେମା ପାଖରେ ରହିଲେ ପିଲାମାନେ ନମ୍ର, ବିଚାରବନ୍ତ, ସଂସ୍କାରୀ ହୋଇ ବାହାରିଥାନ୍ତି। ସେମାନଙ୍କ ଆଶୀର୍ୱାଦ ପିଲାଙ୍କ ଉପରେ ରହିଥାଏ। ଗୁରୁଜନଙ୍କ ଆଶୀର୍ୱାଦ ରହିଲେ ଘରେ ସର୍ୱଦା ସୁଖ ସମୃଦ୍ଧି ମିଳିଥାଏ।
ଆଠମଲ୍ଲିକ, ଅନୁଗୁଳ
ମୋ: ୭୬୦୬୯୫୭୪୪୫


