ତପ୍ତପାଣି ଘାଟିରେ ପ୍ରଳୟଙ୍କରୀ ରୂପ: ପାହାଡ଼ ଧସି ଭାସିଗଲା କଲଭର୍ଟ, ୩୨୬ ନମ୍ବର NHରେ ଗାଡ଼ି ଚଳାଚଳ ଠପ୍

ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ଲଗାଣ ବର୍ଷା ଯୋଗୁ ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ବେଲଗଡ଼ ନିକଟରେ ଥିବା ଏକ କଲଭର୍ଟ ପାହାଡ଼ିଆ ପାଣିର ପ୍ରବଳ ସ୍ରୋତରେ ଭାସିଯାଇଛି। ଫଳରେ ପ୍ରାୟ ୨୦ ଫୁଟ୍‌ର ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇ ଶୂନ୍ୟ ହୋଇପଡ଼ିଛି। ସେହିପରି କାଳିବୋରେଇ, ଛେଦନଇ ଓ ପାଳୁଖଳା ଗାଁ ନିକଟସ୍ଥ ୩୨୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ସକାଳୁ ପ୍ରାୟ ୧ କିଲୋମିଟର ରାସ୍ତା ମଧ୍ୟରେ ଠାଏ ଠାଏ ପାହାଡ଼ ଧସିବା ସହ ଧାଙ୍ଗୁଡ଼ି ପାହାଡ଼ର ଝରଣା ପାଣି ୩ରୁ ୪ ଫୁଟ୍ ଉଚ୍ଚରେ ରାସ୍ତା ଉପରେ ପ୍ରବାହିତ ହେଉଛି। ରାସ୍ତାକଡ଼ର ବିରାଟକାୟ ଗଛଗୁଡ଼ିକ ଉପୁଡ଼ି ପଡ଼ିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

ଏହି ମୁଖ୍ୟ ଜାତୀୟ ରାଜପଥ ଦେଇ ଗଜପତି, ରାୟଗଡ଼ା, କନ୍ଧମାଳ, ଜୟପୁର, କୋରାପୁଟ, କଳାହାଣ୍ଡି, ମାଲକାନଗିରି ଜିଲା ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମଧ୍ୟପ୍ରଦେଶକୁ ଯୋଗାଯୋଗ ହେଉଥିବାରୁ ବର୍ତ୍ତମାନ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ୱରେ ଅସ୍ଥାୟୀ ବାରିକେଟ୍ ଲଗାଇ ସିଲ୍ କରାଯାଇଛି।

ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ନିକଟରେ ସୁ-ସୁ ଗର୍ଜନ କରି ବନ୍ୟାଜଳ ପ୍ରବାହିତ ହେଉଥିବାରୁ ରାସ୍ତାର ଚିହ୍ନବର୍ଣ୍ଣ ଆଦୌ ଜଣାପଡ଼ୁନାହିଁ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ିମୋଟର ଅଟକି ରହିଛି। ଖବର ପାଇ ବ୍ରହ୍ମପୁର ଜାତୀୟ ରାଜପଥ ପ୍ରାଧିକରଣର ଯନ୍ତ୍ରୀ, ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଏବଂ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧିକାରୀ ପି.କେ. ବାଲିକାନା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଗଛ ଓ ମାଟି ଅତଡ଼ା ହଟାଇ ରାସ୍ତା ସଫା କରିବା କାର୍ଯ୍ୟ ଜାରି ରଖିଛନ୍ତି।

Dharitri – Odisha’s No.1 Odia Daily

Share