ଦୁଇଟି ପର୍ଯ୍ୟାୟରେ ରାଜ୍ୟ ସଭା ଭୋଟ: ୨୪ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ହେବ। ରାଜ୍ୟ ସଭା ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ, ଏନ୍‌.ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରିଛି। ଫଳରେ ଏହି ୩ଟି ଆସନ ଲାଗି ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ୨୪ରେ ଏଥିନିମନ୍ତେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ମେ’ ୩୧ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ, ଜୁନ ପହିଲାରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୩ରେ ପ୍ରତ୍ୟାହାର ସମୟ ଧାର୍ଯ୍ୟ ହୋଇଛି। ଜୁନ ୧୦ରେ ଭୋଟ ଗ୍ରହଣ କରାଯିବ। ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ମତଦାନ କରାଯାଇ ଗଣତି ପରେ ଅପରାହ୍ନ ୫ଟାରେ ଫଳ ଘୋଷଣା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।

ସେହିଭଳି ରାଜ୍ୟ ସଭା ଏମ୍‌ପି ସୁବାସ ସିଂ କଟକ ମେୟର ହେବା ପରେ ତାଙ୍କ ଆସନରେ ଉପନିର୍ବାଚନ ଜୁନ ୧୩ରେ ହେବ। ଜୁନ ୨ ଯାଏ ନାମାଙ୍କନପତ୍ର ଦାଖଲ, ୩ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୬ରେ ପ୍ରତ୍ୟାହାର ପରେ ୧୩ରେ ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ଭୋଟ ଗ୍ରହଣ ହେବ। ସେହିଦିନ ଅପରାହ୍ନ ୫ଟାରେ ଗଣତି ପରେ ଫଳ ଘୋଷଣା କରାଯିବ ବୋଲି ମଧ୍ୟ ସେ କହିଛନ୍ତି।