କୁଚିଣ୍ଡାରେ କଂଗ୍ରେସ, ଭାଜପାର ୧୨ଘଣ୍ଟିଆ ବନ୍ଦ

କୁଚିଣ୍ଡା,୪।୧୧(ଡି.ଏନ.ଏ.): ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ବେଳେ କଂଗ୍ରେସ ନେତାଙ୍କୁ ଆକ୍ରମଣ ପ୍ରତିବାଦରେ ବୁଧବାର ଭାଜପା ଓ କଂଗ୍ରେସ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ସକାଳ ୬ଟାରୁ ନେତା ଓ କର୍ମୀମାନେ ପିକେଟିଂ କରି ଦୋକାନ ବଜାର, ଯାନବାହନ ଚଳାଚଳ, ସମସ୍ତ ସରକାରୀ ବେସରକାରୀ ଅଫିସ, ସ୍କୁଲ, କଲେଜ, ବ୍ୟାଙ୍କ, ପୋଷ୍ଟ ଅଫିସ ବନ୍ଦ କରିଥିଲେ। ଭାଜପା ଓ କଂଗ୍ରେସ କର୍ମୀମାନେ ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ପୂର୍ତ୍ତ ବିଭାଗ ବଙ୍ଗଳାରେ ଥିବା ମନ୍ତ୍ରୀ ଟୁକୁନି ସାହୁଙ୍କୁ ସକାଳ ୮ରୁ ଦିନ ୧୨ଟା ପର୍ଯ୍ୟନ୍ତ ଘେରାଉ କରି ରଖିଥିଲେ। ପରେ ସେମାନେ ଗେଟ୍‌ ଆଗରେ ଧାରଣା ଦେବାରୁ ମନ୍ତ୍ରୀ ଦୀର୍ଘ ୪ଘଣ୍ଟା ଧରି ବାହାରିପାରି ନ ଥିଲେ। ପରେ ଆନ୍ଦୋଳନକାରୀ ଭାଜପାର ପୂର୍ବତନ ବିଧାୟକ ରବି ନାରାୟଣ ନାଏକ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝି ଓ କଂଗ୍ରେସର ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆଙ୍କ ସମେତ ଉଭୟ ଦଳର ନେତା ଓ କର୍ମୀଙ୍କୁ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖିଥିଲା। ଅପରାହ୍ନ ପ୍ରାୟ ୨ଟା ବେଳେ ଅତିରିକ୍ତ ଏସ୍‌ପି ତପନ ମହାନ୍ତି ୧୫ଦିନ ମଧ୍ୟରେ ଆକ୍ରମଣକାରୀଙ୍କୁ ଗିରଫ କରିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଦିନ ୧୨ଟା ପରେ ମନ୍ତ୍ରୀ ସାହୁ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ବାହାରିଥିଲେ।