ଏଇ ଭାରତରେ

ଛତୁ ଚାଷ ରୋଜଗାରର ବାଟ ଦେଖାଉଥିବା ବେଳେ ଛତୁ କଫି ଷ୍ଟାର୍ଟଅପ୍‌ ଏବେ ଚର୍ଚ୍ଚାର ବିଷୟ ହୋଇଛି। କେରଳର ଲାଲୁ ଥୋମାସ ଛତୁ ମିଶ୍ରିତ କଫି ନୂଆ କରି କୋଲାମସ୍ଥିତ କୃଷିବିଜ୍ଞାନ କେନ୍ଦ୍ର ସହଯୋଗରେ ତିଆରି କରିଛନ୍ତି। ସେ ସଂଯୁକ୍ତ ଆରବ ରାଷ୍ଟ୍ରରେ ଜଣେ ସେଫ୍‌ ଭାବେ କାର୍ଯ୍ୟ କରୁଥିଲେ। ସେଠାରେ ୧୫ ବର୍ଷ ରହିବା ପରେ ଭାରତ ଫେରି ଛତୁ ଚାଷ ଆରମ୍ଭ କରିଥିଲେ। କେବଳ ଛତୁ ଉତ୍ପାଦନ କରି ସେଥିରୁ ଅଧିକ ଲାଭ ପାଇବା କଷ୍ଟକର ବୋଲି ଅନୁଭବ କରିବା ପରେ ସେ ଏଥିରୁ ଅନ୍ୟ କିଛି ଉତ୍ପାଦ ପ୍ରସ୍ତୁତ କରିବା ଚିନ୍ତା କରିଥିଲେ। ପରେ ସେ ‘ସେଫ୍‌ ବେ’ ଷ୍ଟାର୍ଟଅପ୍‌ ଗଠନ କରି ଛତୁ କଫି ବିକ୍ରି କରୁଛନ୍ତି। ଛତୁ ଓ କଫି ମିଶ୍ରଣ (୭୦ ପ୍ରତିଶତ ଛତୁ ଓ ୩୦% କଫି)କୁ ପାଉଡର କରିବା ପରେ ଏଥିରେ ପାନୀୟ ତିଆରି କରୁଛନ୍ତି। ଆମେ ବଜାରରେ ପିଉଥିବା କଫିଠାରୁ ଏହା କୌଣସି ଗୁଣରେ ବି କମ୍‌ ନୁହେଁ। ସାଧାରଣତଃ କଫି ଯେମିତି ତିଆରି କରାଯାଏ ଏହାକୁ ମଧ୍ୟ ସେଭଳି କରାଯାଇପାରିବ। ଏହା ବ୍ୟତୀତ ଏହାକୁ ବିନା କ୍ଷୀର କିମ୍ବା ଚିନିରେ କେବଳ ଉଷୁମ ପାଣିରେ କରାଯାଇପାରୁଛି। ଲାଲୁ ୫ ପ୍ରକାର ଛତୁକୁ ଧୋଇ ଶୁଖାଇ ତାହାକୁ ସୌର ଚାଳିତ ମେଶିନରେ ପାଉଡର କରୁଛନ୍ତି। ଏସବୁ ଛତୁ ସେ ନିଜେ ଉତ୍ପାଦନ କରୁଛନ୍ତି ଓ କଫି ବାହାରୁ ଆଣୁଛନ୍ତି। ଏହା ମଧ୍ୟ ସ୍ବାସ୍ଥ୍ୟବର୍ଦ୍ଧକ ବୋଲି କାଉନ୍‌ସିଲ ଫର୍‌ ଫୁଡ ଆଣ୍ଡ ରିସର୍ଚ୍ଚ ଡେଭଲପମେଣ୍ଟ (ସିଏଫ୍‌ଆର୍‌ଡି) ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଛି। ଏହି କଫି ମାର୍ଚ୍ଚ ୨୦୨୩ରୁ ଦେଶର ବିଭିନ୍ନ ସ୍ଥାନରେ ଉପଲବ୍ଧ ହେବ ବୋଲି କହନ୍ତି ଲାଲୁ।