ଶିକ୍ଷୟିତ୍ରୀଙ୍କ ବୟସ ୪୮। କିନ୍ତୁ ସେ ପଢ଼ାଉନ୍ତି ତାଙ୍କଠାରୁ ଅଧିକ ବୟସ୍କା ମହିଳାଙ୍କୁ। ଏମିତି ଏକ ଶିକ୍ଷାଦାନ କେନ୍ଦ୍ର ଚାଲିଛି ଗୁଜରାଟ ସୁରଟରେ। ଏଠାରେ ବୀଣା କଳାଥିୟା ୧୨୦ ଜଣ ମହିଳାଙ୍କୁ ପ୍ରତିଦିନ ଅପରାହ୍ନ ୩ଟାରୁ ୫ଟା ଯାଏ ପଢ଼ାଇ ସାକ୍ଷର କରିବାରେ ଲାଗିଛନ୍ତି। ସବୁଠୁ ବଡ଼ କଥା ହେଉଛି ବୀଣା ଓ ତାଙ୍କ ଭଉଣୀ ମୁଖବାସ( ମାଉଥ୍ ରିଫ୍ରେସର) ବିକ୍ରି କରି ଯାହା ରୋଜଗାର କରୁଛନ୍ତି ସେଥିରେ ମହିଳାଙ୍କ ପାଇଁ ଖାତା, କଲମ, ପେନ୍ସିଲ ଆଦି କିଣୁଛନ୍ତି। କହିବାକୁ ଗଲେ ବୀଣା ତାଙ୍କ ନିଜ ଖର୍ଚ୍ଚରେ ପାଠଶାଳାର ପରିଚାଳନା କରୁଛନ୍ତି। ସେ କୌଣସି ବିଶ୍ୱବିଦ୍ୟାଳୟ କିମ୍ବା ପ୍ରଶିକ୍ଷଣ କେନ୍ଦ୍ରରେ ପଢ଼ିନାହାନ୍ତି। କିନ୍ତୁ ଘରେ ତାଙ୍କ ପିଲାଙ୍କୁ ପଢ଼ାଇବା ସମୟରେ ଏଭଳି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ପିଲାମାନେ ବଡ଼ ହୋଇଯିବା ପରେ ବୀଣା ସୁରଟର ରାସ୍ତା ଆଲୋକରେ ପ୍ରଥମେ ଜଣେ ଦୁଇଜଣ ମହିଳାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ପରେ ମହିଳାଙ୍କ ସଂଖ୍ୟା ବଢ଼ିଚାଲିଲା ଓ ନଅ ବର୍ଷ ପରେ ଏବେ ମହିଳାଙ୍କ ସଂଖ୍ୟା ୧୨୦ରେ ପହଞ୍ଚିଛି। ଏବେ ଆଉ ରାସ୍ତାରେ ନ ପଢ଼ାଇ ଏକ ବରିଷ୍ଠ ନାଗରିକ କେନ୍ଦ୍ରର ଘରେ ସେମାନଙ୍କୁ ପଢ଼ାଉଛନ୍ତି।


