ଜଳସେଚନର ସୁପରିଚାଳନା ପାଇଁ ପ୍ରଭାରୀ ନିୟୋଜିତ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ରାଜ୍ୟରେ ଜଳସେଚନର ସୁପରିଚାଳନା ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ‘ଜଳ ପ୍ରଭାରୀ’ଙ୍କୁ ନିୟୋଜିତ କରାଯାଇଛି। ସୋମବାର ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ୩୦ ଜିଲା ପାଇଁ ଜଳ ପ୍ରଭାରୀ ଭାବେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଏମାନେ ନିଜ ଜିଲାରେ ଜଳ ସମ୍ପଦର ସୁବିନିଯୋଗ ଓ ଜଳସେଚନ ବ୍ୟବସ୍ଥା ବୁଝିବେ। ଏଥିସହ ପ୍ରତି ମାସରେ ଥରେ ଜିଲା ଗସ୍ତ କରି ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ ତଥା ତଦାରଖ କରିବେ। ସମ୍ପୃକ୍ତ ଜିଲାରେ ଜଳସେଚନର ବ୍ୟବସ୍ଥା, ପ୍ରକଳ୍ପର ସ୍ଥିତି ଓ ଆଗକୁ କି କି କାର୍ଯ୍ୟ କରାଯିବାକୁ ଅଛି, ସେ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବେ। ରାଜ୍ୟ ସରକାରଙ୍କ ‘୫-ଟି’ ଉପକ୍ରମ ଓ ‘ମୋ ସରକାର’ କାର୍ଯ୍ୟକ୍ରମ ଆଧାରରେ ଜଳର ସୁପରିଚାଳନା, ଜଳସେଚନ ପ୍ରକଳ୍ପର ଅଗ୍ରଗତି ଓ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବା ସମ୍ପର୍କରେ ଜଳ ପ୍ରଭାରୀମାନେ କାର୍ଯ୍ୟ କରିବେ। ପ୍ରତି ୨ମାସରେ ଥରେ ନିର୍ଦ୍ଦିଷ୍ଟ ଦିନରେ ଜଳ ପ୍ରଭାରୀଙ୍କ ବୈଠକ ଅନୁଷ୍ଠିତ ହେବ। ସେହିଭଳି ୨ମାସରେ ଥରେ କାର୍ଯ୍ୟ ବିବରଣୀ ଜଳ ସମ୍ପଦ ବିଭାଗ ମୁଖ୍ୟଙ୍କୁ ପ୍ରଦାନ କରିବେ। ଜଳ ସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।