ଭୁବନେଶ୍ୱରରେ ଚୋରା ବନ୍ଧୁକ ର଼୍ୟାକେଟ ଠାବ: ୨ ବେପାରୀ ଗିରଫ, ୮ ବନ୍ଧୁକ, ୧୨ ଗୁଳି ଜବତ

ଭୁବନେଶ୍ୱର,୧୬ା୧୦(ବ୍ୟୁରୋ) : କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଖୋର୍ଦ୍ଧା ଜିଲା ଚନ୍ଦକା ଅଞ୍ଚଳରେ ଚଢ଼ାଉ କରି ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିବା ସହ ଏକ ବଡ଼ ର଼୍ୟାକେଟକୁ ଠାବ କରିଛି। ଗିରଫ ଦୁଇ ବେପାରୀ ହେଲେ ରାକେଶ ଚନ୍ଦ୍ର ଜେନା ଓ ବିକାଶ ବେହେରା। ଯାଞ୍ଚବେଳେ ୮ ବନ୍ଧୁକ ଓ ୧୨ ଗୁଳି ମିଳିଛି। ଏଥିମଧ୍ୟରେ ଦୁଇଟି ୭ ଏମ୍‌ଏମ୍‌ର ପିସ୍ତଲ ସହ ମାଗାଜିନ, ଗୋଟିଏ ତାଇଓ୍ବାନ୍‌ ରିଭଲଭର, ୪ ଦେଶୀ ରିଭଲଭର୍‌ (କଟା) ଓ ଗୋଟିଏ ଏସ୍‌ବିଏମ୍‌ଏଲ୍‌ ବନ୍ଧୁକ ରହିଥିବାବେଳେ ଗୋଟିଏ ୭.୬୨ ଏମ୍‌ଏମ୍‌ର ଏସ୍‌ଏଲ୍‌ଆର୍‌ ଗୁଳି ରହିଛି। ଏନେଇ ଏସ୍‌ଟିଏଫ୍‌ କେସ୍‌ ନଂ.୨୫/୨୦ ଦଫା ୨୫/୨୭ ଆମର୍‌ସ ଆକ୍ଟ ଲଗାଇ ଦୁଇ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଚୋରା ବନ୍ଧୁକ ର଼୍ୟାକେଟର ଅଧିକ ଖୋଳତାଡ଼ କରିବା ସହ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ପଇଁ ଏସ୍‌ଟିଏଫ୍‌ ସେମାନଙ୍କୁ ୫ଦିନିଆ ରିମାଣ୍ଡରେ ଆଣିବ। ଏଥିଲାଗି ଖୁବ୍‌ଶୀଘ୍ର କୋର୍ଟରେ ଆବେଦନ କରାଯିବ। ଏହାସହ ଅନ୍ୟଜଣଙ୍କୁ ଧରିବା ପାଇଁ ଏସ୍‌ଟିଏଫ୍‌ ଚଢାଉ ଜାରି ରଖିଥିବା କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏସ୍‌ଟିଏଫ୍‌ କାର୍ଯ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।