ଏଣିକି ବ୍ରହ୍ମପୁରରେ ବାଧ୍ୟତାମୂଳକ ହେଲା ମାସ୍କ, ନ ପିନ୍ଧିଲେ ମିଳିବନି ପେଟ୍ରୋଲ

ବ୍ରହ୍ମପୁର ଅଫିସ,୧୯।୭: କଟକ ଭୁବନେଶ୍ୱର ସମେତ ସମ୍ବଲପୁର ପରେ ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) କୋଭିଡ୍‌ ନିୟମକୁ କଡ଼ାକଡ଼ି କରିଛି। ଏଣିକି କରୋନା ରୋକିବାକୁ ବ୍ରହ୍ମପୁରରେ ମଧ୍ୟ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ଏବେ ଦୈନିକ ହଜାରେ ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏହି ନିୟମ ଲାଗୁ ହୋଇଛି।
ବିଏମ୍‌ସିର ଗାଇଡଲାଇନ ଅନୁଯାୟୀ, ଏଣିକି ସର୍ବ ସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସପିଂ ମଲ, ଦୋକାନରେ ନୋ ମାସ୍କ ନୋ ଏଣ୍ଟି, ନୋ ମାସ୍କ ନୋ ଗୁଡସ ଲେଖାଯିବ । ମାସ୍କ ନ ପିନ୍ଧିଲେ ପେଟ୍ରୋଲ ମିଳିବନି । ସରକାରୀ ଓ ଘରୋଇ ଅଫସରେ ମଧ୍ୟ ମାସ୍କ ପିନ୍ଧିବାକୁ ପଡ଼ିବ । ଧର୍ମାନୁଷ୍ଠାନ, ପାର୍କ ଭଳି ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଉଲ୍ଲଙ୍ଘନ କଲେ ଜରିମାନା ଦେବାକୁ ପଡ଼ିବ ବୋଲି କୁହାଯାଇଛି।