୭ ଦିନରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ଟପିବା ଆଶଙ୍କା

ନୂଆଦିଲ୍ଲୀ, ୨୧।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୫୫ହଜାର ୧୯୧ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୨୮ ହଜାର ୮୪ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୭ ହଜାର ୧୪୮ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ୫୮୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଇତିମଧ୍ୟରେ ଦେଶରେ ୭ଲକ୍ଷ ୨୪ ହଜାର ୫୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୪ ଲକ୍ଷ ୨ ହଜାର ୫୨୯ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏବେ ପ୍ରତି ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହାରା ହାରି ୪୦ ହଜାର ପାଖାପାଖି ରହୁଛି। ଏହି ଧାରା ଜାରି ରହିଲେ ୭ ଦିନ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ଛୁଇଁବାର ଆଶଙ୍କା ଥିବା କୁହାଯାଉଛି। ଇତିମଧ୍ୟରେ ଜୁଲାଇ ୨୦ ସୁଦ୍ଧା ଦେଶରେ କୋଟିଏ ୪୩ ଲକ୍ଷ ୮୧ ହଜାର ୩୦୩ ଜଣଙ୍କ ନମୁନା ପରୀକ୍ଷା ହୋଇସାରିଛି। ଜୁଲାଇ ୨୦ରେ ୩ ଲକ୍ଷ ୩୩ ହଜାର ୩୯୫ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବ ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି।

Share