Categories: ଖେଳ

ଏବେ ଭାରତ-ପାକିସ୍ତାନ ସିରିଜ୍‌ ସମ୍ଭବ ନୁହେଁ

ଲାହୋର,୧୩।୯: ଏବେ ଦୁଇ ପଡ଼ୋଶୀ ଦେଶ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍‌ ଖେଳାଯିବା ସମ୍ଭବ ନୁହେଁ। ନୂଆ କରି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଚେୟାରମ୍ୟାନ ଦାୟିତ୍ୱ ପାଇଥିବା ପୂର୍ବତନ ପାକିସ୍ତାନ କ୍ରିକେଟର ରମିଜ ରାଜା ଏଭଳି କହିଛନ୍ତି। ସୋମବାର ସର୍ବସମ୍ମତି କ୍ରମେ ପିସିବି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି କ୍ରିକେଟରରୁ ଭାଷ୍ୟକାର ପାଲଟିଥିବା ୫୯ ବର୍ଷୀୟ ରମିଜ।

ଏହି ଅବସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜାଙ୍କୁ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ କ୍ରିକେଟ ସିରିଜ୍‌ ସମ୍ଭାବନା ଉପରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ରମିଜ କହିଥିଲେ, ବର୍ତ୍ତମାନ ଏହା ସମ୍ଭବ ନୁହେଁ। କାରଣ ରାଜନୀତି କାରଣରୁ ଦେଶରେ କ୍ରୀଡ଼ା ଭିତ୍ତିଭୂମି ନଷ୍ଟ ହୋଇଯାଇଛି। ଏ ଦିଗରେ ଆଗେଇବା ପାଇଁ ତରତର ହେବା ଦରକାର ନାହିଁ। ଏବେ ଆମକୁ ଘରୋଇ ଓ ସ୍ଥାନୀୟ କ୍ରିକେଟ ଉପରେ ଗୁରୁତ୍ୱ ଦେବା ଦରକାର। ଉଲ୍ଲେଖଯୋଗ୍ୟ, ୧୯୮୪ରୁ ୧୯୯୭ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ଥିଲେ ରମିଜ। ୧୯୯୨ ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟ ରମିଜ ୫୭ ଟେଷ୍ଟ ଗୋଟିଏ ଶତକ ସହ ୨,୮୩୩ ରନ୍‌ ଓ ୧୯୮ ଦିନିକିଆ ମ୍ୟାଚ୍‌ରେ ୫.୮୪୧ ରନ୍‌ କରିଥିଲେ। ତାଙ୍କ ଦିନିକିଆ କ୍ୟାରିୟରରେ ୯ଟି ଶତକ ରହିଛି।

Share