Categories: ଜାତୀୟ

କୋର୍ଟରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ପ୍ରଦାନ ଜରୁରୀ, ମୌସୁମୀ ଅଧିବେଶରେ ୭୧ ହେବ ଆଇନ ରଦ୍ଦ…

ଜୟପୁର,୧୬।୭ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଶନିବାର ଜୟପୁରରେ କହିଛନ୍ତି ଯେ ନିମ୍ନ ଅଦାଲତ ଏବଂ ହାଇକୋର୍ଟରେ ଆଞ୍ଚଳିକ ତଥା ସ୍ଥାନୀୟ ଭାଷାକୁ ଗୁରୁତ୍ୱପ୍ରଦାନ କରାଯିବା ଉଚିତ। ସେ କହିଛନ୍ତି ଯେ ମାତୃଭାଷାକୁ ଇଂଲିଶ୍‌ଠାରୁ କମ ବିବେଚନା କରାଯିବା ଉଚିତ ନୁହେଁ। ସଂସଦର ମୌସୁମୀ ଅଧିବେଶନରେ ୭୧ଟି ଆଇନକୁ ରଦ୍ଦ କରାଯିବ ବୋଲି ସେ କହିଛନ୍ତି।

ଜୟପୁରରେ ଅନୁଷ୍ଠିତ ଅଲ ଇଣ୍ଡିଆ ଆଇନ ସେବା ପ୍ରାଧିକରଣର ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ରିଜିଜୁ ଏହା କହିଛନ୍ତି। ସେ କହିଛନ୍ତି ଯେ ସୁପ୍ରିମକୋର୍ଟରେ ବିତର୍କ ଏବଂ ରାୟ ଇଂଲିଶ୍‌ରେ କରାଯାଉଛି। କିନ୍ତୁ ହାଇକୋର୍ଟ ଏବଂ ନିମ୍ନ ଅଦାଲତରେ ଆଞ୍ଚଳିକ ଏବଂ ସ୍ଥାନୀୟ ଭାଷାକୁ ପ୍ରାଥମିକତା ଦିଆଯିବା ଉଚିତ। ଜଣେ ଇଂଲିଶ୍‌ ଭାଷାଭାଷୀ ଆଇନଜୀବୀ ଅଧିକ ସମ୍ମାନ, ଅଧିକ ମାମଲା କିମ୍ବା ଅଧିକ ପ୍ରାପ୍ୟ ପାଇବା ମତ ସହ ସେ ସହମତ ନୁହଁନ୍ତି ବୋଲି କହିଛନ୍ତି। କୌଣସି ଅଦାଲତ କେବଳ ସୁବିଧା ପାଇଁ ହେବା ଆବେଶ୍ୟକ ନୁହେଁ , ସମସ୍ତଙ୍କ ପାଇଁ ନ୍ୟାୟର ଦ୍ୱାର ସମାନ ଭାବରେ ଖୋଲା ରହିବା ଜରୁରୀ।

ଦେଶରେ ବିଚାରାଧିନ ବିଭିନ୍ନ ମାମଲାର ସଂଖ୍ୟା ବୃଦ୍ଧି ନେଇ ଚିନ୍ତା ପ୍ରକଟ କରି ସେ କହିଛନ୍ତି ଯେ ଏଭଳି ମାମଲା ପାଞ୍ଚ କୋଟି ହେବ, କିନ୍ତୁ ନ୍ୟାୟପାଳିକା ଏବଂ ସରକାରଙ୍କ ସମନ୍ବୟ ରକ୍ଷା କରି ମାମଲାଗୁଡ଼ିକର ସଂଖ୍ୟାକୁ ହ୍ରାସ କରାଯାଇପାରିବ। ଲୋକମାନଙ୍କୁ ନ୍ୟାୟ ପ୍ରଦାନର ଲକ୍ଷ୍ୟ ହାସଲ କରିବା ପାଇଁ କେନ୍ଦ୍ର ସରକାର ଏବଂ ନ୍ୟାୟପାଳିକା ମଧ୍ୟରେ ଏକ ଭଲ ସମନ୍ବୟ ରହିବା ଜରୁରୀ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

Share