ଜାତିସଂଘର ୧୭ ଲକ୍ଷ୍ୟ ହାସଲକୁ ଗୁରୁତ୍ୱ

ଢେଙ୍କାନାଳ ଅଫିସ, ୫।୧୧: ଓଡ଼ିଶାର ଦୀର୍ଘସ୍ଥାୟୀ ବିକାଶ ପାଇଁ ୨୦୩୦ ସୁଦ୍ଧା ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ୧୭ ଲକ୍ଷ୍ୟ ହାସଲ ନିମନ୍ତେ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏହାକୁ ଜିଲାସ୍ତରରେ କିଭଳି ହାସଲ କରାଯାଇପାରିବ, ସେ ନେଇ ଦୁଇଦିନିଆ ଜିଲାସ୍ତରୀୟ କର୍ମଶାଳା ଢେଙ୍କାନାଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ା ଜିଲା ପ୍ରଶାସନ ଓ ଯୋଜନା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାକୁ ଜିଲାପାଳ ସରୋଜ କୁମାର ସେଠୀ ଉଦ୍‌ଘାଟନ କରିଥିଲେ।
ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ମନୀଷ ଅଗ୍ରୱାଲ ଆଲୋଚନାରେ ଭାଗନେଇ କହିଲେ, ପ୍ରଥମେ ସ୍ଥାନୀୟ ଅଞ୍ଚଳର ସମସ୍ୟା ଚିହ୍ନଟ କରି ଏହାର ସମାଧାନ କରିବାକୁ ପଡ଼ିବ। ଏହାପରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ଦିଗରେ ଆବଶ୍ୟକ ପଦକ୍ଷେପ ନେଲେ ସାମଗ୍ରିକ ବିକାଶ ହୋଇପାରିବ। ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତନ୍ମୟ କୁମାର ଦରୱାନ, ମାଷ୍ଟର ଟ୍ରେନର ସରୋଜ ଦାସ ପ୍ରମୁଖ ୨୦୩୦ ସୁଦ୍ଧା ଦୀର୍ଘସ୍ଥାୟୀ ବିକାଶ ପାଇଁ ସ୍ଥିର ହୋଇଥିବା ଲକ୍ଷ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜିଲା ଯୋଜନା ଓ ପର୍ଯ୍ୟାଲୋଚନା ବିଭାଗ ଉପନିର୍ଦ୍ଦେଶକ ସରୋଜ କୁମାର ସେଠୀ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଯୋଜନା ଓ ସଂଯୋଜନ ବିଭାଗର ଏସ୍‌ଡିଜି ସେଲ ସହକାରୀ ନିର୍ଦ୍ଦେଶିକା ଡ. ଉପାସନା ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। କର୍ମଶାଳାରେ ୧୫ ବିଭାଗର ଜିଲାସ୍ତରୀୟ ଅଧିକାରୀ, ୮ ବ୍ଲକର ବିଡିଓ, ସରପଞ୍ଚ, ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା, ଡିପିଏମ୍‌ୟୁ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗଦେଇଥିଲେ। ଜାତିସଂଘ ପକ୍ଷରୁ ନିର୍ଦ୍ଧାରଣ ୧୭ଟି ଲକ୍ଷ୍ୟ କିଭଳି ପୂରଣ ହୋଇପାରିବ, ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ଯୋଜନା ଓ ସଂଯୋଜନ ବିଭାଗର ସାମର୍ଥ୍ୟ ବୃଦ୍ଧି ବିଶେଷଜ୍ଞ ସରୋଜ ଦାସ ପରିଚାଳନାରେ ଅର୍ଥନୀତି ବିଶେଷଜ୍ଞ ପ୍ରଦୀପ ପଣ୍ଡା, ସ୍ବାସ୍ଥ୍ୟ ମିଶନ ବରିଷ୍ଠ ପରାମର୍ଶଦାତା ମିଥୁନ କର୍ମକାର, ଦୋଳଗୋବିନ୍ଦ ପଣ୍ଡା ପ୍ରମୁଖ ତାଲିମ ଦେଇଥିଲେ।