ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ ଜୀବନ ପ୍ରଦାନ କରେ। ତେବେ ଖୋଲା ସାମୁଦ୍ରିକ ପରିବେଶ ଏବଂ ଗଭୀର ହ୍ରଦ (ଛଅ ମିଟରରୁ ଅଧିକ) ପରି ଜଳଉତ୍ସ ବ୍ୟତୀତ ସନ୍ତସନ୍ତିଆ ଅଞ୍ଚଳ, ପଙ୍କିଳଭୂମି, ବନ୍ୟାଞ୍ଚଳ, ଲୁଣା ଜଙ୍ଗଲ, ନଦୀମୁହାଣ ଏବଂ ହ୍ରଦ ଆଦି ବିବିଧ ଉତ୍ସକୁ ଆର୍ଦ୍ରଭୂମି (ୱେଟ୍ଲାଣ୍ଡ) ରୂପେ ଆଖ୍ୟାୟିତ କରାଯାଏ। ପୃଥିବୀର ସର୍ବାଧିକ ଉତ୍ପାଦନକ୍ଷମ ଏବଂ ମୂଲ୍ୟବାନ ପରିସଂସ୍ଥା ମଧ୍ୟରେ ଆର୍ଦ୍ରଭୂମି ପରିଗଣିତ ହୁଏ, ଯାହା ଜଳ ଏବଂ ଭୂମି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଭାବରେ କାର୍ଯ୍ୟସାଧନ କରେ। ଆର୍ଦ୍ରଭୂମିଗଡ଼ିକର ପରିବେଶଗତ, ଆର୍ଥିକ ଏବଂ ସାମାଜିକ ଗୁରୁତ୍ୱ ରହିଛି। ଫଳରେ ସହନୀୟ ବିକାଶ ପାଇଁ ଆର୍ଦ୍ରଭୂମି ଅପରିହାର୍ଯ୍ୟ । ବିଶ୍ୱରେ ଆର୍ଦ୍ରଭୂମିଗୁଡ଼ିକର ସଂରକ୍ଷଣ ନିମନ୍ତେ ୧୯୮୧ରେ ଇରାନ୍ର ରାମ୍ସାଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସମ୍ମିଳନୀର ପରିଭାଷା ଆର୍ଦ୍ରଭୂମିକୁ ”ସ୍ଥିର କିମ୍ବା ପ୍ରବାହିତ, ମଧୁର, ଅର୍ଦ୍ଧ-ଲବଣାକ୍ତ କିମ୍ବା ଲବଣାକ୍ତ“ ଜଳ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରେ, ଯାହା ସ୍ଥାୟୀ କିମ୍ବା ଋତୁକାଳୀନ ଭାବରେ ଜଳ ଆଚ୍ଛାଦିତ ହୋଇଥାଏ। ବିଶ୍ୱ ଉତ୍ତାପ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନର ସମସ୍ୟା ପରିପ୍ରେକ୍ଷୀରେ ଆର୍ଦ୍ରଭୂମିଗୁଡ଼ିକ ହେଉଛନ୍ତି ପ୍ରକୃତି-ଆଧାରିତ ଗୁରୁତ୍ୱପୂର୍ଣ୍ଣ ସମାଧାନର ପନ୍ଥା, ଯାହା ବିଶାଳ ଅଙ୍ଗାରକ ଭଣ୍ଡାର (କାର୍ବନ ସିଙ୍କ) ଭାବରେ କାର୍ଯ୍ୟ ସମ୍ପାଦନ ଏବଂ ଅତ୍ୟାବଶ୍ୟକ ଅନୁକୂଳନ ସେବା ପ୍ରଦାନ କରନ୍ତି।
ଆର୍ଦ୍ରଭୂମି ନିର୍ବାହ କରୁଥିବା ବିବିଧ ପରିବେଶୀୟ କାର୍ଯ୍ୟ ମଧ୍ୟରେ ଏକ ପ୍ରମୁଖ ଭୂମିକା ହେଉଛି ଜଳ ନିୟନ୍ତ୍ରଣ। ପ୍ରାକୃତିକ ସ୍ପଞ୍ଜ ଭାବରେ କାର୍ଯ୍ୟ କରି ସେମାନେ ଅତିରିକ୍ତ ବର୍ଷାଜଳ ଶୋଷଣ କରନ୍ତି, ବନ୍ୟା ତୀବ୍ରତାରେ ହ୍ରାସ ଘଟାନ୍ତି ଏବଂ ଶୁଷ୍କ ସମୟରେ ଜଳ ଉତ୍ସ ଭାବରେ ସହାୟତା ପ୍ରଦାନ କରି ଜଳୀୟ ସନ୍ତୁଳନ ବଜାୟ ରଖନ୍ତି। ଏଗୁଡ଼ିକ ଜୈବବିବିଧତା ପାଇଁ ଆକର୍ଷଣୀୟ ସ୍ଥାନ, ଯେଉଁଠି ସ୍ଥାନୀୟ ଓ ପ୍ରବାସୀ ପକ୍ଷୀ, ଉଭୟଚର ପ୍ରାଣୀ, ମାଛ ଏବଂ ବିରଳ ଉଦ୍ଭିଦ ଜାତି ସମେତ ବିଭିନ୍ନ ପ୍ରକାରର ଉଦ୍ଭିଦ ତଥା ପ୍ରାଣୀଙ୍କ ନିମନ୍ତେ ବାସସ୍ଥଳୀ ଉପଲବ୍ଧ ହୁଏ। ଅନେକ ବିପଦଗ୍ରସ୍ତ ଜୀବଜାତି ବଞ୍ଚତ୍ବା ନିମନ୍ତେ ସମ୍ପୂର୍ଣ୍ଣ ରୂପେ ଆର୍ଦ୍ରଭୂମି ପରିସଂସ୍ଥା ଉପରେ ନିର୍ଭରଶୀଳ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଜଳ ବିଶୋଧନ। ଆର୍ଦ୍ରଭୂମି ଜଳରୁ ପ୍ରଦୂଷକ, ପଙ୍କିଳ ପଦାର୍ଥ ଏବଂ ଅତିରିକ୍ତ ପୋଷାକ ପଦାର୍ଥକୁ ଛାଣିଥାଏ, ଯାହା ପ୍ରାକୃତିକ ଭାବରେ ଜଳର ଗୁଣବତ୍ତାରେ ଉନ୍ନତି ଘଟାଏ ଏବଂ ମହଙ୍ଗା କୃତ୍ରିମ ବିଶୋଧନ ପ୍ରଣାଳୀର ଆବଶ୍ୟକତାକୁ ହ୍ରାସ କରେ। ଜଳବାୟୁ ନିୟନ୍ତ୍ରଣରେ ଆର୍ଦ୍ରଭୂମିର ଭୂମିକା ରହିଛି। ଏଗୁଡ଼ିକ ଅଙ୍ଗାରକ ଭଣ୍ଡାର ଭାବରେ କାର୍ଯ୍ୟ କରି ମୃତ୍ତିକା ଏବଂ ଉଦ୍ଭିଦରେ ପ୍ରଚୁର ପରିମାଣର ଅଙ୍ଗାରକ ସଂରକ୍ଷଣ କରନ୍ତି, ଯାହା ଦ୍ୱାରା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳର ହ୍ରାସ ଘଟାଇ ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ସହାୟତା କରନ୍ତି। ଲୁଣା ଜଙ୍ଗଲ ଭଳି ଉପକୂଳବର୍ତ୍ତୀ ଆର୍ଦ୍ରଭୂମି ଅବକ୍ଷୟ, ଘୂର୍ଣ୍ଣିବାତ୍ୟା ଏବଂ ଝଡ଼ ପରି ବିପର୍ଯ୍ୟୟରୁ ଉପକୂଳକୁ ସୁରକ୍ଷା ଦିଅନ୍ତି। ଆର୍ଥିକ ଦୃଷ୍ଟିରୁ ଆର୍ଦ୍ରଭୂମିଗୁଡ଼ିକ ମତ୍ସ୍ୟଚାଷ, କୃଷି, ପର୍ଯ୍ୟଟନ ଏବଂ କାଷ୍ଠ ଓ ଅନ୍ୟାନ୍ୟ କଞ୍ଚାମାଲ ପ୍ରଦାନ ମାଧ୍ୟମରେ ଜୀବିକା ନିର୍ବାହରେ ଯୋଗଦାନ ରଖନ୍ତି। ଅନେକ ଗ୍ରାମୀଣ ସମ୍ପ୍ରଦାୟ ନିମନ୍ତେ ଏସବୁ ଆୟ ଏବଂ ପ୍ରତିପାଳନର ଏକ ପ୍ରାଥମିକ ଉତ୍ସ ରୂପେ ବିବେଚିତ ହୁଅନ୍ତି।
ଏପରି ଗୁରୁତ୍ୱସମ୍ପନ୍ନ ହେବା ସତ୍ତ୍ୱେ, ଆର୍ଦ୍ରଭୂମି ବିଶ୍ୱସ୍ତରରେ ସର୍ବାଧିକ ବିପଦଗ୍ରସ୍ତ ପରିସଂସ୍ଥା ମଧ୍ୟରେ ଅନ୍ୟତମ, ଯାହା ଏକ ଚିନ୍ତାଜନକ ହାରରେ, ଜଙ୍ଗଲ ଅପେକ୍ଷା ତିନିଗୁଣ ଦ୍ରୁତ ଗତିରେ, ଅଦୃଶ୍ୟ ହୋଇଯାଉଛନ୍ତି। ଦ୍ରୁତ ସହରୀକରଣ, ଶିଳ୍ପାୟନ, କୃଷିଜମିର ସମ୍ପ୍ରସାରଣ, ପ୍ରଦୂଷଣ ଏବଂ ଜବରଦଖଲର ପରିଣାମରେ ଆର୍ଦ୍ରଭୂମି ବ୍ୟାପକ ଭାବରେ ଅବକ୍ଷୟିତ। ବିଶ୍ୱସ୍ତରୀୟ ଆକଳନ ଅନୁଯାୟୀ, ୧୯୭୦ ମସିହାରୁ ଏପର୍ଯ୍ୟନ୍ତ ପ୍ରାୟ ୩୫% ଆର୍ଦ୍ରଭୂମିର ଅବନତି ଘଟିସାରିଛି। ଭାରତରେ ଅନେକ ଆର୍ଦ୍ରଭୂମି ଜବରଦଖଲ, ପ୍ରଦୂଷିତ କିମ୍ବା କୃଷି ଅଥବା ସହରାଞ୍ଚଳ ଜମିରେ ପରିଣତ ହୋଇସାରିଛନ୍ତି। ଶିଳ୍ପ ନିର୍ଗତ ଜଳ, ନର୍ଦ୍ଦମା ଏବଂ ପ୍ଲାଷ୍ଟିକ ଅଳିଆରୁ ପ୍ରଦୂଷଣ ସେମାନଙ୍କ ପରିବେଶୀୟ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି। ତାପମାତ୍ରାର ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିକୁ ଅଧିକ ଗମ୍ଭୀର କରୁଛି, ଯେପରି କି ପରିବର୍ତ୍ତିତ ବର୍ଷା ଢାଞ୍ଚା ଏବଂ ସମୁଦ୍ରପତ୍ତନ ବୃଦ୍ଧି ଆର୍ଦ୍ରଭୂମି ପରିସଂସ୍ଥା, ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକୁ ପ୍ରଭାବିତ କରୁଛି। ଭାରତରେ, ରାମସାର୍ ସ୍ବୀକୃତିପ୍ରାପ୍ତ ସ୍ଥଳୀ ସଂଖ୍ୟା ୯୮କୁ ବୃଦ୍ଧି ପାଇଥିଲେ ସୁଦ୍ଧା, ଅନେକ ଛୋଟ ଆର୍ଦ୍ରଭୂମି ଅସୁରକ୍ଷିତ ଏବଂ ନିକୃଷ୍ଟ ଅବସ୍ଥାରେ ରହିଛନ୍ତି। ଏପରି କି କିଛି ସଂରକ୍ଷିତ ଆର୍ଦ୍ରଭୂମି ବାହ୍ୟ, ଆକ୍ରମଣାତ୍ମକ ଜୀବଜାତି, ପୋଷକ ବୃଦ୍ଧି ଏବଂ ଅନିୟନ୍ତ୍ରିତ ପର୍ଯ୍ୟଟନ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ପେସ୍ ଆପ୍ଲିକେଶନ ସେଣ୍ଟରର ଆଟ୍ଲାସ (୨୦୨୧) ମାଧ୍ୟମରେ ଓଡ଼ିଶାରେ ୧୩,୬୬୭ରୁ ଅଧିକ ସଂଖ୍ୟାର ଆର୍ଦ୍ରଭୂମି ଚିହ୍ନଟ ହୋଇଛି, ଯାହାର ପରିଚ଼ାଳନା ନିମନ୍ତେ ରାଜ୍ୟ ସରକାର ୨୦୧୮ରେ ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ଗଠନ କରି ଦାୟିତ୍ୱ ପ୍ରଦାନ କରିଛନ୍ତି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏହି ଆର୍ଦ୍ରଭୂମିଗୁଡ଼ିକର ଭୂମି-ସତ୍ୟାସତ୍ୟ ନିରୂପଣ, ମ୍ୟାପିଂ ଏବଂ ସଂରକ୍ଷଣ ନିମନ୍ତେ କେନ୍ଦ୍ରୀୟ ସଙ୍ଗଠନ ଭାବରେ କାର୍ଯ୍ୟ କରୁଛି, ଯେଉଁଥିରେ ୬ଟି ରାମସାର୍ ସ୍ଥଳୀ ଯଥା ଚିଲିକା ହ୍ରଦ, ଭିତରକନିକା, ସାତକୋଶିଆ ଗଣ୍ଡ, ହୀରାକୁଦ ଜଳଭଣ୍ଡାର, ତାମ୍ପରା ହ୍ରଦ ଏବଂ ଅଂଶୁପା ହ୍ରଦ ମଧ୍ୟ ଅନ୍ତର୍ଭୁକ୍ତ। ଏହି ପ୍ରାଧିକରଣ ଆର୍ଦ୍ରଭୂମି (ସଂରକ୍ଷଣ ଏବଂ ପରିଚାଳନା) ନିୟମାବଳୀ, ୨୦୧୭କୁ କାର୍ଯ୍ୟକାରୀ କରିବା ଏବଂ ଆର୍ଦ୍ରଭୂମିକୁ ପରିବେଶୀୟ ଅବକ୍ଷୟ ପରି ବିପଦରୁ ରକ୍ଷା କରିବା ସହିତ ଜୈବବିବିଧତାର ସଂରକ୍ଷଣ ସୁନିଶ୍ଚିତ କରିବା ନିମନ୍ତେ ଉତ୍ତରଦାୟୀ। ଏହା ପ୍ରାସଙ୍ଗିକ ଯେ ବୃଦ୍ଧି ପାଉଥିବା ପରିବେଶଗତ ଆହ୍ବାନ ଏବଂ ଆର୍ଦ୍ରଭୂମି ପରିସଂସ୍ଥା ଉପରେ ବର୍ଦ୍ଧିତ ମାନବୀୟ ଚାପ ପରିପ୍ରେକ୍ଷୀରେ ପ୍ରାଧିକରଣ ଅଧିକ ସକ୍ରିୟ ଭାବରେ କାର୍ଯ୍ୟ ସମ୍ପାଦନ କରିବା ବାଞ୍ଛନୀୟ। ବିଶେଷକରି, ବିଶ୍ୱତାପନ ଏବଂ ଉପକୂଳରେ ଘୂର୍ଣ୍ଣିଝଡ଼, ବନ୍ୟା, ମରୁଡ଼ି ଏବଂ ସମୁଦ୍ର ପତନ ବୃଦ୍ଧି ଭଳି ପାଣିପାଗ ବିପର୍ଯ୍ୟୟଗୁଡ଼ିକର ବର୍ଦ୍ଧିତ ଘଟଣା ପ୍ରସଙ୍ଗରେ, ଓଡ଼ିଶାରେ ଆର୍ଦ୍ରଭୂମି ସଂରକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ଜଳବାୟୁ ଅନୁକୂଳନ ଏବଂ ପ୍ରଶମନ ରଣନୀତି ଭାବରେ ଉଭାହୋଇଛି। ଏହା ଆର୍ଦ୍ରଭୂମି ସୁରକ୍ଷା ପାଇଁ ସମ୍ପ୍ରଦାୟଭିତ୍ତିକ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ପଦ୍ଧତିଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ବୟନକୁ ଗୁରୁତ୍ୱ ପ୍ରଦାନ କରେ, ଯାହା ଦ୍ୱାରା ପରିବେଶଗତ ଏବଂ ସାମାଜିକ-ଆର୍ଥିକ ଲାଭର ନିରନ୍ତର ପ୍ରବାହ ସୁନିଶ୍ଚିତ ହୋଇପାରିବ। ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନ୍ଜିଟି) ମଧ୍ୟ ଆର୍ଦ୍ରଭୂମି ନିୟମର ଧାରା ୪ ଅନୁଯାୟୀ ଆର୍ଦ୍ରଭୂମିର କଠୋର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଆର୍ଦ୍ରଭୂମିଗୁଡ଼ିକର ଗୁରୁତ୍ୱକୁ ସ୍ବୀକାର କରି ସମ୍ପ୍ରତି ବୈଶ୍ୱିକ, ଜାତୀୟ ଏବଂ ସ୍ଥାନୀୟ ସ୍ତରରେ ଅନେକ ସଂରକ୍ଷଣଜନିତ ପଦକ୍ଷେପମାନ କାର୍ଯ୍ୟକାରୀ ହେଉଛି। ଭାରତ ସରକାର ସେମାନଙ୍କର ସଂରକ୍ଷଣ ଏବଂ ପରିଚାଳନା ନିମନ୍ତେ ‘ଜାତୀୟ ଜଳୀୟ ପରିସଂସ୍ଥା ସଂରକ୍ଷଣ ଯୋଜନା’ ଫେବୃଆରୀ ୨୦୧୩ରୁ କାର୍ଯ୍ୟକାରୀ କରିଛନ୍ତି। ଆର୍ଦ୍ରଭୂମି ନିୟମ ଜବରଦଖଲ, ପ୍ରଦୂଷଣ ଏବଂ ଅବକ୍ଷୟକୁ ରୋକିବା ଦିଗରେ ଏକ ନିୟାମକ ଢାଞ୍ଚା ପ୍ରଦାନ କରେ। ପୁନଶ୍ଚ, ସ୍ଥାନୀୟ ସମ୍ପ୍ରଦାୟଗୁଡ଼ିକର ଅଂଶଗ୍ରହଣ ଏକାନ୍ତ ଅପରିହାର୍ଯ୍ୟ ହୋଇଥିଲା ବେଳେ ପାରମ୍ପରିକ ଜ୍ଞାନକୌଶଳକୁ ସଂରକ୍ଷଣ ପ୍ରକ୍ରିୟାରେ ସମନ୍ବିତ କରାଯିବା ଗୁରୁତ୍ୱପୂର୍ଣ୍ଣ । ଉପଯୁକ୍ତ ପଦକ୍ଷେପ ଗ୍ରହଣ ମାଧ୍ୟମରେ ବିନଷ୍ଟ ଆର୍ଦ୍ରଭୂମିଗୁଡ଼ିକୁ ପୁନରୁଦ୍ଧାର କରାଯିବା ଏବଂ ଏଥିରେ ରିମୋଟ୍ ସେନ୍ସିଂ, ଜିଆଇଏସ୍ ଭଳି ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଦ୍ୱାରା ଆର୍ଦ୍ରଭୂମିର ମ୍ୟାପିଂ, ତଦାରଖ ଏବଂ ପରିଚାଳନାକୁ ଅଧିକ ପ୍ରଭାବଶାଳୀ କରିବା ହେଉଛି ଆଜିର ଆବଶ୍ୟକତା। ଆର୍ଦ୍ରଭୂମିଗୁଡ଼ିକର ଅବକ୍ଷୟ ଜୀବଜାତି ପାଇଁ ଗମ୍ଭୀର ଆହ୍ବାନ ସୃଷ୍ଟିକରୁଛି। ଏହାର ମୁକାବିଲା ଦିଗରେ ସଶକ୍ତ, ପ୍ରଭାବଶାଳୀ ସଂରକ୍ଷଣ ନୀତିର କାର୍ଯ୍ୟକାରିତା, ବୈଜ୍ଞାନିକ ପଦ୍ଧତିର ଅବଲମ୍ବନ ଏବଂ ସ୍ଥାନୀୟ ସମ୍ପ୍ରଦାୟର ସକ୍ରିୟ ସମ୍ପୃକ୍ତି ପ୍ରୟୋଜନୀୟ।
ଡ. ଜୟକୃଷ୍ଣ ପାଣିଗ୍ରାହୀ
ମୋ: ୯୪୩୭୦୭୬୧୦୦

