ମହଙ୍ଗା ତୈଳ ପାଇଁ ଆମଦାନୀ ବିଲ୍‌ ୬୦% ବୃଦ୍ଧି

ନୂଆଦିଲ୍ଲୀ,୨୩ା୧୧: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟବୃଦ୍ଧି ଯୋଗୁ ଭାରତର ତୈଳ ଆମଦାନୀ ବିଲ ୬୦% ବୃଦ୍ଧି ପାଇ ୧୬ ବିଲିୟନ ଡଲାରରେ ପହଞ୍ଚିଛି।
ତୈଳ ମନ୍ତ୍ରଣାଳୟ ଅଧୀନ ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ ସେଲ୍‌ (ପିପିଏସି) ତଥ୍ୟ ଅନୁଯାୟୀ, ଅକ୍ଟୋବର ମାସରେ ବ୍ରେଣ୍ଟକ୍ରୁଡ୍‌(ଅଶୋଧିତ ତୈଳ) ବ୍ୟାରେଲ ପିଛା ହାରାହାରି ୧୨୪.୭୭ ଆମେରିକୀୟ ଡଲାର ରହିବାରୁ ଭାରତର ନିଟ୍‌ ତୈଳ ଏବଂ ଗ୍ୟାସ ଆମଦାନୀ ବିଲ୍‌ ବାର୍ଷିକ ୬୦ ପ୍ରତିଶତ ବୃଦ୍ଧି ପାଇ ୧୬ ବିଲିୟନ ଡଲାରରେ ପହଞ୍ଚିଛି,। ଯାହାକି ଗତ ବର୍ଷ ତୁଳନାରେ ପ୍ରାୟ ଦୁଇଗୁଣ।
୨୦୨୫ ଅକ୍ଟୋବରରେ ଏହି ନିଟ୍‌ ବିଲ ୧୦.୦ ବିଲିୟନ ଡଲାର ଥିଲା। କେବଳ ଅଶୋଧିତ ତୈଳ ଆମଦାନୀ ବାବଦକୁ ୧୯.୫ ବିଲିୟନ ଡଲାର ଖର୍ଚ୍ଚ ହୋଇଛି, ଯାହା ଏକ ବର୍ଷ ପୂର୍ବେ ୧୦.୪ ବିଲିୟନ ଡଲାର ଥିଲା। ଯଦିଓ ଏହାର ପରିମାଣ ମାତ୍ର ୧୧ ପ୍ରତିଶତ ବୃଦ୍ଧି ପାଇ ୨୩.୩ ନିୟୁତ ଟନ ହୋଇଛି। ଏଲଏନଜି ଆମଦାନୀରେ ୧.୩ ବିଲିୟନ ଡଲାର ଖର୍ଚ୍ଚ ହୋଇଥିବା ବେଳେ ପେଟ୍ରୋଲିୟମ ଉତ୍ପାଦ ରପ୍ତାନିରୁ ୬.୩ ବିଲିୟନ ଡଲାର ଆୟ ହୋଇଛି। ୨୦୨୫ ଅକ୍ଟୋବରରେ ବ୍ରେଣ୍ଟକ୍ରୁଡ୍‌ ଦର ହାରାହାରି ୬୪.୭୫ ଡଲାର ଥିଲାବେଳେ ୨୦୨୬ ସେପ୍ଟେମ୍ବରରେ ବ୍ରେଣ୍ଟକ୍ରୁଡ୍‌ ଦର ହାରାହାରି ୧୧୬.୭୭ ଡଲାରରେ ପହଞ୍ଚିଥିଲା। ସେହିପରି ଗତ ଅକ୍ଟୋବରରେ ଭାରତୀୟ ବାସ୍କେଟ ତୈଳ ଦର ହାରାହାରି ୧୧୯.୯୧ ଡଲାର ରହିଥିଲା, ଯାହା ଏକ ବର୍ଷ ପୂର୍ବେ ୬୫.୦୮ ଡଲାର ଥିଲା। ଏପ୍ରିଲ-ଅକ୍ଟୋବର ମଧ୍ୟରେ ନିଟ ଆମଦାନୀ ବିଲ ୯୭.୭ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ଗତ ବର୍ଷ ଏହି ସମୟରେ ୭୦.୩ ବିଲିୟନ ଡଲାର ଥିଲା। ଅଶୋଧିତ ତୈଳ ଆମଦାନୀ ପରିମାଣରେ ୨.୭ ପ୍ରତିଶତ ବୃଦ୍ଧି ଘଟିଥିଲେ ମଧ୍ୟ ଏହାର ମୂଲ୍ୟ ୭୨.୩ ବିଲିୟନ ଡଲାରରୁ ବୃଦ୍ଧି ପାଇ ୧୧୧.୦ ବିଲିୟନ ଡଲାର ଛୁଇଁଛି।
ଅନ୍ୟପକ୍ଷରେ ଅକ୍ଟୋବରରେ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ (ଏଲ୍‌ପିଜି) ବ୍ୟବହାର ୧୨.୩ ପ୍ରତିଶତ ଏବଂ ଏପ୍ରିଲ-ଅକ୍ଟୋବର ମଧ୍ୟରେ ୧୫.୧ ପ୍ରତିଶତ ହ୍ରାସ ପାଇଛି। ପିପିଏସି ତଥ୍ୟ ଅନୁଯାୟୀ, ନଭେମ୍ବର ୧ ସୁଦ୍ଧା ସକ୍ରିୟ ଘରୋଇ ଏଲପିଜି ଗ୍ରାହକଙ୍କ ସଂଖ୍ୟା ୩୨.୬ କୋଟି ରହିଛି, ଯାହା ଏପ୍ରିଲ ୧ରେ ୩୩.୪ କୋଟି ଥିଲା।

Dharitri – Odisha’s No.1, Most Trusted Odia Daily

Share