ଯୁଦ୍ଧର ପ୍ରଭାବ: ଭାରତର ଏକ ଲକ୍ଷ କୋଟି ରାଜସ୍ବ କ୍ଷତି ହେବା ଆଶଙ୍କା…

ନୂଆଦିଲ୍ଲୀ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁ ଭାରତ ଉପରେ ବଡ଼ ଧରଣର ପ୍ରଭାବ ଅନୁଭୁତ ହେବାର ଆଶଙ୍କା ରହିଛି। ଯୁଦ୍ଧ ଯୋଗୁ ଦେଶର ଅର୍ଥନେତିକ ସ୍ଥିତି ବିଗିଡ଼ିବାର ଆଶଙ୍କା ଅଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଯୁଦ୍ଧ ଯୋଗୁ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାରରୁ ଅଧିକ ହୋଇଛି। ଏଭଳି ପରିସ୍ଥିତିରେ ଭାରତ ପ୍ରାୟ ୧ ଲକ୍ଷ କୋଟି ଟଙ୍କା କ୍ଷତି ସହିବାର ଆଶଙ୍କା ଦେଖାଦେଇଛି।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ)ର ରିପୋର୍ଟ ଅନୁଯାୟୀ, ଅଶୋଧିତ ତୈଳର ବୃହତ ଲମ୍ଫ ଯୋଗୁଁ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜସ୍ବରେ ୯୫ ହଜାର କୋଟିରୁ ଏକ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ହୋଇପାରେ। ତେଲର ମୂଲ୍ୟ ବଢ଼ିବା ଦ୍ୱାରା ଘରୋଇ ମୁଦ୍ରାସ୍ଫୀତିର ବୃଦ୍ଧି ହେବାର ଆଶଙ୍କା ଅଛି ।

ଜାପାନର ରିସର୍ଚ୍ଚ କମ୍ପାନୀ ନୋମୁରା ଦାବି କରିଛି ଯେ ରୁଷିଆ-ୟୁକ୍ରେନ ସଙ୍କଟ ଯୋଗୁଁ ଏସିଆରେ ଭାରତ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରୁପ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସୋମ୍ୟକାନ୍ତ ଘୋଷଙ୍କ ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୦୨୧ ପରଠାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ତେବେ ଭାରତ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଏହାର ମୂଲ୍ୟକୁ ନିୟନ୍ତ୍ରଣରେ ରଖିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯଦି ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୦୦ ରୁ ୧୧୦ ଡଲାର ମଧ୍ୟରେ ରୁହେ ତେବେ ଭାଟ ପରିବର୍ତ୍ତିିତ ଢ଼ାଞ୍ଚା ଅନୁଯାୟୀ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବର୍ତ୍ତମାନ ତୁଳନାରେ ଲିଟର ପିଛା ୯ ରୁ ୧୪ ଟଙ୍କା ପର୍ଯ୍ୟନ୍ତ ବଢ଼ିଯିବ। ଅପରପକ୍ଷରେ, ଯଦି ସରକାର ଏକ୍ସାଇଜ ଟ୍ୟାକ୍ସ ହ୍ରାସ କରି ମୂଲ୍ୟ ବୃଦ୍ଧିକୁ ବନ୍ଦ କରନ୍ତି, ତେବେ ସରକାରଙ୍କୁ ପ୍ରତି ମାସରେ ପ୍ରାୟ ୮ ହଜାର କୋଟି ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡିବ।

Share