କେସିଙ୍ଗା,୨୬।୬(ତୁମେଶ୍ୱର ସାହୁ): କେସିଙ୍ଗା ନିର୍ବାଚନ ମଣ୍ଡଳୀକୁ ପୁନର୍ବାର ଫେରାଇ ଆଣିବାକୁ ଜନସାଧାରଣଙ୍କ ଦାବି ଶୀର୍ଷକ ଏକ ଖବର ଗୁରୁବାର ଧରିତ୍ରୀ ପୋର୍ଟାଲରେ ପ୍ରକାଶ ପାଇଥିଲା। ଉକ୍ତ ଖବରର ମଧ୍ୟଭାଗରେ କେସିଙ୍ଗାସ୍ଥିତ କୁର୍ଲୁପାଡା ଗ୍ରାମର ୧୫୦ ଜଣ ଚାଷୀଙ୍କ ୧୮୦ ଏକର ଜମିରେ ପେପର ମିଲ୍ ନିର୍ମାଣ ପାଇଁ ୧୯୮୩-୮୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ପେପର ମିଲ୍ ଓ କୋଣାର୍କ ସୂତା କଳର ଉଦ୍ଘାଟନ କରାଯାଇଥିବା ଉଲ୍ଲେଖ କରାଯାଇଥିଲା।
ପେପର ମିଲ୍ ପାଇଁ ଚାଷୀମାନଙ୍କଠାରୁ ଜମି ଅଧିଗ୍ରହଣ କରାଯାଇଥିଲେ ମଧ୍ୟ ଆଜକୁ ୪୨ ବର୍ଷ ବିତିଯାଇଛି। କିନ୍ତୁ ପେପର ମିଲ୍ ନିର୍ମାଣ ହୋଇପାରି ନ ଥିବାରୁ ଜମି ହରାଇଥିବା ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ହଇରାଣ ହେଉଛନ୍ତି। ସେହିପରି କୋଣାର୍କ ସୂତା କଳର ଅବସ୍ଥା ମଧ୍ୟ ଖବରରେ ପ୍ରକାଶ ପାଇଥିଲା।
ଏହି ଖବରଟି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ର ଗ୍ରୁପ୍ରେ ମଧ୍ୟ ପୋଷ୍ଟ କରାଯାଇଥିଲା। ଦୀର୍ଘଦିନର ଏହି ସମସ୍ୟା ପ୍ରତି CMO ଦୃଷ୍ଟି ଦେଇଥିବା ପରେ ଗୁରୁବାର ଏହି ଏମ୍ଏସ୍ଏମ୍ଇ ପାର୍କକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରାଯିବାକୁ ଥିବା ସୂଚନା ମିଳିଛି। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ଦେଖି ଜମି ହରାଇଥିବା ଚାଷୀ ଓ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
୧୯୮୩-୮୪ ମସିହାରେ ଶୁଭାରମ୍ଭ ହୋଇଥିବା ପେପର ମିଲ୍ ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ବାସ୍ତବ ରୂପ ନେଇପାରି ନାହିଁ। ଫଳରେ ୧୫୦ ଜଣ ଚାଷୀ ସେମାନଙ୍କର ୧୮୦ ଏକର ଜମି ହରାଇ ନିରାଶାରେ ଦିନ କାଟୁଛନ୍ତି। ପରବର୍ତ୍ତୀ ସମୟରେ ବିଜେଡି ସରକାରଙ୍କ ଶାସନକାଳରେ ଏହି ଜମିରେ ୧୨ କୋଟି ଟଙ୍କା ବ୍ୟୟରେ ଏମ୍ଏସ୍ଏମ୍ଇ ପାର୍କ ନିର୍ମାଣ ପାଇଁ ବାଡ଼, ଡ୍ରେନ୍ ଓ ରାସ୍ତା ନିର୍ମାଣ କାମ ସମ୍ପୂର୍ଣ୍ଣ କରାଯାଇଥିଲା। ତେବେ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଛି।
ଯଦି ଆସନ୍ତାକାଲି ଏହି ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ ହୁଏ, ତେବେ ଜମି ହରାଇଥିବା ଚାଷୀ ଓ ଉଦ୍ୟୋଗୀମାନଙ୍କ ମନରେ ନୂଆ ଆଶା ଓ ଖୁସି ସୃଷ୍ଟି ହେବ ବୋଲି ଜନସାଧାରଣଙ୍କ ମଧ୍ୟରେ ଆଶା ପ୍ରକାଶ ପାଉଛି।