ତୁମୁଡ଼ିବନ୍ଧ, ୨୭।୧୦ (ଦୀପକ କୁମାର ପରାସେଠ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ କନ୍ଧମାଳ ଜିଲାର ତୁମୁଡ଼ିବନ୍ଧ ଅଞ୍ଚଳରେ ଅନୁଭୂତ ହେବା ଆରମ୍ଭ ହୋଇଛି। ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଥଣ୍ଡା ପବନ ଓ ଝିପିଝିପି ବର୍ଷା ଲାଗିରହିଛି। ମଙ୍ଗଳବାର ଦିନତମାମ ଆକାଶ ମେଘାଚ୍ଛନ୍ନ ରହିବା ସହ ପାଗ ଅନ୍ଧାରୁଆ ହୋଇ ରହିଛି। ବାତ୍ୟା ଆଶଙ୍କାରେ ସାଧାରଣ ଲୋକେ ଘରୁ ନବାହାରିବାରୁ ତୁମୁଡ଼ିବନ୍ଧର ମୁଖ୍ୟ ବଜାର ଓ ରାସ୍ତାଘାଟ ପ୍ରାୟ ଜନଶୂନ୍ୟ ହୋଇପଡ଼ିଛି।
ରାଜ୍ୟ ସରକାରଙ୍କ ‘ଶୂନ୍ୟ ଜୀବନହାନି’ ଲକ୍ଷ୍ୟକୁ ଗୁରୁତ୍ୱ ଦେଇ ଜିଲା ଓ ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ତତ୍ପର ହୋଇଉଠିଛି। ତୁମୁଡ଼ିବନ୍ଧ ତହସିଲଦାର ଦୋଳ ଗୋବିନ୍ଦ ସାହୁ ଏବଂ ବିଡ଼ିଓ ବନବିହାରୀ ହରପାଲଙ୍କ ମିଳିତ ଅଧ୍ୟକ୍ଷତାରେ ସମସ୍ତ ବିଭାଗକୁ ନେଇ ଏକ ଜରୁରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। କୌଣସି ଅଧିକାରୀ କିମ୍ବା କର୍ମଚାରୀ ମୁଖ୍ୟାଳୟ (HQ) ନଛାଡ଼ି ନିଜ ନିଜ କାର୍ଯ୍ୟାଳୟରେ ରହି ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବାତ୍ୟାରେ ଗଛ ଉପୁଡ଼ିବା, ରାସ୍ତା ଅବରୋଧ କିମ୍ବା ଅନ୍ୟ କୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ତୁମୁଡ଼ିବନ୍ଧ ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଅଗ୍ନିଶମ ଅଧିକାରୀ ଚିତ୍ତରଞ୍ଜନ ସାହୁଙ୍କ ନେତୃତ୍ୱରେ ବିଶେଷ ଟିମ୍ ଉଦ୍ଧାର କାର୍ଯ୍ୟ ପାଇଁ ସଜାଗ ଅଛନ୍ତି। ସେହିପରି ଅଞ୍ଚଳରେ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ, ଶୁଖିଲା ଖାଦ୍ୟ ଏବଂ ପୋଲିଥିନ୍ ମହଜୁଦ ରଖାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି।
ଜରୁରୀ କାର୍ଯ୍ୟ ନଥିଲେ ଘରୁ ନବାହାରିବାକୁ ଏବଂ ପ୍ରଶାସନର ସତର୍କ ସୂଚନା ଓ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।