ବାତ୍ୟା ଅର୍ଣ୍ଣବର ପ୍ରଭାବ: ୨ ଦିନ ହେଲା ଅନ୍ଧାରରେ ଦାରିଙ୍ଗବାଡ଼ି, ଏକାଧିକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ…

ଦାରିଙ୍ଗବାଡ଼ି,୨୮ା୧୦(ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ସାଙ୍ଗକୁ ଝଟକା ପବନ ବହିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେହିପରି ଅଞ୍ଚଳରେ ମଙ୍ଗଳବାରଠାରୁ ସମ୍ପୂର୍ଣ୍ଣ ବିଦ୍ୟୁତ ଅଚଳ ହୋଇପଡ଼ିଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ। ଗତ ୨ ଦିନ ହେଲା ବିଦ୍ୟୁତ ଅଚଳ ଯୋଗୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବିଶେଷ କରି ବିଦ୍ୟୁତ ଅଚଳ ପାଇଁ ମୋବାଇଲ ସେବା, ଇଣ୍ଟରନେଟ୍‌ ସେବା ବନ୍ଦ ଯୋଗୁ ବ୍ୟାଙ୍କ ପ୍ରତିଷ୍ଠାନ, କ୍ଷୁଦ୍ର ବ୍ୟାଙ୍କ ସବୁ ଅଚଳ ହୋଇପଡ଼ିଛି। ଦାରିଙ୍ଗବାଡ଼ିକୁ ଜି. ଉଦୟଗିରି ଗ୍ରୀଡ୍‌ଠାରୁ ଦାରିଙ୍ଗବାଡ଼ିକୁ ୩୩ କେଭି ବିଦ୍ୟୁତ ସଂଯୋଗ ହୋଇଛି। ସେହିପରି ବିକଳ୍ପ ଭାବେ ଫିରିଙ୍ଗିଆରୁ ମଧ୍ୟ ଦାରିଙ୍ଗବାଡ଼ିକୁ ୩୩ କେଭି ବିଦ୍ୟୁତ ସଂଯୋଗ ହୋଇଛି। ଏହାର ଜଙ୍କ୍‌ସନ୍‌ କ. ନୂଆଗାଁ ଠାରେ ରହିଛି।  ତେବେ ଉଭୟ ଗ୍ରୀଡ୍‌ରୁ ଏବେ ବିଦ୍ୟୁତ ଅଚଳ ଯୋଗୁ ଦାରିଙ୍ଗବାଡ଼ିକୁ ୩୩ କେଭି ବିଦ୍ୟୁତ ସଂଯୋଗ ମିଳୁନାହିଁ। ଫଳରେ ଦାରିଙ୍ଗବାଡ଼ିଠାରୁ ସିମନବାଡ଼ି, ପର୍ତ୍ତମାହା, ଦାସିଙ୍ଗବାଡ଼ି ଆଦି ୧୧ କେଭି ବିଦ୍ୟୁତ ଅଚଳ ହୋଇପଡିଛି। ଫଳରେ ପ୍ରାୟ ଦାରିଙ୍ଗବାଡ଼ି ସବ୍‌ଷ୍ଟେଶନ ଉପରେ ନିର୍ଭର କରୁଥିବା ପ୍ରାୟ ୧୮ଟି ପଞ୍ଚାୟତ ୨ ଦିନ ହେଲା ଅନ୍ଧାରରେ ରହିଛନ୍ତି।

ସେହିପରି ଉକ୍ତ ବ୍ଲକର ବ୍ରାହ୍ମଣୀଗାଁ ସବ୍‌ଷ୍ଟେଶନକୁ ଗଜପତି ଜିଲା ମୋହନାଠାରୁ ୩୩ କେଭି ବିଦ୍ୟୁତ ସଂଯୋଗ ହୋଇଛି। ସେହି ବିଦ୍ୟୁତ୍‌ ସଂଯୋଗ ମଧ୍ୟ ମଙ୍ଗଳବାରଠାରୁ ଅଚଳ ହୋଇପଡିଛି। ଫଳରେ ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଝିଞ୍ଜିରୀଗୁଡା, କୁମ୍ଭାରୀଗାଁ, ହାତୀମୁଣ୍ଡା, ସରାମୁଳି, ତାଜୁଙ୍ଗିଆ, ଏବଂ ଗଦାପୁର ପଞ୍ଚାୟତବାସୀ ଅନ୍ଧାରରେ ରହିଛନ୍ତି। ଦାରିଙ୍ଗବାଡ଼ି ବ୍ଲକର ଏକାଧିକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯିବା ସହ ବିଦ୍ୟୁତ୍‌ ତାର ଛିଣ୍ଡିଯାଇଛି। ଲଗାଣ ବର୍ଷା ଯୋଗୁ ବିଦ୍ୟୁତ ମରାମତିରେ ବିଳମ୍ବ ହେଉଥିବା ଓ ଜି. ଉଦୟଗିରି ଫିଡରରୁ ବିଦ୍ୟୁତ ଅଚଳ ଓ ଫଲ୍ଟ ମିଳିବା ଓ ମରାତିମରେ ବିଳମ୍ବ  ବିଦ୍ୟୁତ୍‌ ସେବା ମିଳିବା ଅନିଶ୍ଚିତତା ଦେଖାଯାଇଥିବା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ ବିଭାଗର ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକ କହିଛନ୍ତି।

Dharitri – Odisha’s No.1 Odia Daily

Share