ରାଇକିଆରେ ଅର୍ଣ୍ଣବ ପ୍ରଭାବ: ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି

ରାଇକିଆ,୨୯ା୧୦(ପ୍ରଦୀପ ବେହେରା): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌। ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୩୮୬ ମିମି ବର୍ଷା ପରିମାଣ ରେକର୍ଡ଼ ହୋଇଛି। ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିଶେଷ କରି କଳିଙ୍ଗା ଘାଟି ରାସ୍ତା ବନ୍ଦ ପରେ ଗତ ଏକ ମାସ ଧରି ଗଞ୍ଜାମ ଜିଲାକୁ ବିକଳ୍ପ ଭାବେ କରଡ଼ା ଦେଇ ଯାତାୟାତ କରାଯାଉଥିବାବେଳେ ମାଲାଗୁଡ଼ା ଠାରେ କଲଭର୍ଟ ଧୋଇ ଦେବା ଯୋଗୁ ଯାତାୟତ ସମୂର୍ଣ୍ଣ ବନ୍ଦ ରହିଛି। ଏଥି ଯୋଗୁ ରାଇକିଆରୁ କରଡ଼ା, ଇନ୍ଦ୍ରଗଡ଼, ରଣବା, ବଡ଼ ବରବା ଇତ୍ୟାଦି ପଞ୍ଚାୟତକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଦଡ଼ିଙ୍ଗିଆଠାରୁ ମ୍ଲାହୁପଙ୍ଗ ରାସ୍ତାରେ ଏବଂ ପାଜିମାହା ନିକଟରେ ମଧ୍ୟ ପୋଲ ଉପରେ ଜଳ ପ୍ରବାହିତ ହେଉଛି। ତାର ଛିଡିବା ଏବଂ ଗଛ ପଡ଼ି ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସେବା ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ବଡ଼ ଗଛ ଭାଙ୍ଗି ପଡ଼ି ରହିଥିବାବେଳେ ଘର, ଭାଙ୍ଗିବା ସହ ଚାଷଜମିରେ ଫସଲ ମଧ୍ୟ ନଷ୍ଟ ହୋଇଛି। ରାଇକିଆ ତହସିଲଦାର ବରିୟାଲ ମୁର୍ମୁ ଏବଂ ବିଡିଓ ସବ୍ୟସାଚୀ ସାହୁ ପ୍ରାଥମିକ କ୍ଷୟକ୍ଷତି ଅନୁଧ୍ୟାନ କରିଥିବା ବେଳେ ଲୋକଙ୍କୁ ତୁରନ୍ତ ସୁବିଧା ଯୋଗାଇବା ପାଇଁ ପଦକ୍ଷେପ ନିଆଯାଉଛି।

Dharitri – Odisha’s No.1 Odia Daily

Share