ଆଇଏମ୍‌ଏଫ୍‌ର ଭିନ୍ନ ବିଚାର

ବହୁ ବିଳମ୍ବ ହୋଇଥିଲେ ବି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଶେଷରେ ଦେଶଗୁଡ଼ିକର ଋଣ ହ୍ରାସ ସମ୍ପର୍କିତ ସତ୍ୟକୁ ହୃଦୟଙ୍ଗମ କରିଛି। ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ନିକଟରେ ଋଣ ଫେରସ୍ତ କରିବା ପାଇଁ ଅନୁକୂଳ ସମୟ ରହିଛି ବୋଲି ଅନୁଭବ କରିଛି। ସେହିଭଳି ସ୍ବୀକାର କରିଛି ଯେ, ଆଇଏମ୍‌ଏଫ୍‌ ପ୍ରିୟ ରଣନୀତି କୁହାଯାଉଥିବା ବିତ୍ତୀୟ ଏକୀକରଣ (ନିଅଣ୍ଟିଆ ସ୍ଥିତି ଦୂର କରିବା ଓ ଋଣ ସଂଗ୍ରହ କରିବା ଲକ୍ଷ୍ୟରେ ଗ୍ରହଣ କରାଯାଉଥିବା ନୀତି) ସରକାରୀ ଋଣ ଓ ମୋଟ ଘରୋଇ ଉପତ୍ାଦର ଅନୁପାତକୁ ହ୍ରାସ କରିବାରେ ନିଆଯାଉଥିବା ପଦକ୍ଷେପଗୁଡ଼ିକରେ କ୍ଷତି ପହଞ୍ଚାଏ। ନିଶ୍ଚିତ ହେବାକୁ ପଡ଼ିବ ଯେ, ଏହା ପ୍ରାୟତଃ ଏକ ନୂଆ ଅନ୍ତର୍ଦୃଷ୍ଟି। ଜନ୍‌ ମେନାର୍ଡ କିନେସ୍‌ ଏକ ଶତାବ୍ଦୀ ପୂର୍ବେ ଏହା ଉପରେ ଗୁରୁତ୍ୱ ଦେଇଥିଲେ ଓ ସେବେଠାରୁ ଏହା ଉପରେ ବାରମ୍ବାର କୁହାଯାଇଆସୁଛି। ୧୯୫୩ରେ ଲଣ୍ଡନ ଡେବିଟ୍‌ ଏଗ୍ରିମେଣ୍ଟ ବା ଚୁକ୍ତି ଯେଉଁସବୁ ପକ୍ଷ ଗଢିଥିଲେ ସେମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ ଏହା ଜଣାଥିଲା। ଏହି ଚୁକ୍ତି ପଶ୍ଚିମ ଜର୍ମାନୀର ସରକାରୀ ଋଣ ବୋଝ ନାଟକୀୟ ଢଙ୍ଗରେ ହ୍ରାସ କରିଥିଲା। ଜର୍ମାନୀ ଏବଂ ଏହାର ୨୦ଟି ବିଦେଶୀ ଋଣଦାତାମାନଙ୍କ ମଧ୍ୟରେ ଚୁକ୍ତି ଏହାର ଯୁଦ୍ଧ ପରବର୍ତ୍ତୀ ଆର୍ଥିକ ଅଭିବୃଦ୍ଧି ପାଇଁ ପରିବେଶ ସୃଷ୍ଟି କରିଥିଲା।
ଆଇଏମ୍‌ଏଫ୍‌ର ସଦ୍ୟ ପ୍ରକାଶିତ ଓ୍ବାଲର୍‌ଡ ଇକୋନୋମିକ ଆଉଟ୍‌ଲୁକ ରିପୋର୍ଟ ବିଭିନ୍ନ ଋଣ ହ୍ରାସ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଏହାର ନିଜସ୍ବ ତଦନ୍ତର ଫଳାଫଳ ଉପସ୍ଥାପନ କରିଛି। ଏହି କାର୍ଯ୍ୟକ୍ରମଗୁଡ଼ିକ ୧୯୮୦ରୁ ୨୦୧୯ ମଧ୍ୟରେ ବୈଶ୍ୱିକ ମାର୍କେଟ ସହ ଜଡ଼ିତ ୩୩ଟି ବିକାଶଶୀଳ ଓ ୨୧ଟି ବିକଶିତ ଅର୍ଥ ବ୍ୟବସ୍ଥା ଦ୍ୱାରା ଆରମ୍ଭ କରାଯାଇଥିଲା। ରିପୋର୍ଟ ପ୍ରସ୍ତୁତକର୍ତ୍ତାମାନେ ଜାଣିବାକୁ ପାଇଛନ୍ତି ଯେ, ସେହି ସମୟ ମଧ୍ୟରେ ଅନୁଧ୍ୟାନ କରାଯାଇଥିବା ଋଣ ହ୍ରାସର ପାଖାପାଖି ଏକ ତୃତୀୟାଂଶ ଜିଡିପି ଅଭିବୃଦ୍ଧି ଯୋଗୁ ଘଟିଛି। ଏହି ଅନୁଧ୍ୟାନଭିତ୍ତିକ ରିପୋର୍ଟ ସୂଚିତ କରେ ଯେ,ବିତ୍ତୀୟ ସମ୍ପ୍ରସାରଣ ବହୁ ଘଟଣାରେ ଡେବିଟ୍‌ ରେସିଓ(ଋଣ ଓ ମୋଟ ଘରୋଇଉପତ୍ାଦ)ର ଅନୁପାତରେ ଉନ୍ନତି ଆଣିଥିଲା। ବିଶେଷକରି ଜିଡିପି ଅଭିବୃଦ୍ଧି ଉପରେ ସକାରାମତ୍କ ପ୍ରଭାବ ଯୋଗୁ ଏହା ଘଟିଥିଲା। ସେମାନଙ୍କ ମତରେ ବିତ୍ତୀୟ ଏକତ୍ରୀକରଣ ଦ୍ୱାରା ଅନୁକୂଳ ଆର୍ଥିକ ପରିବେଶ ତଥା ଏକ ବିକଶିତ ଅର୍ଥ ବ୍ୟବସ୍ଥାରେ ଋଣ ହ୍ରାସ କରିବାର ଅଧିକ ସମ୍ଭାବନା ରହିଛି। କିନ୍ତୁ ଦେଖିବାକୁ ଗଲେ ସେଭଳି ପରିସ୍ଥିତି ସବୁବେଳେ ରହେ ନାହିଁ। ବ୍ୟୟହ୍ରାସ ଜିଡିପି ଅଭିବୃଦ୍ଧିକୁ ରୋକୁଥିବାରୁ ଖର୍ଚ୍ଚକାଟ କିମ୍ବା ଟିକସ ବୃଦ୍ଧି ଲାଗୁ କରି ନିଅଣ୍ଟିଆ ସ୍ଥିତି ଦୂର କରିବାରେ ଲାଗୁ କରାଯାଉଥିବା ଆର୍ଥିକ ନୀତି ଦ୍ୱାରା ଋଣଗ୍ରସ୍ତ ଦେଶଗୁଡ଼ିକରେ କ୍ୱଚିତ ସକାରାମତ୍କ ପରିଣାମ ମିଳିଥାଏ।
ଆଇଏମ୍‌ଏଫ୍‌ ରିପୋର୍ଟ ଉଲ୍ଲେଖ କରିଛି ଯେ, ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକୁ ଅପ୍ରତ୍ୟାଶିତ ଭାବେ ଟଙ୍କା ଦେବା ଏବଂ ବିନିମୟ ହାର ହ୍ରାସ କରି ଋଣ କମାଇବା ପଦକ୍ଷେପକୁ କ୍ଷତି ପହଞ୍ଚାଇପାରେ। କିନ୍ତୁ ଉକ୍ତ ରିପୋର୍ଟ ଗୋଟିଏ ବିଷୟ ସୂଚିତ କରିନାହିଁ। ତାହା ହେଉଛି, ଘଟୁଥିବା ଏହିସବୁ ବିଷୟ ବହୁ ସମୟରେ ଆଇଏମ୍‌ଏଫ୍‌ର ନିଜସ୍ବ କାର୍ଯ୍ୟକ୍ରମଗୁଡ଼ିକରଏକ ଅନପେକ୍ଷିତ ପରିଣାମ ହୋଇଥାଏ। ଯାଦ୍ଦ୍ବରା ଋଣଗ୍ରସ୍ତ ଦେଶଗୁଡ଼ିକୁ ମାର୍କେଟଭିତ୍ତିକ ବିନିମୟ ହାରରେ ପରିବର୍ତ୍ତନ, ସୁଧ ହାର ବୃଦ୍ଧି ଏବଂ ସରକାରୀ ସବ୍‌ସିଡ଼ି ଛାଡ଼ କରିବା ଆବଶ୍ୟକ ପଡ଼େ, ଯେଉଁଥିରେ ବିଜ୍‌ନେସ କ୍ଷତି ବଢ଼ିଯାଏ। ଅପରପକ୍ଷେ ରିପୋର୍ଟ ଜାଣିିବାକୁ ପାଇଛି ଯେ, ଋଣ ପୁନର୍ଗଠନ ପଦକ୍ଷେପସବୁ ଯେତେବେଳେ ଦେଶଗୁଡ଼ିକୁ ଅଭିବୃଦ୍ଧି ପୁନଃସ୍ଥାପିତ କରିବାରେ ଏବଂ ଆର୍ଥିକ ଅଧୋଗତି ଦୂରେଇବାରେ ସାହାଯ୍ୟ କରିଛନ୍ତି ସେତେବେଳେ ଅଧିକ ସଫଳ ହୋଇଛନ୍ତି।
ବହୁ ଦଶନ୍ଧି ଧରି ଆଇଏମ୍‌ଏଫ୍‌ କାର୍ଯ୍ୟକ୍ରମଗୁଡ଼ିକ ବିଚାର କରିଆସୁଥିଲା ଯେ, ସରକାରୀ ବ୍ୟୟ ହ୍ରାସ ଋଣ ଦୁଃଖକୁ ସାମ୍ନା କରିବାରେ ଏକମାତ୍ର ଉପାୟ। କିନ୍ତୁ ଏବେ ଏହା ତା’ ଅତୀତ ତ୍ରୁଟିକୁ ବୁଝିଥିବା ମନେହେଉଛି। କିନ୍ତୁ ବିଚାରରେ ଏଭଳି ପରିବର୍ତ୍ତନ ଆଇଏମ୍‌ଏଫ୍‌ର ଗବେଷଣା ବିଭାଗକୁ ଛାଡ଼ି କାମ କରିବ କି ନାହିଁ ତାହା ଅସ୍ପଷ୍ଟ। ଏହା କିଭଳି ଋଣଦେବା କାର୍ଯ୍ୟକଳାପକୁ ପ୍ରଭାବିତ କରିବ ତାହା ସ୍ପଷ୍ଟ ହୋଇନାହିଁ। ତେବେ ସଫଳ ହେବାର ପ୍ରାରମ୍ଭିକ ସଙ୍କେତ ଦେଖାଯାଉନାହିଁ। ଆଇଏମ୍‌ଏଫ୍‌ର ଶୀର୍ଷ ନେତୃତ୍ୱ ଋଣ ବ୍ୟବସ୍ଥାରେ ତ୍ୱରିତ ଓ ଅଧିକ ପ୍ରଭାବୀ ପୁନର୍ଗଠନ ପାଇଁ ବାରମ୍ବାର ପରାମର୍ଶ ଦେଇଆସିଛି।ସେଥିପାଇଁ ନିକଟରେ ସରକାରୀ ତଥା ଘରୋଇ ଋଣଦାତାମାନଙ୍କର ଏକ ବୈଠକ ଆୟୋଜିତ କରିଛି। କିନ୍ତୁ ଏଯାବତ ଏହା ଉପରେ ଯେଉଁମାତ୍ରାରେ ପ୍ରତିକ୍ରିୟା ମିଳିବା କଥା ତାହା ହୋଇନାହିଁ ଏବଂ ବୈଠକ ସେଭଳି ପ୍ରଭାବୀ ବି ହୋଇନାହିଁ। ବିକାଶଶୀଳ ବିଶ୍ୱରେ ଯେଉଁ ଦେଶଗୁଡ଼ିକ ଋଣ ବୋଝଜନିତ ଦୁଃଖର ସମାଧାନ କରିବା ଲାଗି ଜି ୨୦ର ସାଧାରଣ ଢାଞ୍ଚା ଅଧୀନରେ ସାହାଯ୍ୟ ଚାହଁୁଛନ୍ତି ସେମାନେ ଅତ୍ୟଧିକ ବିଳମ୍ବ, ଭୂରାଜନୈତିକ ବିବାଦ ଓ ପ୍ରତିକ୍ରିୟାହୀନ ଋଣଦାତାଙ୍କର ସମ୍ମୁଖୀନ ହେଉଛନ୍ତି।
ସବୁଠୁ ଖରାପ ହେଉଛି, ଆଇଏମ୍‌ଏଫ୍‌ର କର୍ମଚାରୀମାନେ ଏହାର ସଦ୍ୟତମ ରିପୋର୍ଟ ସମ୍ପର୍କରେ ଅବଗତ ନ ଥିବା କିମ୍ବା ଏହାକୁ ସେମାନେ ଅଣଦେଖା କରିବାକୁ ଚାହଁିଥିବା ଜଣାପଡ଼ୁଛି। ଫଣ୍ଡ୍‌ର ଏବକାର ଆର୍ଥିକ କାର୍ଯ୍ୟକ୍ରମଗୁଡ଼ିକରେ କଠିନ ସର୍ତ୍ତସବୁ ସାମିଲ କରାଯାଇଥିବାରୁ ବିକାଶଶୀଳ ଦେଶଗୁଡ଼ିକର ଲୋକ ଓ ଅର୍ଥ ବ୍ୟବସ୍ଥା ଉପରେ ଏହାର ଅତ୍ୟଧିକ କ୍ଷତିକାରକ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ଉଦାହରଣସ୍ବରୂପ, ନିକଟରେ ଆଇଏମ୍‌ଏଫ୍‌ ଓ ଶ୍ରୀଲଙ୍କା ମଧ୍ୟରେ କରାଯାଇଥିବା ଚୁକ୍ତି ବିତ୍ତୀୟ ଏକତ୍ରୀକରଣକୁ ଗୁରୁତ୍ୱ ଦେଇଛି। ସରକାର ଦୁଇବର୍ଷ ମଧ୍ୟରେ ବଳକା ବଜେଟ ହାସଲ କରିବା ଦରକାର ବୋଲି ଏଥିରେ କୁହାଯାଇଛି। ଏନର୍ଜି ଟାରିଫ୍‌ରେ ବୃଦ୍ଧି, ପରିବର୍ତ୍ତନୀୟ ବିନିମୟ ହାର ଉପରେ ଏହା ମଧ୍ୟ ଫଣ୍ଡିଂର ସର୍ତ୍ତ ରଖିଛି, ଯାହା ଦ୍ୱାରା ମୁଦ୍ରାମୂଲ୍ୟ ହ୍ରାସ ଓ ଅଧିକ ସୁଧ ହାରର ସମ୍ଭାବନା ରହିବ। ଏହି ପ୍ରୋଗ୍ରାମ ବିନା ଓ୍ବେଲ୍‌ଥ ଟ୍ୟାକ୍ସ କିମ୍ବା ଅବୈଧ ଆର୍ଥିକ ପ୍ରବାହ ଉପରେ କଟକଣା ନ ରଖି ବି ଅଧିକ ରାଜସ୍ବ ଲକ୍ଷ୍ୟ ଉପସ୍ଥାପନ କରିଛି। ବାସ୍ତବରେ ଏହିସବୁ ପଦକ୍ଷେପ ୫୩.୬% ମୁଦ୍ରାସ୍ଫୀତି ଦେଇ ଗତିକରୁଥିବା ଶ୍ରୀଲଙ୍କା ଭଳି ଦେଶରେ ଚାହିଦା କମାଇବା ସହ ତା’ଅର୍ଥ ବ୍ୟବସ୍ଥାକୁ ଆହୁରି ସଙ୍କୁଚିତ କରିଦେବ। ଘାନା ଓ ଜିମ୍ବାଓ୍ବେରେ ଆଇଏମ୍‌ଏଫ୍‌ର ଅନ୍ୟ ପ୍ରସ୍ତାବିତ ଯୋଜନାରେ ବିତ୍ତୀୟ ସନ୍ତୁଳନ ଉପରେ ସମାନ ପ୍ରକାର ଧ୍ୟାନ ଦିଆଯାଇଥିବା ଆଉ ଏକ ପ୍ରମାଣ।
ଇସାବେଲ ଓରତିଜ୍‌ ଏବଂ ମାଥ୍ୟୁ କୁମିନ୍‌ସ ସୂଚିତ କରିଛନ୍ତି ଯେ, ସରକାର ସାର୍ବଜନୀନ ଖର୍ଚ୍ଚ କମ୍‌ କରୁଥିବାରୁ ଖର୍ଚ୍ଚକାଟ, ଟିକସ ବୃଦ୍ଧି କରି ନିଅଣ୍ଟିଆ ସ୍ଥିତି ଦୂର କରିବା ଲାଗି ଆର୍ଥିକ ନୀତିଗୁଡ଼ିକ ଲାଗୁ କରିବାର ନୂଆ ଧାରା ଗଢିଉଠୁଛି। ବିଶ୍ୱ ଏକ ଆର୍ଥିକ ଓ ରାଜନୈତିକ ସଙ୍କଟକୁ ସାମ୍ନା କରୁଥିବାବେଳେ ଏହି ଧାରାର ପ୍ରତ୍ୟାବର୍ତ୍ତନ ଯୋଗୁ ଏକ ସାଂଘାତିକ ପରିଣାମ ସୃଷ୍ଟି ହୋଇପାରେ। କେବଳ ଆର୍ଥିକ କାର୍ଯ୍ୟକଳାପରେ ନୁହେଁ ,ବରଂ ଏହା ବୈଶ୍ୱିକ ସ୍ବାସ୍ଥ୍ୟକୁ ବି କ୍ଷତି କରିବ। ଏହା ମଧ୍ୟ ଜଳବାୟୁ ପରିବର୍ତ୍ତନକୁ ସାମ୍ନା କରିବା ଲାଗି ଆମର କ୍ଷମତାକୁ କ୍ଷତି ଘଟାଇବ। ଯେତେବେଳେ ନିର୍ଦ୍ଦିଷ୍ଟ ସମାଧାନର ପଥସବୁ ବିଫଳ ହେବା ଦେଖାଯାଏ କିମ୍ବା ସମସ୍ୟାକୁ ଆହୁରି ଖରାପ କରେ, ସେତେବେଳେ ସେଗୁଡ଼ିକୁ ତ୍ୟାଗ କରିବା ଉଚିତ। ଅନେକ ଦଶନ୍ଧି ପରେ ଏବେ ଖରାପ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଆଇଏମ୍‌ଏଫ୍‌ ତା’ଅର୍ଥକୁ ଲଗାଇବାର ସମୟ ଉପନୀତ ହୋଇଛି।

– ଜୟତି ଘୋଷ
ପ୍ରାଧ୍ୟାପକ, ଅର୍ଥନୀତି, ୟୁନିଭର୍ସିଟି ଅଫ୍‌ ମାସାଚ୍ୟୁସେଟସ୍‌ ଆମର୍ହଷ୍ଟ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri