ଭୁବନେଶ୍ୱର, ୧୫ା୩(ବନ୍ଦନା ସେଠୀ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ ଶନିବାର ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡାରେ ସର୍ୱାଧିକ ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଏହା ତଳକୁ ସମ୍ୱଲପୁର ୪୦ ଡିଗ୍ରୀ ଏବଂ ଟିଟିଲାଗଡରେ ୪୦ ଡିଗ୍ରୀ ରହିଥିଲା। ତେବେ ରବିବାରଠାରୁ ଗରମରୁ ସାମୟିକ ଆଶ୍ୱସ୍ତି ମିଳିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର-ପୂର୍ବ ଉତ୍ତରପ୍ରଦେଶର ମଧ୍ୟଭାଗରୁ ଛତିଶଗଡ଼ ଉତ୍ତରପ୍ରଦେଶର ମଧ୍ୟଭାଗରୁ ଛତିଶଗଡ଼ ଦେଇ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଥିବା ଟ୍ରଫ୍ ଜାରି ରହିଛି। ଏହା ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ମେଘୁଆ ରହିବା ସହିତ ବିଭିନ୍ନ ସ୍ଥାନରେ ପବନ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ରବିବାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲାକୁ ଝଡ଼ବର୍ଷା ସହିତ ଘଡଘଡି ବିଜୁଳି ନେଇ ୟେଲୋ ଓ୍ୱାର୍ନିଂ ଜାରି କରାଯାଇଛି। ସେହିପରି ଅନ୍ୟ ଜିଲାଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦିଆଯାଇଛି।
ତେବେ ଝାରସୁଗୁଡ଼ା ଓ ସମ୍ୱଲପୁର ଜିଲାକୁ ହିଟ୍ ଓ୍ୱେଭ୍ ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ସୋମବାର ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ବର୍ଷା ହେବାକୁ ଥିବାବେଳେ ରାୟଗଡ଼ା, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ୱାର୍ନିଂ ଦିଆଯାଇଛି। ବର୍ଷା ସମୟରେ ଘଡ଼ଘଡ଼ି ବିଜୁଳି ସହିତ ୪୦ରୁ ୫୦ କି.ମି. ବେଗରେ ପବନ ବହିବା ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୋଳ, ନୟାଗଡ଼, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, ଗଜପତି, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନାଗିରି ଆଦି ଜିଲାକୁ ଘଡ଼ଘଡି ସହ ବର୍ଷା ପବନ ନେଇ ଓ୍ୱେଲୋ ଓ୍ୱାର୍ନିଂ ଜାରି କରାଯାଇଛି। ମଙ୍ଗଳ ଓ ବୁଧବାର ମଧ୍ୟ ରାଜ୍ୟର କେତେକ ଜିଲାରେ ବର୍ଷା ହେବାକୁ ଥିବାବେଳେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲାକୁ ବର୍ଷା ପବନ ନେଇ ୟେଲୋ ଓ୍ୱାର୍ନିଂ ଦିଆଯାଇଛି। ବର୍ଷା ଯୋଗୁ ଆସନ୍ତା ୪ଦିନ ମଧ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ୱାନୁମାନ କରିଛି।

