ସିମନବାଡ଼ି ଜାତୀୟ ରାଜପଥ ଉପରେ ମାଳମାଳ ଗାଡ଼ି ପାର୍କିଂ, ବାଇକ୍‌ ଚାଳକଙ୍କୁ ଅଟୋ ଧକ୍କା ଦେବାରୁ…

ଦାରିଙ୍ଗବାଡ଼ି,୨୮ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥରେ ଏବେ ଅମାନିଆ ଅଟୋ ଚାଳକଙ୍କ ଯୋଗୁ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଶନିବାର ଅପରାହ୍ନରେ ଏକ ଅଟୋ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଆହତ ବାଇକ୍ ଚାଳକ ଜଣକ ବାଲିଗୁଡ଼ା ଅଞ୍ଚଳର ଦେବାଶିଷ ମଲ୍ଲିକ ବୋଲି ଜଣାପଡ଼ିଛି। ଦୁର୍ଘଟଣା ସମୟରେ ସେ ହେଲମେଟ୍ ପିନ୍ଧିଥିବା ସହ କାନ୍ଧରେ ବ୍ୟାଗ୍ ପକାଇଥିବାରୁ ଏକ ବଡ଼ ବିପଦରୁ ତାଙ୍କ ଜୀବନ ବଞ୍ଚିଯାଇଛି।

ସୂଚନାଯୋଗ୍ୟ, ସିମନବାଡ଼ି ବଜାର ଉପରେ ଦୁର୍ଗମ ଅଞ୍ଚଳର ଶହଶହ ଲୋକ ଦୈନନ୍ଦିନ ନିର୍ଭର କରିଥାଆନ୍ତି। ଏଥିପାଇଁ ସିମନବାଡ଼ିରୁ ଦାରିଙ୍ଗବାଡ଼ି ପର୍ଯ୍ୟନ୍ତ ପ୍ରତିଦିନ ଅଟୋ ଯୋଗେ ଯାତ୍ରୀ ଯାତାୟାତ କରୁଛନ୍ତି। ତେବେ ଅଟୋ ଚାଳକମାନେ ସିମନବାଡ଼ି ଛକ ଉପରେ ବେଆଇନ ଭାବେ ଗାଡ଼ି ପାର୍କିଂ କରୁଥିବାରୁ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଫଳରେ ଦାରିଙ୍ଗବାଡ଼ିରୁ ବାଲିଗୁଡ଼ା ଯାତାୟାତ କରୁଥିବା ବାଇକ୍ ଓ ଅନ୍ୟାନ୍ୟ ଗାଡ଼ିଗୁଡ଼ିକ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି। ଶନିବାର ଏକ ଅଟୋ ଛକରୁ ହଠାତ୍ ବିପରୀତ ଦିଗକୁ ବୁଲାଇବା ସମୟରେ ଦାରିଙ୍ଗବାଡ଼ିରୁ ବାଲିଗୁଡ଼ା ଅଭିମୁଖେ ଯାଉଥିବା ଦେବାଶିଷଙ୍କ ବାଇକ୍ ସହ ଧକ୍କା ହୋଇଥିଲା।

Dharitri – Odisha’s No.1 Odia Daily

Share