ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସହ…

ଧାମନଗର,୮ା୭(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନରେ ଖୋଲାଖୋଲି ଚାଲୁଛି ବେଆଇନ କରତକଳ। ଏହି ବେଆଇନ କରତକଳଗୁଡିକୁ ଧରିବା ପାଇଁ କାର୍ଯ୍ୟରତ ରେଞ୍ଜର ବବୁଲ ମଲିକ ତୀକ୍ଷ୍ଣ ଦୃଷ୍ଟି ଦେଇଛନ୍ତି। ଭଦ୍ରକ ଡିଏଫ୍‌ଓ ଅରୁଣ କୁମାର ବିଶ୍ୱାଳଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ବନ ସଂରକ୍ଷକ ସୁମିତ୍‌ କୁମାର ମହାନ୍ତିଙ୍କ ନେତୃତ୍ୱରେ ଧାମନଗର ବନାଞ୍ଚଳ ଅଧିକାରୀ ବବୁଲ ମଲିକ, ଧାମନଗର ପୋଲିସ ସହାୟତାରେ ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ ଧାମନଗରସ୍ଥିତ ମୁଳନାସାହିଠାରେ ବେଆଇନ ଭାବେ ଚାଲିଥିବା କରତକଳ ଉପରେ ବୁଧବାର ସକାଳୁ ଚଢ଼ାଉ କରିଛି। ଚଢାଉ ସମୟରେ ବନ ବିଭାଗ ବେଆଇନ କରତ କଳରୁ ପୁଣ୍ଟିଆ, ଜାମୁ, ଶିରିଶ, ବବୁରି, ଚାକୁଣ୍ଡା କାଠ ସମେତ ବିଭିନ୍ନ ଯନ୍ତ୍ରାଂଶ ଜବତ କରିଛି।

ଏହି ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ଧାମନଗର ଫରେଷ୍ଟର ବସନ୍ତ କୁମାର ମାଝୀ, ମଧୁସ୍ମିତା ମହାନ୍ତି, ସୂର୍ଯ୍ୟକାନ୍ତ ପଣ୍ଡା, କୃଷ୍ଣଚନ୍ଦ୍ର ବାସ୍କେ ଓ ଫରେଷ୍ଟ ଗାର୍ଡ ପୀତବାସ ଶଙ୍ଖୁଆ, ସୁହାସିନୀ ସ୍ବାଇଁ, ଲିପିକା ଦାସଙ୍କ ସମେତ ଅନ୍ୟାନ୍ୟ ସ୍କ୍ବାଡ୍‌ ସାମିଲ ଥିଲେ। ଜବତ କାଠ ଓ ଯନ୍ତ୍ରାଂଶର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି। ଚଢ଼ାଉ ସମୟରେ କରତ କଳ ମାଲିକ ଫେରାର ହୋଇଯାଇଥିବା ଜଣାଯାଇଛି। ତେବେ ବେଆଇନ ଭାବେ ବିଭିନ୍ନ ସ୍ଥାନରେ ଚାଲୁଥିବା କରତ କଳଗୁଡିକୁ ସ୍କାନରରେ ରଖାଯାଇଛି। ପର୍ଯ୍ୟାୟ କ୍ରମେ ଏହି ଚଢ଼ାଉକୁ ଜୋରଦାର କରାଯିବ ବୋଲି ରେଞ୍ଜର ବବୁଲ ମଲିକ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share