ବିରୂପା, ଗେଙ୍ଗୁଟି ନଦୀରୁ ବେଆଇନ ବାଲି ଚାଲାଣ

ଚଣ୍ଡିଖୋଲ,୨୦ା୬(ଡି.ଏନ୍‌.ଏ): ଦର୍ପଣ ତହସିଲ ଅଧୀନରେ ବିରୂପା, ଗେଙ୍ଗୁଟି ଓ କେଲୁଅ ନଦୀ ରହିଛି। ମାତ୍ର ବିରୂପା ଓ ଗେଙ୍ଗୁଟି ନଦୀରୁ ଏବେ ବ୍ୟାପକ ଭାବେ ବେଆଇନ ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଛି। ବିରୂପା ନଦୀର ରାମଦାସପୁର-୧ ଓ ରାମଦାସପୁର-୨ ବାଲିଘାଟକୁ ସରକାରୀ ଭାବେ ବାଲି ଉତ୍ତୋଳନ ପାଇଁ ନିଲାମ ଦିଆଯାଇଛି। ତେବେ ଏହାବାଦ ୨ଟି ନଦୀର ବିଭିନ୍ନ ସ୍ଥାନରେ ବେଆଇନ ବାଲିଘାଟ ଚାଲୁଛି। ହଳଧରପୁରଠାରେ ଦିନ ଦ୍ୱିପ୍ରହରେ ବାଲିଉଠାଣ କରି ବିକ୍ରୟ କରାଯାଉଛି। ସେହିପରି ବିରୂପା ନଦୀର ଚାରିନଙ୍ଗଳ, କଳାଶ୍ରୀ, ନାନପୁରଠାରେ ବେଆଇନ ବାଲିଘାଟ ଚାଲୁଥିବା ବେଳେ ଗେଙ୍ଗୁଟି ନଦୀର ରାଧାଦେଈପୁର, ବାଙ୍ଗିରିପୋଷି, ବଡ଼ଘୁମୁରି, ବେଣାପୁର ଓ ଖଡ଼ଇଙ୍ଗଠାରେ ବେଆଇନ ବାଲିଘାଟ ଚାଲୁଛି।
ତହସିଲ ତରଫରୁ ବିଭିନ୍ନ ସମୟରେ ଚଢ଼ାଉ ଜାରି ରହିଥିଲେ ମଧ୍ୟ ବାଲି ମାଫିଆ ରାସ୍ତାକଡ଼ରେ ଜଗିରହି ବାଲିଚାଲାଣ କରୁଛନ୍ତି। ଏହାଦ୍ୱାରା ସରକାର ଲକ୍ଷଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି। ରାମଦାସପୁରଠାରେ ଦିଆଯାଇଥିବା ନିଲାମୀ ଘାଟରୁ କେବଳ ସରୁ ବାଲି ମିଳୁଛି। ତେଣୁ ରାସ୍ତା ଓ ଘର କାମ ପାଇଁ ମୋଟା ବାଲିର ଆବଶ୍ୟକତା ଥିବା ହେତୁ ବହୁସଂଖ୍ୟାରେ ଟ୍ରାକ୍ଟର ଓ ଟ୍ରକ୍‌ ଯୋଗେ ରାତିରେ ଏହି ଚୋରା କାରବାର ଚାଲିଛି। ହଳଧରପୁର ଦର୍ପଣ ତହସିଲର ଶେଷ ମୁଣ୍ଡ ହୋଇଥିବା ଯୋଗୁ ଏଠାରେ ଧରପଗଡ଼ କମ ହେଉଛି। ଯେଉଁଥିପାଇଁ ଚୋରାବାଲି ମାଫିଆ ଦିନ ଦ୍ୱିପ୍ରହରରେ ଟ୍ରାକ୍ଟର ଲଗାଇ ବାଲି ଚାଲାଣ କରୁଛନ୍ତି। ଏ ସମ୍ପର୍କରେ ତହସିଲଦାର ପ୍ରଦୀପ କୁମାର ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି, ବେଆଇନ ବାଲି ଚାଲାଣ ସମ୍ପର୍କିତ ଖବର ମିଳିଲେ ସଙ୍ଗେସଙ୍ଗେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ତେବେ ଆଗକୁ ଏହି ଚଢ଼ାଉ ଜୋରଦାର ହେବ। ଏବେ ଦେଖିବାକୁ ଅପେକ୍ଷା ତହସିଲ ପ୍ରଶାସନ ବାଲି ଚୋରାଚାଲାଣ ରୋକିବାରେ ସଫଳ ହେଉଛି ନା ବିଫଳ ହେଉଛି।