କୋମଣ୍ଡରେ ପୁଣି ବେଆଇନ ମାଙ୍କଡ଼ାପଥର ଖଣି

ନୟାଗଡ଼ ଅଫିସ,୧।୭(ଲୋକନାଥ ମିଶ୍ର)/ଓଡ଼ଗଁା(ଆଦର୍ଶ ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗଁା ତହସିଲ କୋମଣ୍ଡ ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା କୋମଣ୍ଡ, ବାଦଭୂଇଁ, ଭଗବତୀପ୍ରସାଦ, ରୋହିବାଙ୍କ, ଉଦୟପୁର ଅଞ୍ଚଳରେ ପୁଣି ବେଆଇନ ଭାବେ ମାଙ୍କଡ଼ାପଥର ଓ ମୋରମ ଖଣି ଖନନ ଚାଲିଛି। କିଛିଦିନର ନୀରବତା ପରେ ଖଣି ଚୋର ସକ୍ରିୟ ହୋଇ ଉଠିଛନ୍ତି। ତେବେ ଖଣି ଖନନ ଓ ମାଲ ପରିବହନ ରାତିରେ ଚାଲିଛି। ପ୍ରାୟ ମାସେ ହେଲା ବେଆଇନ ଖଣି ଖନନ ଚାଲିଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଧରପଗଡ଼ ନାହିଁ। ବେଆଇନ ଖଣି ଖନନ ଘଟଣାରେ ଜାନୁୟାରୀ ୩ରେ କୋମଣ୍ଡର ତତ୍‌କାଳୀନ ଆର୍‌ଆଇ ସୁଧୀର କୁମାର ପରିଡା ନିଲମ୍ବିତ ହୋଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ତହସିଲଦାର ବିଜୟିତା ସାମନ୍ତସିଂହାର ବଦଳି ହୋଇଥିଲେ। ଆର୍‌ଆଇଙ୍କ ନିଲମ୍ବନ ଓ ତହସିଲଦାରଙ୍କ ବଦଳି ଏଠାରେ କିଛି ଫରକ ପଡ଼ିଲାନାହିଁ। ବେଆଇନ ପଥର ଖଣି ଖନନକୁ ରୋକାଯାଉ ନ ଥିବାରୁ ସରକାର ରାଜସ୍ବ ହରାଇ ଚାଲିଛନ୍ତି।
କୋମଣ୍ଡ ମାଙ୍କଡ଼ା ପଥର ଓ ମୋରମ ଖଣି ବେଆଇନ ଭାବେ ଚାଲିଥିଲା। ବାରମ୍ବାର ଅଭିଯୋଗ ପରେ କିଛି ଫରକ ପଡୁ ନ ଥିଲା। ତେବେ ୨୦୨୨ ଡିସେମ୍ବର ଓ ୨୦୨୩ ଜାନୁୟାରୀରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶନ ପରେ ନୟାଗଡ଼ ଜିଲାପାଳ ଚଢ଼ାଉ କରିଥିଲେ। ଚଢ଼ାଉ ପରେ ଅନିୟମିତତା ଜଣାପଡ଼ିଥିଲା। ଜାନୁୟାରୀ ୩ରେ ଜିଲାପାଳ ଆର୍‌ଆଇଙ୍କୁ ନିଲମ୍ବିତ କରିଥିଲେ। ପରେ ଉପଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶକୁ ଭିତ୍ତି କରି ଜିଲାପାଳ ତହସିଲଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅବଗତ କରାଇଥିଲେ। କିଛିଦିନ ପରେ ଓଡ଼ଗଁାର ତତ୍‌କାଳୀନ ତହସିଲଦାର ବିଜୟିତା ସାମନ୍ତସିଂହାର ବଦଳି ହୋଇଥିଲେ। ତେବେ ତହସିଲଦାରଙ୍କୁ କେବଳ ବଦଳି କରିଦେବା ପରେ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ସେ ସମୟରେ ବେଆଇନ ଖଣିକୁ ଚଳାଇବା ପାଇଁ ତହସିଲଦାର, ଆର୍‌ଆଇ, ରାଜନେତା, ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି କେତେଜଣ ଗଣମାଧ୍ୟମର ପ୍ରତିନିଧି ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ପଥର ଚୋରମାନେ ଜଣେ ଖବରଦାତାଙ୍କ ଜରିଆରେ ଲାଞ୍ଚ ଟଙ୍କା ଦେଉଥିବା ଚର୍ଚ୍ଚା ହୋଇଥିଲା। ଏବେ ପୁଣି ଲାଞ୍ଚ କାରବାର କରି ବେଆଇନ ଖଣି ଖନନ ଆରମ୍ଭ ହୋଇଛି ବୋଲି ଅଭିଯୋଗ ଉଠିଛି। ଏ ନେଇ ଜଣେ ପଥର ଚୋର କହିଛନ୍ତି, ଭାଇଙ୍କର ପ୍ରତ୍ୟକ୍ଷ ଆଶୀର୍ବାଦ ରହିଛି। ଖଣି ଖନନ ଦିନବେଳା ନୁହେଁ ରାତିରେ କରିବାକୁ ମୌଖିକ ନିର୍ଦ୍ଦେଶ ମିଳିଛି। ଆମେ ଭାଇଙ୍କ କଥା ମାନି ରାତିରେ ଖନନ କରୁଛୁ। ଏଥର ଅସୁବିଧା ହେବନି। ପ୍ରଶାସନିକସ୍ତରରେ ସହଯୋଗ ମିଳୁଛି। ଆମକୁ ହଇରାଣ କରନ୍ତୁ ନାହିଁ। ଆମେ ତ ପୁଣି ବଞ୍ଚତ୍ବୁ ବୋଲି ସେ କହିଛନ୍ତି।