କାଉଡୋଳା ମୁଟୁରା ନଦୀ ପଠାରେ ଚାଲିଛି ବେଆଇନ ଇଟାଭାଟି

କୋକସରା, ୫।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲା କୋକସରା ତହସିଲ ଅନ୍ତର୍ଗତ କାଉଡୋଲା ମୁଦ୍ରା ନଦୀ କୂଳରେ ବେଧଡକ ଭାବେ ଚାଲିଛି ଏବେ ବେଆଇନ ଇଟାଭାଟି। ସରକରୀ ନିୟମ ମୁତାବକ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଗୁଡିକରେ ପ୍ରଥମେ ରାଜସ୍ବ ଫିସ ଜମା କରି ଇଟା ତିଆରି କରିବା କଥା ଓ ଇଟାଭାଟି କ୍ଷମତା ଅନୁସାରେ ରାଜସ୍ବର ପରିମାଣ ଭିନ୍ନ ଭିନ୍ନ ହୋଇଥାଏ। କିନ୍ତୁ ଏହି ଇଟା ବେପାରୀ ତହସିଲ ବିଭାଗର ବିନା ଅନୁମତିରେ ନଦୀ ପଠାର ଜମିରେ ଲକ୍ଷ ଲକ୍ଷ ଇଟା ତିଆରି କରି ପୋଡୁଥିବା ଦେଖିବାକୁ ମିଲିଛି। ପ୍ରତିବର୍ଷ ଏହି ଅଞ୍ଚଳରେ ଅନେକ ଇଟା ବେପାରି ବେଆଇନ ଭାବରେ ଇଟା ତିଆରି କରିଆସୁଛନ୍ତି। ଏବେ ମଧ୍ୟ କାଉଡୋଲା ନଦୀ ପଠାରେ ଦୀର୍ଘ ଦିନରୁ ଇଟା ବେପାରି ଜଣକ ଲକ୍ଷ ଲକ୍ଷ ଇଟା ତିଆରି କରି ମାଲାମାଲ ହେଉଥିବା ବେଳେ ସରକାରଙ୍କ ଲକ୍ଷାଧିକ ଟଙ୍କା ରାଜସ୍ବ ହାନୀ ହେଉଛି। ଏନେଇ କୋକସରା ତହସିଲଦାର ମନୋଜ ପାଢିଙ୍କୁ ପଚାରିବାରୁ ଘଟଣା ମୋ ନଜରକୁ ଆସିଛି। ଖୁବ୍‌ ଶୀଘ୍ର ବେଆଇନ ଇଟାଭାଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଛନ୍ତି।