ଜନଗହଳିପୂର୍ଣ୍ଣ ସ୍ଥାନରେ ୪୦ ବର୍ଷ ଧରି ଚାଲିଛି ବେଆଇନ ବାଣ କାରଖାନା, ପ୍ରଚଣ୍ଡ ଶଦ୍ଦରେ ଥରୁଛି ଅଞ୍ଚଳ

ମହାକାଳପଡ଼ା/ମାର୍ଶାଘାଇ,୫ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ମାର୍ଶାଘାଇ ଥାନା ତେରଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓସ୍ତର ଗ୍ରାମରେ ଥିବା ଏକ ବାଣ କାରଖାନାରେ ଗୁରୁବାର ଅପରାହ୍ନ ପ୍ରାୟ ୧ଟା ୩୦ରେ ବିସ୍ଫୋରଣ ଘଟିଛି। ହାବେଳି ବାଣ ଭିଡୁଥିବାବେଳେ ବିସ୍ଫୋରଣ ଘଟି ୩ବଖରା ଘର ଜଳିଯାଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପ୍ରଚଣ୍ଡ ଶଦ୍ଦ ସହ ଆଖପାଖ ଅଞ୍ଚଳ ଥରି ଉଠିଥିଲା। ଏଥିରେ ମଦ କାରଖାନା ପଖରେ ରୋଷେଇ କରୁଥିବା ବିଳାସୀ ମଲ୍ଲିକ(୬୫) ଗୁରୁତର ହୋଇଛନ୍ତି। ତାଙ୍କୁ କେନ୍ଦ୍ରାପଡ଼ା ଜିଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ଖବରପାଇ ମାର୍ଶାଘାଇ ପୋଲିସ ଟିମ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମହାକାଳପଡ଼ା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ ସବିଶେଷ ତଥ୍ୟ ରିପୋର୍ଟ ପ୍ରଦାନ ପାଇଁ ଯଦୁପୁର ରାଜସ୍ବ ସର୍କଲ ନିରୀକ୍ଷକ ରଘୁନାଥ ହାଁସଦା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅପରପକ୍ଷରେ ଆଦିକନ୍ଦ ମଲିକ ଓ ଗଦାଧର ମଲିକ ବେଆଇନଭାବେ ଏହି ବାଣ କାରଖାନା କରିଥିଲେ। ହେଲେ ଜିଲା ପ୍ରଶାସନ ପାଖରେ କିପରି ଏହାର ଖବର ନ ଥିଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। କେବଳ ଏହି ଥର ନୁହେଁ, ପୂର୍ବରୁ ମଧ୍ୟ ଏକାଧିକ ଥର ବାଣ କାରଖାନାରେ ବିସ୍ଫୋରଣ ଘଟିଛି ବୋଲି ଗ୍ରାମବାସୀ କହିଛନ୍ତି। ଏହି ଘଟଣା ପରେ ଆଦିକନ୍ଦ ଓ ଗଦାଧର ଫେରାର ହୋଇଯାଇଛନ୍ତି। କାରଖାନା ପାଖରେ ଥିବା ଏକ କୋଠାଘରୁ ବାଣ ପ୍ରସ୍ତୁତି ପାଇଁ ରଖାଯାଇଥିବା କଞ୍ଚାମାଲକୁ ଜବତ କରାଯାଇଛି ବୋଲି ମାର୍ଶାଘାଇ ଥାନା ଆଇଆଇସି ତପନ ନାୟକ କହିଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ ରଘୁରାମ ଆର ଆୟରଙ୍କୁ ପଚାରିବାରେ ଉକ୍ତ ବାଣ କାରଖାନା ବେଆଇନଭାବେ ଚାଲିଥିଲା ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Share