ଦିଗାମ୍ବରପୁର ଛକରେ ବେଆଇନ ଚିପ୍ସ, ମୋରମ ୟାର୍ଡ

କଳିଙ୍ଗନଗର,୬ା୨(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଶାସନ ନିକଟ ଦିଗାମ୍ବରପୁର ଛକଠାରେ ପ୍ରାୟ ୧୦ ଏକର ଜମିରେ ବିପୁଳ ପରିମାଣର ଚିପ୍ସ ଓ ମୋରମ ପାହାଡ଼ ଭଳି ଗଦା ହୋଇଛି। ତେବେ ଏଠାରୁ ନକଲି ଟ୍ରାନ୍‌ଜିଟ ପାସ୍‌ (ଟିପି) ଦ୍ୱାରା କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନାର ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥାକୁ ଏସବୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଦାନଗଦି ତହସିଲ ଅଫିସ୍‌ରେ ମାତ୍ର ୧ ଲକ୍ଷ ଟଙ୍କା ରାଜସ୍ବ ଜମା କରି ପ୍ରାୟ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଚିପ୍ସ ଓ ମୋରମ ଲୁଟ୍‌ ହେଉଛି। ଏଥିରୁ ସରକାର ବିପୁଳ ରାଜସ୍ବ ହରାଉଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ ମୋଟାଅଙ୍କର ହାତଗୁଞ୍ଜା ଯୋଗୁ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ଅଭିଯୋଗ ହେଉଛି।

ଯାଜପୁର ଜିଲା ଦାନଗଦି ତହସିଲ ଅନ୍ତର୍ଗତ ମନୋହରପୁର ଓ ଯଖପୁରା ମୌଜାରୁ ପ୍ରାୟ ୬ ମାସ ହେବ ପ୍ରଶାସନର ଜାଣତରେ ମୋରମ ଲୁଟ୍‌ ହୋଇ ଆସୁଛି। ଦିଗାମ୍ବରପୁର ଛକଠାରେ ପାହାଡ଼ ଭଳି ମୋରମ ଓ ଚିପ୍ସ ଗଚ୍ଛିତ ରଖି ୟାର୍ଡ କରାଯାଇଛି। ଏହା ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନକୁ ଉଲ୍ଲଂଘନ କରୁଥିଲେ ହେଁ ସମ୍ପୃକ୍ତ ଅଧିକାରୀମାନେ ଓଲଟା ଖଣିଜ ଲୁଟେରାଙ୍କ ସହଯୋଗୀ ପାଲଟିଛନ୍ତି। ଫଳରେ ଆଖପାଖ ଅଞ୍ଚଳବାସୀ ନାହିଁ ନ ଥିବା ପ୍ରଦୂଷଣର ଶିକାର ହେଉଛନ୍ତି। ଧର୍ମଶାଳା ତହସିଲ ଅଞ୍ଚଳର ଡଙ୍କାରୀ, ରାହାଡପୁର, କୁସୁନପୁର, ବିଛାଖଣ୍ଡି, ବାଜବାଟି, ଚଢେଇଧରା ପ୍ରଭୃତି ପାହାଡ଼ ପାଦଦେଶରେ ଏବେ ବି ଶତାଧିକ ବେଆଇନ କ୍ରଶର ଗଢ଼ିଉଠିଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ସିଲ୍‌ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ସେହିସବୁ ପଦକ୍ଷେପ କେବଳ ସ୍ଥାନ ଓ ମାଲିକ ଚିହ୍ନଟ କରି ବଟି ଆଦାୟ କରିବାକୁ ଉଦ୍ଦିଷ୍ଟ ଥିଲା ବୋଲି ଏବେ ସବୁଠି ଚର୍ଚ୍ଚା ହେଉଛି। ଏହି କାରଣରୁ କ୍ଲଷ୍ଟର ୟୁନିଟ୍‌କୁ ମଧ୍ୟ ଜିଲା ପ୍ରଶାସନ ଜାଣିଶୁଣି ବିଭିନ୍ନ ଆଳ କରି ସମୟ ଗଢ଼ାଇ ଚାଲିଛନ୍ତି । ଏହାର ସୁଯୋଗରେ ବ୍ୟବସାୟୀମାନେ ବେଆଇନ କଳାପଥର ଖାଦାନ ସାଙ୍ଗକୁ କ୍ରଶର ସ୍ଥାପନ କରି ସରକାରଙ୍କ ବିପୁଳ ରାଜସ୍ବ ହାନି କରି ଚାଲିଛନ୍ତି। ଏହିସବୁ ବେଆଇନ କ୍ରଶରଗୁଡ଼ିକରୁ ଦୈନିକ ହାଇୱା ଗାଡିରେ ଓଭରଲୋଡିଂ ହୋଇ ଶତାଧିକ ଟ୍ରିପ୍‌ ଦିଗାମ୍ବରପୁର ଛକ ୟାର୍ଡକୁ ସ୍ଥାନାନ୍ତର କରାଯାଉଛି। ଏହି ୟାର୍ଡକୁ କେତେଜଣ ପ୍ରଭାବଶାଳୀ ପରିଚାଳନା କରୁଥିବାରୁ ଜିଲା ପ୍ରଶାସନ ହାତ ମାରିବାକୁ ସାହସ ଜୁଟାଇ ପାରୁନାହିଁି। ଏହି ବେଆଇନ କାର୍ଯ୍ୟରେ ଜେନାପୁର, ଯଖପୁରା ଓ କଳିଙ୍ଗନଗର ଥାନା ପୋଲିସ ସହଯୋଗ କରୁଥିବା ମଧ୍ୟ ଅଭିଯୋଗ ହେଉଛିି। କାରଖାନା କାର୍ଯ୍ୟ ଲାଗି ବିକ୍ରି ହୋଇଥିବା ଚିପ୍ସ ବାବଦ ଅତୀତର ଟିପିଗୁଡ଼ିକୁ ତଦନ୍ତ କରାଗଲେ ସମସ୍ତ ଦୁର୍ନୀତି ପଦାକୁ ଆସିପାରନ୍ତା ବୋଲି କୁହାଯାଉଛି।