ବଲାଙ୍ଗୀରରେ ବେଆଇନ ଗଞ୍ଜେଇ ବେପାରର ପର୍ଦ୍ଦାଫାଶ: ୨୧ କେଜି ଗଞ୍ଜେଇ ସହ ଦେଶୀ ପିସ୍ତଲ ଜବତ, ୨ କୁଖ୍ୟାତ ଅଭିଯୁକ୍ତ ଗିରଫ

ବଲାଙ୍ଗୀର, ୬।୧୧(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ସହରରେ ପୁଣି ଗଞ୍ଜେଇ କାରବାରର ପର୍ଦ୍ଦାଫାଶ କରିଛି ଟାଉନ୍ ଥାନା ପୋଲିସ। ସହରର ନୂଆ ବସଷ୍ଟାଣ୍ଡ ପଛପଟ ରାଜୀବ ନଗର ଅଞ୍ଚଳରେ ଚାଲିଥିବା ଏହି ବେଆଇନ କାରବାର ଉପରେ ଚଢ଼ାଉ କରି ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜୀବ ନଗରର ଜିତେନ୍ଦ୍ର ସାହୁ (୩୩) ଏବଂ ବକ୍ସି ଉଡ଼ାରର ମୌସମ ତ୍ରିପାଠୀ (୨୬)।

ସୂଚନା ଅନୁଯାୟୀ, ଟାଉନ୍ ଥାନା ପୋଲିସ ପକ୍ଷରୁ ନୂଆ ବସଷ୍ଟାଣ୍ଡ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ସମୟରେ ରାଜୀବ ନଗର ବସ୍ତିରେ ଗଞ୍ଜେଇ ବେପାର ଚାଲିଥିବା ନେଇ ଖବର ମିଳିଥିଲା। ଟାଉନ୍ ଥାନା ଆଇଆଇସି ଅବନୀ ସାହୁଙ୍କ ନିର୍ଦ୍ଦେଶରେ ଏସଡିଏମଙ୍କୁ ଅବଗତ କରାଯିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ତଲାସୀ ବେଳେ ଅଭିଯୁକ୍ତଙ୍କ ନିକଟରୁ ୨୧ କେଜି ୫୦୦ ଗ୍ରାମ ଗଞ୍ଜେଇ, ଗୋଟିଏ ଦେଶୀ ପିସ୍ତଲ ଏବଂ ଦୁଇଟି ମୋବାଇଲ ଫୋନ୍ ଜବତ ହୋଇଛି।

ପୋଲିସ ସୂଚନା ଅନୁସାରେ, ଗିରଫ ଜିତେନ୍ଦ୍ର ସାହୁ ଏବଂ ମୌସମ ତ୍ରିପାଠୀ ଉଭୟଙ୍କ ନାଁରେ ପୂର୍ବରୁ ଅବକାରୀ ଆଇନ, ଏନଡିପିଏସ୍ ଆକ୍ଟ ଏବଂ ବିଏନଏସ୍ ଅନୁଯାୟୀ ଏକାଧିକ ମାମଲା ରହିଛି। ଏନଡିପିଏସ୍ ଏବଂ ଆର୍ମସ୍ ଆକ୍ଟ ଅନୁଯାୟୀ କେସ୍ ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ବିପୁଳ ପରିମାଣର ଗଞ୍ଜେଇ ଓ ବେଆଇନ ବନ୍ଧୁକ କେଉଁଠାରୁ ଆସିଥିଲା, ସେ ନେଇ ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି।

Dharitri – Odisha’s No.1 Odia Daily

Share