କୁଟୀରଶିଳ୍ପରେ ପରିଣତ ହେଲାଣି ବେଆଇନ ଇଟାଭାଟି

ଢେଙ୍କାନାଳ,୧୧ା୨(ରତନ ନାୟାର)ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକର କଣ୍ଟାବଣିଆ ଥାନା ଓ ମୋଟଙ୍ଗା ଥାନା ମଧ୍ୟରେ ଥିବା ବ୍ରାହ୍ମଣୀ ନଦୀକୂଳ ଅଞ୍ଚଳରେ ଚାଲିଛି ବେଆଇନ ନାଲି ଇଟାଭାଟି ବେପାର। ବହୁ ପରିମାଣର ଇଟାଭାଟି ଏଠାରେ ଥିବାବେଳେ ଦୈନିକ ନୂଆ ନୂଆ ଭାଟି କରାଯାଇ ଇଟା ପୋଡ଼ାଯାଉଛି। ଦୀର୍ଘଦିନ ହେଲା ଏହି ବେଆଇନ ବେପାର ଏଠାରେ ଜାରି ରହିଥିବାରୁ ଏହା ଏକ କୁଟୀର ଶିଳ୍ପରେ ପରିଣତ ହୋଇଥିବା କୁହାଯାଉଛି।
ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ବ୍ରାହ୍ମଣୀ ନଦୀ କୂଳ ଅଞ୍ଚଳରେ ବେଆଇନ ଇଟା ଭାଟି ଗଢ଼ିଉଠିବା ନୂଆ ନୁହେଁ। ବର୍ଷ ବର୍ଷ ଧରି ଅନେକ ପ୍ରଭାବଶାଳୀ ବ୍ୟକ୍ତି ଏହି କାରବାର ସହିତ ସମ୍ପୃକ୍ତ ରହିଛନ୍ତି। ଏହି ବେଆଇନ କାରବାର ସମ୍ପର୍କରେ ପ୍ରଶାସନ, ଶ୍ରମ ବିଭାଗ ଓ ପୋଲିସ ନିକଟରେ ଖବର ରହିଛି। କିନ୍ତୁ କଁା ଭଁା କେତେବେଳେ ଚଢ଼ାଉକୁ ବାଦ୍‌ ଦେଲେ କୌଣସି କଡ଼ା କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏପରି କି ୨୦୨୩ ଡିସେମ୍ବର ୧୫ ରୁ ୨୦୨୪ ଫେବୃଆରୀ ୧୦ ମଧ୍ୟରେ ଅଘଟଣ ଘଟି ୫ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ତଥାପି ପୋଲିସ, ଶ୍ରମ ବିଭାଗ ଓ ପ୍ରଶାସନର ଚେତା ପଶୁନାହିଁ। ବିଶେଷକରି ସ୍ଥାନୀୟ ଅଞ୍ଚଳର ରାଜସ୍ବ ନିରୀକ୍ଷକ ଏଭଳି ବେଆଇନ କାର୍ଯ୍ୟପ୍ରତି ଆଖି ବନ୍ଦ କରିଦେଇଛନ୍ତି। ଏହାର ସୁଯୋଗ ନେଇ ସମ୍ପୃକ୍ତ ଭାଟି ମାଲିକମାନେ ଏହି ବେଆଇନ କାରବାରକୁ ଅଧିକରୁ ଅଧିକ ବଢ଼ାଇ ଚାଲିଛନ୍ତି। ଏହି ବେଆଇନ ଇଟାଭାଟି ମାଲିକମାନେ ବେଶ୍‌ ପ୍ରଭାବଶାଳୀ ହୋଇଥିବାରୁ ରାଜସ୍ବ ବିଭାଗ ଠାରୁ ଆରମ୍ଭ କରି ପ୍ରଶାସନ ଓ ଶ୍ରମ ବିଭାଗ ସେମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଉଛି। କମଳାଙ୍ଗ ଦୁର୍ଗାପୁରସ୍ଥିତ ଏକ ବେଆଇନ ନାଲି ଇଟାଭାଟିରେ ଶନିବାର ୩ ଶ୍ରମିକଙ୍କ ମୃତ୍ୟୁ ଘଟଣା ପରେ ସେଠାରେ କାମ କରୁଥିବା ପ୍ରାୟ ୧୫ଜଣ ଶ୍ରମିକ ଭୟଭୀତ ହୋପଡ଼ିଛନ୍ତି। ସେମାନେ ପରିବାର ଓ ପିଲାଙ୍କୁ ଧରି ଅତି ବିପଦପୂର୍ଣ୍ଣ ଭାବେ ଛୋଟ ଛୋଟ ଟୁଙ୍ଗି ଘରେ ରହି ଇଟାଭାଟିରେ କାମ କରୁଥିବାରୁ ଅଘଟଣର ଆଶାଙ୍କା ରହିଛି। ଅନ୍ୟପଟରେ ଉକ୍ତ ବାଟଦେଇ ଅଧିକାଂଶ ସମୟରେ ହାତୀପଲ ବ୍ରାହ୍ମଣୀ ନଦୀ ପାର ହେଉଥିବାରୁ ଏହା ମଧ୍ୟ ଶ୍ରମିକମାନଙ୍କୁ ଅଧିକ ଭୟଭୀତ କରିଦେଉଛି। କେଉଁ ସ୍ବାର୍ଥରେ ପ୍ରଶାସନ, ପୋଲିସ ଓ ଶ୍ରମ ବିଭାଗ ଏପରି ବେଆଇନ ଇଟାଭାଟି ମାଲିକମାନଙ୍କୁ ଅନୁକମ୍ପା ଦେଖାଉଛି, ତାହା ତଦନ୍ତ ସାପେକ୍ଷ। ଘଟଣା ସମ୍ପର୍କରେ ଓଡ଼ାପଡ଼ା ତହସିଲଦାର ମହେଶ୍ୱର ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ କିଛି କହିପାରିବେ ନାହିଁ ବୋଲି କହିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ରବିବାର ଠାରୁ ଯୋଜନାବଦ୍ଧ ଭାବରେ ପୋଲିସ ସହଯୋଗରେ ବେଆଇନ ଇଟାଭାଟି ଉପରେ ଚଢ଼ାଉ ହେବ ବୋଲି ଜିଲାପାଳ ମନୋରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପିଙ୍କ ସହିତ ମଧ୍ୟ ଆଲୋଚନା ହୋଇଛି ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।

ବେଆଇନ ଇଟା ଭାଟିରେ ଛତିଶଗଡ଼ରୁ ଆସି ଶ୍ରମିକ ଭାବେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ଯଦୁ ପ୍ରସାଦ କୁହନ୍ତି, ୧୫ଦିନ ହେଲା ଆମେ ଗୋଟିଏ ଗ୍ରାମରୁ ଆସି ପ୍ରାୟ ୧୫ଜଣ ଏଠାରେ ଶ୍ରମିକ ଭାବେ କାମ କରୁଛୁ। ସପ୍ତାହକୁ ସପ୍ତାହ ଆମକୁ ମଜୁରି ମିଳେ। ଏହି ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁ ତାରବାଡ଼ ଲଗାଯାଇଛି। ଏହି ଟୁଙ୍ଗି ଘରେ ଆମେ ରହୁଛୁ। ଶୁକ୍ରବାର ସନ୍ଧ୍ୟାରେ ଶ୍ରମିକ ମେଘନାଦ, ତାଙ୍କ ସ୍ତ୍ରୀ ନିରା, ସାନପୁଅ ଜିତୁ ଓ ବଡପୁଅ ଶିବଦାସ ଏକ ନୂଆ ଭାଟିରେ ନିଆଁ ଲଗାଇଥିଲେ। ପରେ ହାତୀ ଭୟରେ ଉପରେ ଚଢ଼ି ଘୋଡେଇ ହୋଇ ଶୋଇପଡିଥିଲେ। ଧୂଆଁରେ ଅଣନିଃଶ୍ୱାସୀ ହୋଇ ସେମାନଙ୍କ ମୃତ୍ୟୁ ଘଟିଛି ବୋଲି ଯଦୁ ପ୍ରସାଦ ପ୍ରକାଶ କରିଛନ୍ତି।