ସହରରୁ ହଟିବ ଜବରଦଖଲ

ଢେଙ୍କାନାଳ ଅଫିସ, ୨୯।୬ – ଢେଙ୍କାନାଳ ସହରର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ କବ୍‌ଜା କରି ବସିଛନ୍ତି ଜବରଦଖଲକାରୀ। ଟ୍ରାଫିକ୍‌ ସମସ୍ୟା ଅଣାୟତ୍ତ ହେଲାଣି। ସେମାନଙ୍କୁ ହଟାଇବା ଲାଗି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ଏମ୍‌ପି ମହେଶ ସାହୁ। ସରକାରୀ ଜାଗା ମାଡ଼ି ବସିଥିବା ବ୍ୟକ୍ତି ଏବଂ ବ୍ୟବସାୟୀଙ୍କୁ ତୁରନ୍ତ ଉଚ୍ଛେଦ କରିବାକୁ ସେ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲାର ବିକାଶ ତ୍ୱରାନ୍ବିତ କରିବା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରଖି ଲୋକଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଲକ୍ଷ୍ୟରେ ମଙ୍ଗଳବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ଜିଲା ଉନ୍ନୟନ ସମନ୍ବୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ। ଏଥିରେ ଏମ୍‌ପି ଅଧ୍ୟକ୍ଷତା କରି କଲେଜ ରୋଡ୍‌, ଦକ୍ଷିଣକାଳୀ ରୋଡ୍‌, ଜଗନ୍ନାଥ ରୋଡ୍‌, ବାଜିଚୌକ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରୁ ଜବରଦଖଲ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ସମସ୍ତ ଯୋଜନାର ସଫଳ ରୂପାୟନ, କାର୍ଯ୍ୟରେ ସ୍ବଚ୍ଛତା, ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଚାଷୀ ଏବଂ ହିତାଧିକାରୀଙ୍କୁ ବ୍ୟାଙ୍କ ଋଣ ପ୍ରଦାନରେ ରାଜ୍ୟରେ ୩୦ତମ ସ୍ଥାନରେ ରହିଛି ଢେଙ୍କାନାଳ। ତେଣୁ କୃଷିର ବିକାଶ ଲାଗି ଅଧିକ ଋଣ ପ୍ରଦାନ କରିବାକୁ ଲିଡ୍‌ ବ୍ୟାଙ୍କ ମ୍ୟାନେଜରଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ସ୍ବୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନରେ ଜିଲା ୪ର୍ଥ ସ୍ଥାନରେ ରହିଛି। ଏଥିରେ ଉନ୍ନତି ଆଣିବା ଲାଗି ପରାମର୍ଶ ଦିଆଯାଇଛି। କରୋନା ସମୟରେ ମିଳିଥିବା ଅନୁଦାନ ଅର୍ଥରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନାହିଁ। ପୁରୁଣା କାର୍ଯ୍ୟ ତୁରନ୍ତ ସାରିବାକୁ ଏମ୍‌ପି ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍‌ କରିଛନ୍ତି। ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା ଠିକ୍‌ କାର୍ଯ୍ୟକାରିତା, ପ୍ରତି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ଏବଂ କର୍ମଚାରୀ ନିଯୁକ୍ତି ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ବିଧାୟକ ସୁଧୀର କୁମାର ସାମଲ ଆଲୋଚନାରେ ଭାଗନେଇ ସରକାରୀ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲାଗି ଅଧିକାରୀ ଏବଂ ଜନପ୍ରତିନିଧିମାନେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ କହିଥିଲେ। ଜିଲାପାଳ ସରୋଜ କୁମାର ସେଠୀ ଜନ ପ୍ରତିନିଧି-ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ରକ୍ଷାକୁ ଗୁରୁତ୍ୱ ଦେଇଥିଲେ। ୨୦୨୪ ମାର୍ଚ୍ଚ ସୁଦ୍ଧା ଜିଲାରେ ସମସ୍ତ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ, ଉଦ୍ୟାନ କୃଷି ଯୋଜନାରେ ୩୦ ହେକ୍ଟର ଜମିରେ ନଡ଼ିଆ, ପିଜୁଳି, ଅମୃତଭଣ୍ଡା, କଦଳୀ ଚାଷ କରାଯିବ ବୋଲି ସୂଚନା ଦିଆଯାଇଛି। ଏଥିସହ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ, ଶିକ୍ଷା ଯୋଜନାରେ ଛାତ୍ରୀଛାତ୍ରଙ୍କୁ ଅନ୍ତର୍ଭୁକ୍ତ କରିବା, ଅଧିକରୁ ଅଧିକ ବନୀକରଣ, ବିଦ୍ୟାଳୟରେ ପୋଷଣ ବଗିଚା ସୃଷ୍ଟି ଆଦି ବିଷୟରେ ଆଲୋଚନା କରାଯାଇଥିଲା।
ବୈଠକରେ ଜିଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଡିଏଫ୍‌ଓ ଡା. ପ୍ରକାଶଚାନ୍ଦ ଗୋଗିନେନି, ପିଡି ଡିଆର୍‌ଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ପିଡି ଡିଆର୍‌ଡିଏ ସରୋଜ କୁମାର ଦତ୍ତଙ୍କ ସମେତ, ସମସ୍ତ ବ୍ଲକ, ଏନ୍‌ଏସିର ଅଧ୍ୟକ୍ଷା ଅଧ୍ୟକ୍ଷ, ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।