ସେମିକଣ୍ଡକ୍ଟର ନିର୍ମାଣ କରିବ ଆଇଆଇଟି ଭୁବନେଶ୍ୱର

ଭୁବନେଶ୍ୱର,୨୫।୭ (ବ୍ୟୁରୋ): ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଆଇଆଇଟି ଭୁବନେଶ୍ୱର ଗସ୍ତରେ ଆସି ଛାତ୍ରୀଛାତ୍ରମାନଙ୍କୁ ଷ୍ଟାର୍ଟଅପ୍‌ କାର୍ଯ୍ୟକ୍ରମ ପାଇଁ ଉତ୍ସାହିତ କରିଛନ୍ତି। ଏପରିକି ଷ୍ଟାର୍ଟଅପ୍‌ କାର୍ଯ୍ୟକ୍ରମ ପାଇଁ ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରି ବୈଷ୍ଣବ କହିଛନ୍ତି, ବର୍ତ୍ତମାନ ଭାରତରେ ୭୪ହଜାର ଷ୍ଟାର୍ଟଅପ୍‌ ରହିଛି। ୨୦୧୪-୧୫ରେ ଏହା ମାତ୍ର ୪ଶହ ରହିଥିଲା। ଏହାପୂର୍ବରୁ ବୈଷ୍ଣବ ଆଇଆଇଟି-ଭୁବନେଶ୍ୱର ଲାବୋରେଟୋରି ପରିଦର୍ଶନ କରି ଖୁସିବ୍ୟକ୍ତ କରିବା ସହ ଆଜାଦୀ କା ଅମୃତ ମହୋତ୍ସବ କାଳରେ ନୂତନ ଚିନ୍ତାଧାରା ଏବଂ ନୂତନତ୍ୱ ଆଣିବା ପାଇଁ ଛାତ୍ରୀଛାତ୍ରମାନଙ୍କୁ ସେ ପରାମର୍ଶ ଦେଇଥିଲେ। ସେହିଭଳି ଇଲେକ୍ଟ୍ରୋନିକ୍ସ ଚିପ୍ସକୁ ଷ୍ଟାର୍ଟଅପ୍‌ ପ୍ରୋଗ୍ରାମ୍‌ ଅନ୍ତର୍ଭୁକ୍ତ କରିବା ପାଇଁ ବୈଷ୍ଣବ ଆଇଆଇଟି ଭୁବନେଶ୍ୱରକୁ ଭାରତ ସରକାରଙ୍କ ଅନୁମୋଦନ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଫଳରେ ସେମିକଣ୍ଡକ୍ଟର ପ୍ରସ୍ତୁତି ପାଇଁ ଭୁବନେଶ୍ୱର ଆଇଆଇଟି ଦେଶର ୩୧ତମ ଅନୁଷ୍ଠାନ ହେବ ବୋଲି କୁହାଯାଇଛି। ଆଇଆଇଟି ଭୁବନେଶ୍ୱରରେ ଛାତ୍ରୀଛାତ୍ରମାନଙ୍କୁ ଚ୍ୟାଲେଞ୍ଜ କରି ବୈଷ୍ଣବ କହିଛନ୍ତି, ଯଦି ଛାତ୍ରୀଛାତ୍ରମାନେ ୫ଜି ପାଇଁ ଅତି କମରେ ୧୦ଟି କୌଶଳର ପରିକଳ୍ପନା ଯୋଗାଇ ଦେବେ, ତେବେ ଆଇଆଇଟି ଭୁବନେଶ୍ୱରକୁ ୫ଜି ବ୍ୟବହାରର ପ୍ରସ୍ତୁତି ପାଇଁ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ମାନ୍ୟତା ଦିଆଯିବ। ଭୁବନେଶ୍ୱରରେ ଆଇଆଇଟିଆନଙ୍କ ସହ ଜ୍ଞାନକୌଶଳ ବିନିମୟ କରି ବୈଷ୍ଣବ ଏହା ମଧ୍ୟ କହିଛନ୍ତି, ଯଦି ପ୍ରସ୍ତାବ ଦିଆଯିବ ତେବେ ଆଇଆଇଟି ଭୁବନେଶ୍ୱରକୁ ରେଳ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଗତିଶକ୍ତି ସହ ନିବନ୍ଧନ କରାଯିବ।