ଅଣଧାନ ଫସଲକୁ ଅଣଦେଖା

ଭୁବନେଶ୍ୱର,୩ା୨(ବ୍ୟୁରୋ): ଚାଷୀଙ୍କଠାରୁ ଆରମ୍ଭ କରି ସରକାରୀ କଳ ଯାଏ ସମସ୍ତେ କେବଳ ଧାନ ଚାଷ ପଛରେ ଗୋଡ଼ାଇଛନ୍ତି। ରାଜ୍ୟରେ ଧାନ ଉତ୍ପାଦନ ବଢ଼ି ଚାଲିଥିବା ବେଳେ ଅଣଧାନ ଫସଲ ଚୁଲିିକି ଗଲାଣି। ଆଳୁ, ପିଆଜ, ଡାଲି, ତୈଳବୀଜ ଆଦି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଅର୍ଥକରୀ ଫସଲ ଝୋଟ, ଆଖୁ, କପା, ବାଜରା, ଯଅ, ରାଶି, ସୋରିଷ ଚାଷ ମଧ୍ୟ ଉଭାନ ହେବାକୁ ବସିଲାଣି। ଜଳବାୟୁ ପରିବର୍ତ୍ତନ ଚିନ୍ତାର କାରଣ ହୋଇଛି। ଦିନକୁ ଦିନ ବର୍ଷା ହଜିଯାଉଛି। କେବଳ ସେତିକି ନୁହେଁ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଚାଷ ଉପରେ ଗୁରୁତର ପ୍ରଭାବ ପକାଇବା ବେଳେ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଉଛି। ୧୮୯୧ରୁ ୨୦୨୦ ମଧ୍ୟରେ ୧୦୬ଟି ବାତ୍ୟା ଓ ମହାବାତ୍ୟା ଓଡ଼ିଶା ଦେଇ ଅତିକ୍ରମ କରିଛି। ଏଥିଯୋଗୁ ରାଜ୍ୟ ଆର୍ଥିକ ପ୍ରଗତିର ସିଂହଭାଗ ଦେଉଥିବା ଚାଷ ଧୀରେ ଧୀରେ ବିପରୀତମୁଖୀ ହେବାରେ ଲାଗିଛି। ଓଡ଼ିଶାରେ ଚାଷୀମାନେ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭର କରୁଛନ୍ତି । କେତେବେଳେ ବିପର୍ଯ୍ୟୟ ଯୋଗୁ ଧାନ ଉଜୁଡ଼ି ଯାଉଥିବା ବେଳେ ଅନ୍ୟ କେତେବେଳେ ଅଧିକ ମାତ୍ରାରେ ଉତ୍ପାଦନ ଅଭାବୀ ବିକ୍ରିି ସମସ୍ୟା ସୃଷ୍ଟି କରୁଛି। ଚାଷୀମାନେ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ନ ପାଇ ଧାର କରଜରେ ବୁଡ଼ି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି । ଧାନ ଚାଷ ଉପରେ ନିର୍ଭର କରୁଥିବାରୁ ଚାଷୀଙ୍କର ଆର୍ଥିକ ସ୍ଥିତିରେ ସେତେଟା ଉନ୍ନତି ଆସୁନାହିଁ। ବନ୍ୟା, ବାତ୍ୟା କିମ୍ବା ମରୁଡ଼ି ଯୋଗୁ ଧାନ ଚାଷ ପ୍ରଭାବିତ ହେଲେ ମଧ୍ୟ ପରବର୍ତ୍ତୀ ସମୟରେ ତୈଳବୀଜ, ଡାଲିଜାତୀୟ, ଝୋଟ ଚାଷ ଭଳି ଅର୍ଥକରୀ ଫସଲ ପାଇଁ ସେପରି ସୁବିଧା ନ ଥିବାରୁ ଚାଷୀମାନେ ବର୍ଷକରେ କେବଳ ଧାନ ଉପରେ ନିର୍ଭରଶୀଳ ହେଉଛନ୍ତି। ଅର୍ଥକରୀ ଫସଲ ଚାଷ ହେଉ ନ ଥିବାରୁ ପାରମ୍ପରିକ ବିହନ ମଧ୍ୟ ହଜିଗଲାଣି। କୃଷି ବିଶେଷଜ୍ଞଙ୍କ କହିବା କଥା ହେଲା ଆବଶ୍ୟକ ବିହନ, ତାଲିମ ଓ ସରକାରୀ ପ୍ରୋତ୍ସାହନ ଅଭାବରୁ ଚାଷୀମାନେ ମଧ୍ୟ ଅନ୍ୟ ଚାଷ ପ୍ରତି ସେତେଟା ଗୁରୁତ୍ୱ ଦେଉନାହାନ୍ତି । ରାଜ୍ୟରେ ମୁଗ, ବିରି, କୋଳଥ, ସୂର୍ଯ୍ୟମୁଖୀ, ଯଅ , ବାଜରା, ମକା, କପା, ଆଳୁ, ବାଦାମ, କନ୍ଦମୂଳ, ହରଡ଼ ଆଦି ଚାଷ ବେଳକୁ ବେଳ ହ୍ରାସ ପାଇବାରେ ଲାଗିଛି। ଜମି ପଡ଼ିଆ ପଡୁଛି ପଛକେ ଅଣଧାନ ଫସଲ ଚାଷ ପାଇଁ ଚାଷୀମାନେ ଆଗ୍ରହ ଦେଖାଉନାହାନ୍ତି। ଯେଉଁ କେତେକ ଚାଷୀ ଅଣଧାନ ଫସଲ କରୁଛନ୍ତି ସେମାନଙ୍କୁ ବଜାର ସୁବିଧା ମିଳୁ ନାହିଁ। ସେମାନଙ୍କର ଉତ୍ପାଦିତ ଦ୍ରବ୍ୟ ବିକ୍ରିି ହୋଇପାରୁ ନାହିଁ। ଅନ୍ୟପକ୍ଷରେ ଉତ୍ପାଦିତ ଧାନର ଅଭାବୀ ବିକ୍ରିିକୁ ନେଇ ବିରୋଧୀ ଦଳ ହୋହଲ୍ଲା କରୁଥିବା ବେଳେ ସରକାର ଅଣଧାନ ଫସଲକୁ ଅଣଦେଖା କରୁଛନ୍ତି।
କୃଷି ଉପରେ ରାଜ୍ୟର ଶତକଡ଼ା ୮୦ ଭାଗ ଲୋକ ନିର୍ଭର କରୁଛନ୍ତି। କୃଷି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୬୧ ଲକ୍ଷ ହେକ୍ଟର ଚାଷ ଜମି ରହିଛି। ସେଥିରୁ ୨୯.୧୪ ଲକ୍ଷ ହେକ୍ଟର ଢିପ ଜମି ଥିବା ବେଳେ ୧୭.୫୫ ଲକ୍ଷ ହେକ୍ଟର ମଧ୍ୟମ ଏବଂ ୧୫.୧୧ ଲକ୍ଷ ହେକ୍ଟର ଖାଲୁଆ ଜମି ରହିଛି। ସେହି ଜମିରୁ ମାତ୍ର ୩୪ ପ୍ରତିଶତ ଜଳସେଚନ ବ୍ୟବସ୍ଥା ଥିବା ବେଳେ ୬୬ ପ୍ରତିଶତ ଜମି ବର୍ଷା ପାଣି ଉପରେ ନିର୍ଭର କରିଥାଏ। ଗତ କିଛି ବର୍ଷ ହେବ ଜଳବାୟୁ ପରିବର୍ତ୍ତନ କାରଣରୁ ବର୍ଷା ହ୍ରାସ ପାଇବାରେ ଲାଗିଛି। ରାଜ୍ୟରେ ଜୁନ୍‌ରୁ ଅକ୍ଟୋବର ମଧ୍ୟରେ ସ୍ବାଭାବିକ ୧୫୦୨.୫ ମିଲିମିଟର ବର୍ଷା ହୋଇଥାଏ। ତେବେ ଗତ କିଛି ବର୍ଷ ହେବ ଜଳବାୟୁ ପରିବର୍ତ୍ତନ ଯୋଗୁ ସ୍ବାଭାବିକ ବର୍ଷା ୧୨୫୬.୭ ମିଲିମିଟରକୁ ଖସି ଆସିଲାଣି। ଏପରି କି ଗୋଟିଏ ବର୍ଷରେ ମଧ୍ୟ ୯୦୦ ମିଲିମିଟରରୁ କମ୍‌ ବର୍ଷା ହେବାର ନଜିର ରହିଛି।
ଭଲ ବର୍ଷା ହେଉ ନ ଥିବାରୁ ଧାନ ଚାଷ ମଧ୍ୟ ଆଗାମୀ ଦିନରେ ପ୍ରଭାବିତ ହେବା ଆଶଙ୍କା ରହିଛି। ଅଣଧାନ ଫସଲ ଉପରେ ଗୁରୁତ୍ୱ ଦିଆଯାଉ ନ ଥିବାରୁ ରାଜ୍ୟରେ ଏହି ଚାଷ ଉପରୁ ଚାଷୀ ମୁହଁ ଫେରାଇ ନେଉଛନ୍ତି। ସରକାରୀ ପ୍ରୋତ୍ସାହନ ଅଭାବ ଯୋଗୁ ରାଜ୍ୟରେ ଡାଲିଜାତୀୟ ଫସଲ ୧୯୭୧ରେ ପ୍ରତି ହେକ୍ଟରରେ ୫୫୨ କେଜି ହେଉଥିବା ବେଳେ ଏବେ ତାହା ୪୯୭ କେଜିକୁ ଖସି ଆସିଛି। ତେବେ ତୈଳବୀଜ ଜାତୀୟ ଫସଲ ପ୍ରତି ହେକ୍ଟରରେ ୬୫୨ କେଜି ହେଉଥିବା ବେଳେ ଏଥିରେ ସାମାନ୍ୟ ବୃଦ୍ଧି ହୋଇ ୮୪୮ କେଜିରେ ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ ସମୁଦାୟ ଶସ୍ୟ ଉତ୍ପାଦନର ମାତ୍ର ୪.୬୨ ପ୍ରତିଶତ ଡାଲିଜାତୀୟ ଫସଲ ଉତ୍ପାଦନ ହେଉଥିବା ବେଳେ ତୈଳବୀଜ ୧.୭୬, ତନ୍ତୁଜାତୀୟ ୧.୫୭, ଆଖୁ ୦.୧୯ ଏବଂ ନାର୍କୋଟିକ ୧.୫୮ ଉତ୍ପାଦନ ହେଉଛି। ତୈଳବୀଜ ଓ ଡାଲିଜାତୀୟ ଫସଲ ଚାଷ କମୁଥିବାରୁ ଓଡ଼ିଶାକୁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। କେବଳ ଚାଷ କମି ନାହିଁ ଚାଷୀମାନେ ସାଇତି ରଖୁଥିବା ପାରମ୍ପରିକ ବିହନ ମଧ୍ୟ ଲୋପ ହୋଇ ଯାଉଛି। ଆଳୁ ଓ ପିଆଜ ମଞ୍ଜି ମଧ୍ୟ ଓଡ଼ିଶାରୁ ଉଭାନ ହୋଇ ଗଲାଣି। ଆଳୁ ଓ ପିଆଜ ମଞ୍ଜି ପାଇଁ ପଞ୍ଜାବ ଉପରେ ନିର୍ଭର କରିବାକୁ ପଡୁଛି। ପାରମ୍ପରିକ ଝୋଟ ଚାଷ ମଧ୍ୟ ଉଜୁଡ଼ି ଗଲାଣି। ୧୯୬୧ରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କଟକ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଭଳି ଜିଲାର ୪୦ ହଜାର ହେକ୍ଟରରେ ଝୋଟ ଚାଷ ହେଉଥିଲା। ଏବେ ଏହା ୧୧ ହଜାର ହେକ୍ଟରକୁ ଖସି ଗଲାଣି।
ଚାଷୀ ରାମ ଚନ୍ଦ୍ର ପରିଡ଼ା କହିଛନ୍ତି ଯେ ଧାନ ଚାଷ ଏବେ ଆମର ମୁଖ୍ୟ ବେଉସା। ଆଗରୁ ବିରି, ମୁଗ, କୋଳଥ, ଚଣା ହେଉଥିଲା। ଏବେ ସେ ସବୁ ଆଉ କରୁ ନାହୁଁ। ବିହନ ମୂଲ୍ୟ ବଢ଼ିବା ସାଙ୍ଗକୁ ଚାଷରେ ଖର୍ଚ୍ଚ ବଢ଼ି ଯାଉଛି। ଯାହା ଉତ୍ପାଦନ ହେଉଛି ସେସବୁ ଅଦରଦରରେ ବିକିବାକୁ ପଡୁଛି । ଏଥିପାଇଁ ଧାନ ଫସଲ ଛାଡ଼ିଦେଲେ ଅନ୍ୟ ଚାଷ କରି କିଛି ଲାଭ ନାହିଁ ।
ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା କୃଷି ପାଣିପାଗବିତ୍‌ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ରାଜ୍ୟରେ ଅନେକ ସମୟରେ ଚାଷ ବିଳମ୍ବ ହେଉଛି। ଉଚ୍ଚା ଜମିରେ ଧାନ ଫସଲ ହେଉ ନାହିଁ। ଅଣଧାନ ଫସଲ ପାଇଁ ସରକାର ଗୁରୁତ୍ୱ ଦେବା ଦରକାର। କେବଳ ଧାନ ଫସଲ ହେଲେ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିବ। କମ୍‌ ପାଣିରେ ଡାଲି , ତୈଳବୀଜ ଓ ଆଖୁ, ଝୋଟ ଭଳି ଅନ୍ୟାନ୍ୟ ଅର୍ଥକରୀ ଫସଲ କରାଯାଇପାରନ୍ତା। ଚାଷୀମାନେ ଲାଭବାନ ହୋଇପାରନ୍ତେ। ସରକାର ଏ ନେଇ ଏକ ସ୍ବତନ୍ତ୍ର ନୀତି ପ୍ରଣୟନ କରିବା ସହ ଚାଷୀଙ୍କୁ ପ୍ରୋତ୍ସାହନ କରିବା ସହିତ ନିର୍ଦ୍ଧାରିତ ସମୟରେ ବିହନ, ସାର ଓ କୀଟନାଶକ ଯୋଗାଇ ଦେବା ଦରକାର।
କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଚାଷୀଙ୍କଠାରୁ ୧ ହଜାର ପ୍ରକାର ପାରମ୍ପରିକ ଧାନ ବିହନ ସଂଗ୍ରହ କରି ୨ଟି ଜିନ୍‌ ବ୍ୟାଙ୍କରେ ୪ରୁ ୫ ବର୍ଷ ଯାଏ ୪ ଡିଗ୍ରୀ ସେଲ୍‌ସିୟସରେ ଓ ୩୩ ପ୍ରତିଶତ ଆର୍ଦ୍ରତାରେ ରଖିବା ବ୍ୟବସ୍ଥା କରାଯାଇଛି। ଅନ୍ୟଟି ୩୦ରୁ ୪୦ ବର୍ଷ ଯାଏ -୨୦ ଡିଗ୍ରୀ ସେଲ୍‌ସିୟସରେ ରଖିବା ପାଇଁ ରାଜ୍ୟ ବିହନ ପରୀକ୍ଷାଗାର ସ୍ଥାପନ କରାଯାଇଛି। ଓଡ଼ିଶାରେ ଆଳୁର ମଞ୍ଜି ଉତ୍ପାଦନ କରିବା ପାଇଁ ୱାର୍ଲଡ ପଟାଟୋ ସେଣ୍ଟର ପ୍ରସ୍ତାବ ରହିଛି। ଅର୍ଥକରୀ ଫସଲ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ସହ ତାଲିମ ଦିଆଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri