Categories: ରାଜ୍ୟ

ହିନ୍ଦୀ ଶିକ୍ଷକଙ୍କ ପ୍ରତି ଅଣଦେଖା

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ରାଜ୍ୟର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଶିକ୍ଷିତ ହିନ୍ଦୀ ଶିକ୍ଷକମାନଙ୍କ ପ୍ରତି ସରକାର ପ୍ରତିକ୍ଷେତ୍ରରେ ଅଣଦେଖା କରୁଥିବା ନେଇ ରାଜ୍ୟ ହିନ୍ଦୀ ଶିକ୍ଷକ ସଂଘ ଅଭିଯୋଗ କରିଛି। ଗତ ୧୧ ତାରିଖରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ର ଅନୁଯାୟୀ, ୨୧୭୩ଜଣ ଶିକ୍ଷକଙ୍କୁ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦିଆଯାଇଛି। ମାତ୍ର ପଦୋନ୍ନତି ନିମନ୍ତେ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ କୌଣସି ହିନ୍ଦୀ ଶିକ୍ଷକଙ୍କୁ ପଦୋନ୍ନତି ମିଳି ନାହିଁ। ଏ ନେଇ ରାଜ୍ୟ ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ସଂଘର ଅଭିଯୋଗ ମୁତାବକ, ନିଯୁକ୍ତି ସମୟରେ ଅନ୍ୟ ଶିକ୍ଷକଙ୍କ ସମକକ୍ଷ ଯୋଗ୍ୟତା ଥିବା ସତ୍ତ୍ୱେ ହିନ୍ଦୀ ଶିକ୍ଷକଙ୍କୁ ଜୁନିୟର ଏସ୍‌ଇଏସ୍‌ ପରିବର୍ତ୍ତେ ଏଲ୍‌ଇଏସ୍‌ କ୍ୟାଡରରେ ଉଦ୍ଦେଶ୍ୟମୂଳକ ଭାବେ ରଖାଯାଇଛି। ଅନ୍ୟପକ୍ଷେ ନିକଟ ଅତୀତରେ ହିନ୍ଦୀ ଏବଂ ସଂସ୍କୃତ ସହ ଧନ୍ଦାମୂଳକ ବିଷୟକୁ କେଉଁ ସାମଞ୍ଜସ୍ୟ ଭିତ୍ତିରେ ୩ୟ ଭାଷାରେ ସରକାର ଯୋଡ଼ିଛନ୍ତି ତାହା ସ୍ପଷ୍ଟ କରିବାକୁ ସଂଘ ଦାବି କରିଛି। ଧନ୍ଦାମୂଳକ ପାଠ୍ୟକ୍ରମରେ ୭୦ ମାର୍କ ପ୍ରାକ୍ଟିକାଲ ଓ ୩୦ ମାର୍କର ଥିଓରି ରହିଛି। ଫଳରେ ଛାତ୍ରୀଛାତ୍ରମାନେ ହିନ୍ଦୀ ଭାଷା ଅଧ୍ୟୟନ ପ୍ରତି ରୁଚି ରଖୁ ନ ଥିବା ଜଣାପଡ଼ିଛି। ତେଣୁ ଧନ୍ଦାମୂଳକ ପାଠ୍ୟକ୍ରମକୁ ୩ୟ ଭାଷା ଚୟନରୁ ଯଥାଶୀଘ୍ର ଅଲଗା କରିବା ସହ ହିନ୍ଦୀ ଶିକ୍ଷକମାନଙ୍କୁ ଜୁନିୟର ଏସ୍‌ଇଏସ୍‌ କ୍ୟାଡରଭୁକ୍ତ କରିବା ପାଇଁ ସଂଘ ଦାବି କରିଛି।