ପକ୍ଷପାତ ରାଜନୀତିକୁ ଉପେକ୍ଷା

Dillip Cherian

ନିକଟରେ କେରଳ ମୁଖ୍ୟ ଶାସନ ସଚିବ ଭି.ପି.ଜୟ ଗୁଜରାଟରେ ଇ-ଗଭର୍ନାନ୍ସ ପାଇଁ ଚାଲିଥିବା ଡାଶ୍‌ବୋର୍ଡ ସିଷ୍ଟମ ଉପରେ ଅନୁଧ୍ୟାନ କରିବା ପାଇଁ ଗାନ୍ଧୀନଗର ଗସ୍ତ କରିଥିଲେ। ଉତ୍ତମ ସରକାର ପାଇଁ ଡାଶ୍‌ବୋର୍ଡ ସିଷ୍ଟମକୁ ଅନ୍ୟ ରାଜ୍ୟଗୁଡ଼ିକ ଗ୍ରହଣ କରିବାର ଏହା ଏକ ପୂର୍ବ ସୂଚନା। ଡାଶ୍‌ବୋର୍ଡ ସଞ୍ଚାଳନ ପଦ୍ଧତି ୨୦୧୯ରେ ବିଜୟ ରୂପାନୀଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଆରମ୍ଭ ହୋଇଥିଲା। ଜୟ ଏହାଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ସେବା ଯୋଗାଣ ଓ ନାଗରିକଙ୍କ ପ୍ରତିକ୍ରିୟା ସଂଗ୍ରହ କରିବା ଲାଗି ଏହା ଏକ ଭଲ ପଦ୍ଧତି ବୋଲି କହିଲେ। ଏହା ନିଶ୍ଚିତ ଯେ, ଜୟଙ୍କ ଗସ୍ତ ପଛରେ କେରଳର ବାମ ଗଣତାନ୍ତ୍ରିକ ମେଣ୍ଟ(ଏଲ୍‌ଡିଏଫ୍‌)ର ସମର୍ଥନ ରହିଥିଲା। ଏପରି କି କେରଳରେ ବିରୋଧୀ ଦଳଗୁଡ଼ିକ ଏହି ଗସ୍ତକୁ ରାଜନୀତି ଦୃଷ୍ଟିକୋଣରୁ ବିଚାର କଲେ। କିନ୍ତୁ ଏହା ସ୍ପଷ୍ଟ ଯେ, ଉତ୍ତମ ଶାସନ ସକାଶେ ଇ-ଟେକ୍‌ନୋଲୋଜିକୁ ଆପଣାଇବା ଦ୍ୱାରା ପକ୍ଷପାତପୂର୍ଣ୍ଣ ରାଜନୀତିକୁ ଅତିକ୍ରମ କରିହେବ ଓ ଶାସନ ଲାଗି ଭଲ ହେବ ବୋଲି ପିନାରୟୀ ବିଜୟନ ସରକାର ବିଶ୍ୱାସ କରନ୍ତି । ସୂତ୍ରରୁ ଜଣାପଡ଼ିଛି, ନିକଟରେ ରାଜଧାନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜୟନଙ୍କ ମଧ୍ୟରେ ବୈଠକ ହେଲା ପରେ ଗୁଜରାଟ ମଡେଲ ଉପରେ ଅନୁଧ୍ୟାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବିଜୟନ କେରଳ ଫେରିବା ପରେ ଡାଶ୍‌ବୋର୍ଡ ସିଷ୍ଟମ ଉପରେ ଅନୁଧ୍ୟାନ କରିବା ଲାଗି ଜୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୌତୂହଳର ବିଷୟ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କ ଦ୍ୱାରା ଏକା ପ୍ରକାର ପରୀକ୍ଷା କରାଯାଇଥିଲା। ସେ ରାଜ୍ୟର ଆଇଏଏସ୍‌ ଅଧିକାରୀମାନଙ୍କର ଏକ ଟିମ୍‌କୁ ଯେତେବେଳେ ଦିଲ୍ଲୀ ସରକାରଙ୍କ ଠାରୁ ପ୍ରଶିକ୍ଷଣ ନେବା ପାଇଁ ପଠାଇଥିତ୍ଲେ ସେତେବେଳେ ବିରୋଧୀ ଦଳଗୁଡ଼ିକ ଏହାକୁ ସମାଲୋଚନା କରିଥିଲେ। ଅରବିନ୍ଦ କେଜରିଓ୍ବାଲ୍‌ଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି ବୋଲି ମାନ୍‌ଙ୍କୁ ଦୋଷାରୋପ କରାଗଲା। ତଥାପି, ଏହି ନୂଆ ଧାରା ଦର୍ଶାଏ ଯେ ରାଜ୍ୟ ସରକାରଗୁଡ଼ିକ ଏବେ ପକ୍ଷପାତପୂର୍ଣ୍ଣ ରାଜନୀତିକୁ ଉପେକ୍ଷା କରି ସହଯୋଗଭିତ୍ତିକ ରାଜନୀତିକୁ ଗ୍ରହଣ କରିବାକୁ ଇଚ୍ଛାପ୍ରକାଶ କରିଛନ୍ତି ଏବଂ ଯେଉଁଠି ସୁବିଧାରେ ମିଳିବ ବିଶେଷଜ୍ଞମାନଙ୍କୁ ସେଠାରୁ ଆଣିବାକୁ ଚାହଁୁଛନ୍ତି।
ଫୈସଲ ଫେରିଲେ
୨୦୧୯ରେ କଶ୍ମୀରର ଆଇଏଏସ୍‌ ଅଧିକାରୀ ଶାହା ଫୈସଲ ସିଭିଲ୍‌ ସର୍ଭିସରୁ ଇସ୍ତଫା ଦେଇଥିଲେ। ଅନେକ ଦିନ ପରେ ସେ ଏବେ ପ୍ରଶାସନିକ ଅମଲାତନ୍ତ୍ରକୁ ଫେରିଛନ୍ତି ଓ ତାଙ୍କ କାର୍ଯ୍ୟକଳାପ ପାଇଁ ନିଜର ତ୍ରୁଟିପୂର୍ଣ୍ଣ ବିଚାରଧାରାକୁ ଦାୟୀ କରିଛନ୍ତି। ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଇସ୍ତଫା ପ୍ରତ୍ୟାହାର ପାଇଁ ଫୈସଲ କରିଥିବା ଦରଖାସ୍ତକୁ କେନ୍ଦ୍ର ଗ୍ରହଣ କରିଛି ଏବଂ ଗତ ମାସ ପ୍ରାରମ୍ଭରେ ତାଙ୍କୁ ସେବାରେ ଅବସ୍ଥାପିତ କରିଛି। ସିଭିଲ ସର୍ଭିସ ଟପ୍ପର ହେବାରେ ଫୈସଲ ଥିଲେ ପ୍ରଥମ କଶ୍ମୀରୀ ଏବଂ ସେ ରାଜ୍ୟରେ ଶିକ୍ଷା ଓ ଶକ୍ତି ବିକାଶ ବିଭାଗ ସମେତ ବିଭିନ୍ନ ପଦବୀରେ ରହି କାର୍ଯ୍ୟ କରିଛନ୍ତି। ଜମ୍ମୁ କଶ୍ମୀରର ସ୍ବତନ୍ତ୍ର ପାହ୍ୟା ମାନ୍ୟତା କେନ୍ଦ୍ର ପ୍ରତ୍ୟାହାର କରିବା ପରେ ସେ ତାହାର ପ୍ରତିବାଦରେ ଇସ୍ତଫା ଦେଇଥିଲେ। ଫୈସଲ ଜମ୍ମୁ ଆଣ୍ଡ କଶ୍ମୀର ପିପୁଲ୍ସ ମୁଭ୍‌ମେଣ୍ଟ ନାମକ ରାଜନୈତିକ ଦଳ ଗଢି ବିଫଳ ହେବା ପରେ ଆମେରିକା ଚାଲିଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯାଇ ଶ୍ରୀନଗର ପଠାଇଦିଆଯାଇଥିଲା। ସେଠାରେ ତାଙ୍କୁ ନିଜରବନ୍ଦୀରେ ରଖାଯାଇ ୪ ମାସ ପରେ ହଟାଇ ନିଆଯାଇଥିଲା। ଇତି ମଧ୍ୟରେ ଫୈସଲ ଅମଲାତନ୍ତ୍ରକୁ ଫେରିବା ଲାଗି ସଙ୍କେତ ଦେଇ ଆସୁଥିଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ତାଙ୍କ ନିବେଦନକୁ ଗ୍ରହଣ କରି ତାଙ୍କୁ ପୁନଃ ଅବସ୍ଥାପିତ କଲା। ତାଙ୍କୁ କେଉଁ ପଦବୀରେ ନିଯୁକ୍ତି ଦିଆଯିବ ତାହା ଖୁବ୍‌ ଶୀଘ୍ର ଘୋଷଣା କରାଯିବ। କୌତୂହଳର ବିଷୟ, କେରଳର ଅନ୍ୟ ଜଣେ ଆଇଏଏସ୍‌ ଅଧିକାରୀ କାନନ୍‌ ଗୋପୀନାଥନ୍‌ ମଧ୍ୟ କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବିରୋଧ କରି ସିଭିଲ ସର୍ଭିସରୁ ଇସ୍ତଫା ଦେଇଥିଲେ। ଏବେ ସେ ଜଣେ ସାମାଜିକ କର୍ମୀ ହୋଇଯାଇଛନ୍ତି।
ନିଯୁକ୍ତି ଦୌଡ଼ରେ ସଙ୍ଗୀତା ବିଜୟୀ
ସେବାନିବୃତ ପରେ ଜେ.ବି.ମହାପାତ୍ରଙ୍କ ସ୍ଥାନରେ କେନ୍ଦ୍ର ସଙ୍ଗୀତା ସିଂକୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌(ସିବିଡିଟି)ର ମଧ୍ୟବର୍ତ୍ତିକାଳୀନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି। ଜଣେ ନିୟମିତ ଅଧ୍ୟକ୍ଷ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ସିଂଙ୍କୁ ତିନିମାସ ପାଇଁ ଏହି ନିଯୁକ୍ତି ଦିଆଯିବା ଦ୍ୱାରା ଅନିଶ୍ଚିତତା ଶେଷ ହୋଇଛି। କିଛିଦିନ ପରେ ତାଙ୍କୁ ନିୟମିତ କରାଯିବ ବୋଲି ବ୍ୟାପକ ଚର୍ଚ୍ଚା ହେଉଛି। ତେବେ ସରକାର ମହାପାତ୍ରଙ୍କୁ ପୁଣି ଫେରାଇବେ ନା ତାଙ୍କୁ ଅବସର ନେବାକୁ ଦେବେ, ତାକୁ ନେଇ ଦିଲ୍ଲୀର ବାବୁ ପରିସରରେ କଳ୍ପନାଜଳ୍ପନା ଲାଗି ରହିଥିଲା। ଶେଷରେ, ତାଙ୍କୁ ଯିବାକୁ ଦିଆଗଲା। ସିବିଡିଟିର ଦୁଇ ମହିଳା ସଦସ୍ୟଙ୍କ ମଧ୍ୟରୁ ମହାପାତ୍ରଙ୍କ ପଦବୀ ପାଇଁ ସଙ୍ଗୀତା ସିଂ ଥିଲେ ଜଣେ। ଅନ୍ୟ ଜଣେ ହେଉଛନ୍ତି ପ୍ରଗ୍ୟା ସାହେ ସକ୍‌ସେନା ଯିଏ କି ଏବେ ଲେଜିସ୍‌ଲେଶନ ଆଣ୍ଡ୍‌ ସିଷ୍ଟମ ସଦସ୍ୟା ରହିଛନ୍ତି। ପଦୋନ୍ନତି ପୂର୍ବରୁ ସିଂ ଅଡିଟ୍‌ ଆଣ୍ଡ୍‌ ଜୁଡିସିଆଲ ସଦସ୍ୟ ରହିଥିଲେ। ଏପରି କି ସିଂ ଦୁଇଟି ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଥିବାରୁ ଏହି ନିଯୁକ୍ତି ଦୌଡ଼ରେ ସେ ତାଙ୍କ ପ୍ର୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଆଗରେ ରହିଥିଲେ ବୋଲି ଅନେକଙ୍କର ବିଶ୍ୱାସ ଥିଲା। ନୂଆ ଅଧ୍ୟକ୍ଷ ମଧ୍ୟ ଏହି ପଦବୀ ପାଇଁ ଆଶାୟୀ ଅନ୍ୟ ଦୁଇ ବରିଷ୍ଠ ସିବିଡିଟି ସଦସ୍ୟ ଅଞ୍ଜୁ ଷଡଙ୍ଗୀ ଏବଂ ନୀତିନ ଗୁପ୍ତାଙ୍କୁ ନିଯୁକ୍ତି ଦୌଡ଼ରେ ପରାସ୍ତ କରି ଦେଇଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri