କେନ୍ଦୁପତ୍ର କର୍ମଚାରୀଙ୍କୁ ଅଣଦେଖା

ବରଗଡ଼ ଅଫିସ୍‌, ୨୦।୧୦-
କେନ୍ଦୁପତ୍ର କର୍ମଚାରୀଙ୍କ ସମସ୍ୟା ବଢ଼ି ଚାଲିଛି। କେନ୍ଦୁପତ୍ର ସିଜିନାଲ କର୍ମଚାରୀ, ୱାଚର, ତୋଳାଳି, ବନ୍ଧେଇ ଶ୍ରମିକମାନେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ବେ କିଛି ପଦକ୍ଷେପ ନିଆଯାଉନାହିଁ। ଅନ୍ୟପକ୍ଷେ କେନ୍ଦୁପତ୍ର କର୍ମଚାରୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ କେନ୍ଦୁପତ୍ର କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ଏବଂ ଏହି ଅସନ୍ତୋଷ ଆନ୍ଦୋଳନ ପାଇଁ ମୁଣ୍ଡ ଟେକିଛି। ସୋମବାର ବରଗଡ ଜିଲା ପାଇକମାଲ କେନ୍ଦୁପତ୍ର ଅତିଥିଭବନରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ପଦ୍ମପୁର ଡିଭିଜନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସଂଘ ରାଜ୍ୟ ସମ୍ପାଦକ କୋକିଳ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଶ୍ରମିକ ମଙ୍ଗଳ ପାଣ୍ଠିରେ ସହାୟତା, ଗ୍ରାଚ୍ୟୁଇଟି ପ୍ରଦାନ, ପଦୋନ୍ନତି ଆଦି କ୍ଷେତ୍ରରେ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଥିଲା। କେନ୍ଦୁପତ୍ର କର୍ମଚାରୀଙ୍କ ପ୍ରତି ସରକାରଙ୍କ ଏଭଳି ଉଦାସୀନ ମନୋଭାବକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ପଦ୍ମପୁର କେନ୍ଦୁପତ୍ର ଡିଏଫଓଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।
କୋଭିଡ୍‌ ନିୟମ ଆଧାରରେ ଆନ୍ଦୋଳନ କରାଯିବ ଏବଂ ଆନ୍ଦୋଳନ ପୂର୍ବରୁ ଏ ନେଇ ପଦ୍ମପୁର ଉପଜିଲାପାଳଙ୍କୁ ଲିଖିତ ଜଣାଇ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ସିଜିନାଲ କର୍ମଚାରୀଙ୍କ ପ୍ରମୋଶନ, କେନ୍ଦୁପତ୍ର ତୋଳାଳୀଙ୍କୁ ୧୦ଚଟା ପତ୍ରରେ ଶ୍ରମିକ ମଙ୍ଗଳ ପାଣ୍ଠିରେ ସହାୟତା ଯୋଗାଇ ଦେବା, ଅବସରପ୍ରାପ୍ତ ସିଜିନାଲ କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ପ୍ରଦାନ କରିବା ଆଦି ଦାବିକୁ ନେଇ ଏହି ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବୈଠକରେ ପଦ୍ମପୁର ଡିଭିଜନ ଅନ୍ତର୍ଗତ ୯ଟି ରେଞ୍ଜର ହେଡ୍‌ ଚେକର୍‌, ସର୍କଲ ଚେକର୍‌, ରେଞ୍ଜ ସମ୍ପାଦକ, ୱାଚର, ତୋଳାଳୀ ଆଦି ଶତାଧିକ ସଦସ୍ୟ ଯୋଗ ଦେଇଥିଲେ। କେନ୍ଦୁପତ୍ର କର୍ମଚାରୀ ସଂଘର ଏହି ବୈଠକରେ ସଂଘର ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟଅତିଥିଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁରେଶ ପଣ୍ଡା, ରାଜେନ୍ଦ୍ର ପ୍ରସାଦ ଯୋଶୀ, ରୁଷଭ ପ୍ରଧାନ, ଚୂଡ଼ାମଣି ପାଣିଗ୍ରାହୀ, ବସନ୍ତ ସାହୁ, ଜୟକୁମାର ତାଣ୍ଡି, ନାରାୟଣ ସାହୁ, ଜଗବନ୍ଧୁ ମିର୍ଦ୍ଧା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ ଉଦ୍‌ବୋଧନ ଦେଇଥିଲେ।