ସୁଯୋଗ ମିଳିଲେ ଗୋପାଳ ଭଳି ଗୁଳି କରିଦେବି

ସମ୍ବଲପୁର,୨୧ା୨(ବ୍ୟୁରୋ): ଜାନୁୟାରୀ ୨୯ରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଝାରସୁଗୁଡା ଜିଲା ଗାନ୍ଧୀ ଛକ ଫାଣ୍ଡିରେ କାର୍ଯ୍ୟରତ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ। ଏହି ଘଟଣାରେ ରାଜ୍ୟ ପୋଲିସ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିଲା। ବିଭିନ୍ନ ସ୍ଥାନରେ ଏହାକୁ ନେଇ ସମାଲୋଚନା କରାଯାଇଥିଲା। ହତ୍ୟାରେ ସମ୍ପୃକ୍ତ ଅଭିଯୁକ୍ତ ଗିରଫ ହୋଇଥିଲେ ମଧ୍ୟ ତଦନ୍ତକାରୀ ସଂସ୍ଥା କ୍ରାଇମ୍‌ବ୍ରାଞ୍ଚ ୨୨ଦିନ ପରେ ବି କାରଣ ସ୍ପଷ୍ଟ କରିପାରି ନାହିଁ। ଏବେ ଉକ୍ତ ଜିଲାର କୋଲାବିରା ଥାନାରେ ଜଣେ ପୋଲିସ କନଷ୍ଟେବଲ ପୂର୍ବତନ ବିଧାୟକଙ୍କୁ ଗୁଳିକରି ହତ୍ୟା କରିବାକୁ ଧମକ ଦେବା ଘଟଣା ପୋଲିସ ବିଭାଗକୁ ଆହୁରି ଅଡୁଆରେ ପକାଇ ଦେଇଛି। ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ କନଷ୍ଟେବଲଙ୍କୁ ଦିଆଯାଇଥିବା ବନ୍ଧୁକ ପୋଲିସ ବିଭାଗ ଜବତ କରିନେଇଥିବା ଜଣାପଡିଛି। ରବିବାର ଏହି ଘଟଣା ଘଟିଥିବା ବେଳେ ପୋଲିସ ନିଜ ଦୋଷ ଦୁର୍ବଳତା ଯେଭଳି ପଦାକୁ ନ ଆସୁ ସେଥିପାଇଁ ଚପାଇବାକୁ ଉଦ୍ୟମ କରୁଛି। ହେଲେ ସୋମବାର ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରବିବାର କନଷ୍ଟେବଲ ଜଣଙ୍କ ଥାନା ଭିତରେ ହୋ ହଲ୍ଲା କରିଥିଲେ। ବ୍ରଜରାଜନଗରର ଜଣେ ପୂର୍ବତନ ବିଧାୟକ ତାଙ୍କୁ ବାରମ୍ବାର ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି। ତାଙ୍କ ଉପରେ ବହୁତ ରାଗ ରହିଛି। ଯଦି ସୁଯୋଗ ମିଳେ ଗୋପାଳ ଭଳି ଗୁଳିକରି ହତ୍ୟା କରିଦେବି ବୋଲି କହିଥିଲେ। ଏହାକୁ ନେଇ ଥାନା ପରିସରରେ ତୁମୁଳକାଣ୍ଡ ଘଟିଥିଲା। ଏନେଇ କୋଲାବିରା ଥାନା ଅଧିକାରୀ ଝାରସୁଗୁଡ଼ା ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଥିଲେ। ଏସ୍‌ପି ଡିଜିପିଙ୍କୁ ଅବଗତ କରାଇଥିଲେ। ପରେ ଉକ୍ତ କନଷ୍ଟେବଳଙ୍କୁ ଦିଆଯାଇଥିବା ବନ୍ଧୁକ ତାଙ୍କଠାରୁ ଜବତ କରାଯାଇଥିବା କୁହାଯାଉଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନବ ଦାସ ହତ୍ୟା ଘଟଣା ପରେ ପୋଲିସ ରାଜନେତାଙ୍କ ପାଇଁ ବିପଦ ବୋଲି ଆଲୋଚନା ହେଉଛି।

ଘଟଣା ସମ୍ପର୍କରେ ବ୍ରଜରାଜନଗରର ପୂର୍ବତନ ବିଧାୟିକା ଭାଜପା ନେତ୍ରୀ ରାଧାରାଣୀ ପଣ୍ଡା କହିଛନ୍ତି, ବ୍ରଜରାଜନଗରବାସୀ ଓ ସରକାରୀ କର୍ମଚାରୀମାନଙ୍କ ସହ ତାଙ୍କର ସୁସମ୍ପର୍କ ରହିଛି। ହେଲେ ଜଣେ ପୂର୍ବତନ ବିଧାୟକଙ୍କୁ ହତ୍ୟା କରିବାକୁ ଧମକ ଦେବା ଘଟଣା ବିଚଳିତ କରିଛି। ସମ୍ପୃକ୍ତ କନଷ୍ଟେବଲଙ୍କୁ ସେ ଜାଣି ନାହାନ୍ତି। ଏ ଘଟଣା ଅତି ସମ୍ବେଦନଶୀଳ। କେବଳ ତାଙ୍କ ବନ୍ଧୁକ ଜବତ କଲେ ହେବ ନାହିଁ। କେଉଁ କାରଣରୁ ସେ ହତ୍ୟା ଧମକ ଦେଲେ, ଉଦ୍ଦେଶ୍ୟ କ’ଣ ରହିଛି ତାହାକୁ ନେଇ ତଦନ୍ତ କରାଯାଉ। ପୂର୍ବତନ ବିଧାୟକମାନଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ସେ କହିଥିଲେ। ଏ ସମ୍ପର୍କରେ ଝାରସୁଗୁଡା ଏସ୍‌ଡିପିଓ ନିର୍ମଳ ମହାପାତ୍ର କହିଛନ୍ତି, ଉକ୍ତ କନ୍‌ଷ୍ଟେବଲ ଡ୍ୟୁଟି ସମୟରେ ବିଶୃଙ୍ଖଳା କରୁଥିବା ଅଭିଯୋଗ ହେବା ପରେ ପ୍ରାୟ ଏକସପ୍ତାହ ତଳେ ତାଙ୍କୁ ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।