‘ଦରଦ ଥିଲେ ମନ୍ତ୍ରୀ, ବିଧାୟକ ମଣ୍ଡିରେ ଶୁଅନ୍ତୁ’

ଭବାନୀପାଟଣା, ୧୪।୧: କଳାହାଣ୍ଡି ଜିଲା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଯଦି ପ୍ରକୃତରେ ଦରଦ ଅଛି ତେବେ କଳାହାଣ୍ଡି ଗସ୍ତରେ ଆସିଥିବା ୭୦ଜଣ ବିଧାୟକ ଓ ୧୨ଜଣ ମନ୍ତ୍ରୀଙ୍କୁ ଜିଲାର ସବୁ ମଣ୍ଡିକୁ ଜଗିବା ପାଇଁ ଦାୟିତ୍ୱ ଦିଅନ୍ତୁ। ଚାଷୀମାନେ ଧାନ ବିକ୍ରି କରି ନ ପାରି ତଳିତଳାନ୍ତ ହେଉଛନ୍ତି। ଏଭଳି ସମୟରେ ଉଦ୍‌ଘାଟନ ନାମରେ ଫାର୍ସ ଚାଲିଛି ବୋଲି ପୂର୍ବ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଉଦ୍‌ବେଗ ପ୍ରକାଶ କରିଛନ୍ତି। କଳାହାଣ୍ଡିରେ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ସଫଳ କରିବା ପାଇଁ ୧୨ ମନ୍ତ୍ରୀ, ୭୦ ଜଣ ବିଧାୟକ, ୩ ଦିନ ହେବ ଡେରା ପକେଇଛନ୍ତି। ସେମାନେ ଧର୍ମଗଡ, ଜୟପାଟଣା ଓ କୋକସରା ବ୍ଲକର ସମସ୍ତ ପଞ୍ଚାୟତବାସୀଙ୍କୁ ଏଲ୍‌ଇଡି ଟିଭିରେ ମୁଖ୍ୟମନ୍ତ୍ରୀଙ୍କ ଲାଇଭ୍‌ ପ୍ରୋଗ୍ରାମ ଦେଖାଇବେ। ଯଦି କଳାହାଣ୍ଡିର ଚାଷୀଙ୍କ ପାଇଁ ନବୀନଙ୍କ ହୃଦୟରେ ଟିକେ ବି ସମବେଦନା ଓ ଦରଦ ଅଛି, ତେବେ ବିଧାୟକ ଓ ମନ୍ତ୍ରୀମାନେ ଷ୍ଟାର୍‌ ହୋଟେଲରେ ରାତ୍ରିଯାପନ ନ କରି ଚାଷୀଙ୍କ ସହ ମଣ୍ଡିରେ ରାତ୍ରୀଯାପନ କରନ୍ତୁ। ମଣ୍ଡିରେ ପଡିଥିବା ଧାନ ତୁରନ୍ତ କ୍ରୟ କରାଇବା ପାଇଁ ବ୍ୟବସ୍ଥା କରାନ୍ତୁ ବୋଲି ସେ କହିଥିଲେ। ୧୨ ବର୍ଷ ତଳେ ତେଲନଦୀ ଛିଲିପାରେ ୧୪ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ଏକ୍ୱାଡେଟ୍‌ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ ଗୋଲାମୁଣ୍ଡା ବ୍ଲକର ଚାଷୀ ଆଜିଯାଏଁ ପାଣି ଓ ଜଳସେଚନର ସୁବିଧା ପାଇପାରିଲେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଜିଲାବାସୀଙ୍କ ପାଇଁ କଟା ଘାରେ ଚୂନ ଲଗାଇବା ଭଳି ବୋଲି ଭକ୍ତ କହିଛନ୍ତି।