ବାଡ଼ ଯଦି କ୍ଷେତ ଖାଏ

ସମ୍ପ୍ରତି ସାରା ଦେଶରେ ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଛି। ସରକାରୀବାବୁ ହୁଅନ୍ତୁ କି ଶାସକ ପ୍ରଶାସକ କେହି ହେଲେ ସ୍ବଉପାର୍ଜିତ ସତ୍‌ ଧନରେ ସନ୍ତୁଷ୍ଟ ନ ହୋଇ ଅନ୍ୟାୟ ଉପାର୍ଜନ ପ୍ରତି ଲାଳାୟିତ ହେଉଛନ୍ତି। ଚୋରିକରି ଧନପତି ହେବାର ନିଶା ସମସ୍ତଙ୍କୁ ଘାରିଛି। ଯାହାପାଖରେ କୋଟିଏ ଅଛି ସେ କେମିତି ରାତାରାତି ଦୁଇକୋଟିର ମାଲିକ ହେବ ସେ ଚିନ୍ତାରେ ବ୍ୟସ୍ତ। ସାଧୁତା, ସଚ୍ଚୋଟତା କେବଳ ଦୁଇଟି ଆଭିଧାନିକ ଶବ୍ଦ ହୋଇ ରହିଯାଇଛି ମାତ୍ର। ଚୋରିକରି ଧରାପଡ଼ିବା ଯାଏ ସମସ୍ତେ ସାଧୁ, ଧରା ପଡ଼ିଗଲେ ନିଜ ସାଧୁତା ସପକ୍ଷରେ ନାନା ଫନ୍ଦିଫିକର। ‘ମୁଁ ନୁହେଁ – ମୋ ବିରୋଧରେ ଏହା ଏକ ଜଘନ୍ୟ ଷଡ଼ଯନ୍ତ୍ର’ ବୋଲି କେତେ ବିବୃତି। ସରକାରୀ ଚାକିରିରେ ଥିଲାବେଳେ ଗୋଟାପଣ ସରକାରଙ୍କର ଏବଂ ଚାକିରିରୁ ଅବସର ନେବା ପରେ ପୂର୍ଣ୍ଣ ସରକାରୀ ବିରୋଧୀ। ଯଦି କୈାଣସି ଯୋଜନା ବା ବ୍ୟବସ୍ଥା ଲୋକହିତକର ନୁହେଁ ବୋଲି ତୁମର ହୃଦ୍‌ବୋଧ ହେଉଥିଲା ତେବେ ସେହି ସମୟରେ ବିରୋଧ ନ କରି ଅବସରାନ୍ତେ ବିରୋଧକରି ତୁମେ ଜନସାଧାରଣକୁ କି ବାର୍ତ୍ତା ଦେବାକୁ ଚାହୁଁଛ?
ଏଇଆ ଯେ ମୁଁ ସମ୍ପୂର୍ଣ୍ଣ ଠିକ୍‌ ଓ ଆଉ ସବୁ ଭୁଲ୍‌।
ଥରେ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କୁ ଜଣେ ଆଗନ୍ତୁକ କଥା ପ୍ରସଙ୍ଗରେ କହିଲେ ”ଆଜ୍ଞା ମୋ ଚାକିରି କାଳ ଭିତରେ ଟଙ୍କାଟିଏ ଲାଞ୍ଚ ନେଇନାହିଁ କି ସେ ବିଷୟରେ ଚିନ୍ତା ମଧ୍ୟ କରିନାହିଁ।“ ସୁରେନ୍ଦ୍ର ପଚାରିଲେ ‘ଆପଣ କ’ଣ କରନ୍ତି’? ଭଦ୍ରଲୋକ ଉତ୍ତର ଦେଲେ ‘ଆଜ୍ଞା ମୁଁ ଜଣେ ଅଧ୍ୟାପକ ଥିଲି। ସଦ୍ୟ ଅବସର ଗ୍ରହଣ କରିଛି।’ ସୁରେନ୍ଦ୍ର ଅଳ୍ପ ହସି ବ୍ୟଙ୍ଗାମତ୍କ ଭାବେ କହିଲେ, ଓଃ ବଳଦର ବ୍ରହ୍ମଚର୍ଯ୍ୟ !
ଅର୍ଥାତ୍‌ ଜଣେ ଶିକ୍ଷକ ଅଧ୍ୟାପକଙ୍କୁ କାହିଁକି କିଏ ଲାଞ୍ଚଦେବ। କିନ୍ତୁ ସମୟର ପରିବର୍ତ୍ତନ ଘଟିଛି। କଳାଧନ ଠୁଳ କରିବାର ନିଶା କାହାକୁ ଛାଡ଼ିନି। ସେ ସ୍ବଳ୍ପ ବେତନଭୋଗୀ କ୍ରୀଡ଼ା ଶିକ୍ଷକ ହେଉ (ବ୍ରହ୍ମପୁର) କିମ୍ବା ଅଙ୍ଗନୱାଡି ଦିଦି ହେଉ (ଭୁବନେଶ୍ୱର)। ଭାରତର ବହୁ ରାଜନେତା, ବିଧାୟକ, ମନ୍ତ୍ରୀ ଅନ୍ୟାୟ ଉପାର୍ଜିତ କଳାଟଙ୍କାର ପାହାଡ଼ ଉପରେ ବସି ବାହାରକୁ ସାଧୁତା ପ୍ରଦର୍ଶନର ନାଟକ ରଚନା କରିଚାଲିଛନ୍ତି। ନିକଟରେ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ବାନ୍ଧବୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୫୦କୋଟିରୁ ଊଦ୍ଧର୍‌ବ ଟଙ୍କା ଓ ୫ କି.ଗ୍ରା.ରୁ ଅଧିକ ସୁନା, ବାସଗୃହ ଓ ସମ୍ପତ୍ତି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜବତ କରିଛି। ଏ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଝାଡ଼ଖଣ୍ଡର ତିନି ବିଧାୟକଙ୍କ ନିକଟରୁ ଜବତ ହୋଇଛି ବିପୁଳ କଳାଧନ। ଇର୍‌ଫାନ ଅନ୍‌ସରୀ, ରାଜେଶ କଚ୍ଛପ ଓ ନମନଭିଜେଲ କୋଙ୍ଗାରୀ ଉକ୍ତ ବିପୁଳ ଧନରାଶିକୁ କୋଲକାତା ନେଉଥିବା ବେଳେ ୧୭ନଂ. ଜାତୀୟ ରାଜପଥର ପଞ୍ଚଳା ଥାନା ନିକଟରେ ପଶ୍ଚିମବଙ୍ଗ ପୋଲିସ ଏହାକୁ ଜବତ କରିଛି ।
ମୁମ୍ବାଇର ଜଣେ ଭାଜପା ବିଧାୟକଙ୍କୁ ମନ୍ତ୍ରୀ କରାଯିବାର ପ୍ରତିଶ୍ରୁତି ଦେଇ ୧୦୦କୋଟି ଲାଞ୍ଚ ମଗାଯାଇଥିଲା ଏବଂ ୯୦କୋଟିରେ କଥା ଛିଡ଼ିଥିଲା। ମଧ୍ୟସ୍ଥତା କରୁଥିବା ରିୟାଜ୍‌ ଶେଖ୍‌ଙ୍କୁ ପୋଲିସ ଗିରଫ କଲାପରେ ଘଟଣା ଲୋକଙ୍କ ଦୃଷ୍ଟିକୁ ଆସିଲା। ଓଡ଼ିଶାରେ ଏମିତି କୌଣସି ଦିନ ନାହିଁ ଯେଉଁଦିନ ଭିଜିଲାନ୍ସ ହାତରେ କେହିନା କେହି ଧରାପଡୁନାହିଁ। ନିକଟରେ କେନ୍ଦ୍ରାପଡ଼ା ଶିକ୍ଷା ଅଧିକାରୀ ଜଣେ ପିଅନକୁ ବଦଳି କରିବା ପାଇଁ ୨୦ହଜାର ଟଙ୍କା ଲାଞ୍ଚଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ମାତ୍ର ୩ଦିନ ପରେ ଅର୍ଥାତ୍‌ ଜୁଲାଇ ୩୧ରେ ଅବସର ନେବାକୁ ଥିବା ଏହି ଅଧିକାରୀ ଜେଲ ପ୍ରକୋଷ୍ଠରେ ତାଙ୍କ ଅବସର ଜୀବନର ସୁଖସ୍ବପ୍ନ ଦେଖିବେ। ପ୍ରତିଦିନ ଛୋଟଛୋଟ ଅଧିକାରୀମାନେ ଧରାପଡୁଛନ୍ତି ସିନା; ମାତ୍ର ପୋଖରୀର ବଡ଼ମାଛମାନଙ୍କୁ ନେଇ ସାଧାରଣରେ ପ୍ରବଳ ଚର୍ଚ୍ଚା। ଏମାନେ କ’ଣ ସତରେ ସାଧୁ -ନା ଏମାନଙ୍କୁ ସହଜରେ ଧରାଯାଇପାରିବ ନାହିଁ। ବଡ଼ବଡ଼ିଆଙ୍କ ପାଖରେ ପହଞ୍ଚତ୍ବା କ’ଣ ଏତେ ସହଜକଥା!
ଏସବୁ ବ୍ୟତୀତ ଠିକାଦାର ଓ ଯନ୍ତ୍ରୀଙ୍କର ଶୀତଳ ମଧୁଚନ୍ଦ୍ରିକାରେ ପ୍ରତ୍ୟହ ରାଜକୋଷର ହରିଲୁଟ ଚାଲିଛି। କୋଟିକୋଟି ଟଙ୍କାର ପୋଲ ଭୁଶୁଡୁଛି। ପାଞ୍ଚ କୋଟିରେ ନିର୍ମିତ ରାସ୍ତା ପାଞ୍ଚ ମାସ ବି ତିଷ୍ଠୁନାହିଁ, ଯାହା ଘଟିଛି ଜଗତ୍‌ସିଂହପୁର ଜିଲାର ରଘୁନାଥପୁରରେ ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଭୁକ୍ତ ରାସ୍ତା। ରାସ୍ତାକୁ ଦେଖିଲେ ଏଥିରେ ଏତେ ବିପୁଳ ଅର୍ଥ ବ୍ୟୟିତ ହୋଇଥିଲା ପରି ମନେହୁଏ ନାହିଁ। ଅନେକ କ୍ଷେତ୍ରରେ ଅସାମାଜିକଙ୍କୁ ଧରିବାକୁ ଯାଇ ବିଚରା ପୋଲିସକୁ ପ୍ରାଣବଳି ଦେବାକୁ ପଡୁଛି। ଗତ ମାସରେ ହରିୟାଣା, ଝାଡ଼ଖଣ୍ଡର ରାଞ୍ଚତ୍ ଓ ଗୁଜରାଟର ଆନନ୍ଦଠାରେ ଦୁର୍ବୃତ୍ତମାନେ ତିନିଜଣ ପୋଲିସ ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିଥିବାର ଚାଞ୍ଚଲ୍ୟକର ଖବର ପ୍ରସାରିତ ହୋଇ ସାଧାରଣରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ବିଡ଼ମ୍ବନାର କଥା ହେଲା କୌଣସି ରାଜନୈତିକ ଦଳ ବିଶେଷ କରି ଶାସକ ଦଳକୁ ସେମାନଙ୍କ ତ୍ରୁଟି ପାଇଁ ପ୍ରଶ୍ନ କରିବାର ଅଧିକାର ଲୋକଙ୍କ ପାଖରେ ନାହିଁି। ଭୁଲକଲେ ମଧ୍ୟ ତାକୁ ଠିକ୍‌ ବୋଲି ପ୍ରଶଂସା କରିବାର ଅଛି। ନଚେତ୍‌ ସମାଲୋଚକକୁ ତ୍ରାହି ନାହିଁ। ଗତବର୍ଷ ଉତ୍ତରପ୍ରଦେଶରେ ଯଶୱନ୍ତ ସିଂ ନାମକ ଜଣେ ବ୍ୟକ୍ତି ଟୁଇଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ରାଜ୍ୟକୁ ଜଙ୍ଗଲ ରାଜ୍ୟରେ ପରିଣତ କରି ଦେଲେଣି। ରାଜ୍ୟରେ ଆଇନଶୃଙ୍ଖଳା ବୋଲି କିଛି ନାହିଁ। ଫଳସ୍ବରୂପ ଯଶୱନ୍ତଙ୍କ ବିରୋଧରେ ବିଭିନ୍ନ ଦଫା ଯୋଡ଼ାଯାଇ ଏବଂ ୨୦୦୮ ସୂଚନା ପ୍ରଯୁକ୍ତି ଆଇନର ଦଫା ୬୬ ଲାଗୁ କରାଯାଇ ଦଣ୍ଡିତ କରିବାର ପ୍ରୟାସ କରାଗଲା ପରେ ଯଶୱନ୍ତ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ମୁକ୍ତି ପାଇଲେ। ସେହିପରି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟା ଲଲିଥାଙ୍କୁ ୨୦୧୫ରେ ସମାଲୋଚନା କରିବା ଯୋଗୁ ଜଣେ ଲୋକକଳା ଗାୟକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଗଲା। ମହାମତ୍ା ଗାନ୍ଧୀ କହିଥିଲେ ”ଜଣେ ବ୍ୟକ୍ତି କିମ୍ବା ଏକ ରାଷ୍ଟ୍ରର ନୈତିକ କଲ୍ୟାଣକୁ କ୍ଷତିଗ୍ରସ୍ତ କରୁଥିବା ଅର୍ଥନୀତି ଅନୈତିକ ଓ ପାପ ହୋଇଥାଏ। ହେଲେ ସେ ପାପ ପ୍ରତି କାହାର ଭୟ ନ ଥିଲା ପରି ମନେହୁଏ।“
ମହାନଦୀ ଦିନେ ଥିଲା ଓଡ଼ିଶାର ଜୀବନରେଖା। ଆଜି ତାହା ଛତିଶଗଡ଼ର ବିଳାସଦୀର୍ଘିକା। ଛତିଶଗଡ଼ ତା’ ଇଚ୍ଛାରେ ଜଳ ରୋକିବ ଓ ମୌସୁମୀର ଜଳ ପ୍ରାବଲ୍ୟ ସମୟରେ ଛାଡ଼ି ଓଡ଼ିଶାରେ ବିଭୀଷିକା ସୃଷ୍ଟି କରିବ। ଆମ ସରକାର କିଂ କର୍ତ୍ତବ୍ୟବିମୂଢ଼। ଛତିଶଗଡ଼ କରିପାରିଲା, ଅଥଚ ଆମେ ଜଳ ସଂରକ୍ଷଣ ପାଇଁ ଗୋଟିଏ ହେଲେ ବି ପଦକ୍ଷେପ ନେଇପାରିଲୁ ନାହିଁ। ଶିକ୍ଷିତ ଗୋଷ୍ଠୀର ନୀରବତା ଶାସନ ଓ ପ୍ରଶାସନ ପ୍ରତି ଏକ ପ୍ରୋସତ୍ାହନ। ଶାସକଙ୍କ ପୂର୍ବସୂରୀମାନେ ସତରେ କେତେ ସହନଶୀଳ ଥିଲେ। ସମାଲୋଚନାକୁ ସ୍ବାଗତକରି ତଦନୁଯାୟୀ ନିଜକୁ ସଂଶୋଧନ କରି ନେଉଥିଲେ। ନିଜ ଦାୟିତ୍ୱରେ ସାମାନ୍ୟ ତ୍ରୁଟି ପାଇଁ ଇସ୍ତଫା ଦେବାକୁ ମଧ୍ୟ ପଛାଉ ନ ଥିଲେ। କିନ୍ତୁ ଆଜି ସମୟ ବଦଳି ଯାଇଛି। ରକ୍ଷକ ଭକ୍ଷକ ସାଜିଛି। ବାଡ଼ ଯେତେବେଳେ କ୍ଷେତର ସୁରକ୍ଷା ପରିବର୍ତ୍ତେ କ୍ଷେତକୁ ବିନିଷ୍ଟ କରିବ ସେତେବେଳେ ବିଚରା କ୍ଷେତ କ’ଣ କରିପାରିବ? କପାଳରେ କରମାରିବା ସାର ହେବ।

  • ବୈକୁଣ୍ଠନାଥ ମିଶ୍ର
    ସିଦ୍ଧଳ, ଜଗତ୍‌ସିଂହପୁର
    ମୋ-୯୯୩୭୪୫୦୫୪୦

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri